Spread the love

 

cong

ଭୁବନେଶ୍ୱର: ସେପ୍ଟେମ୍ବର ୨୧ ତାରିଖରେ ହେବାକୁ ଥିବା ରାଜ୍ୟ ବିଧାନସଭା ବାଚସ୍ପତି ପଦ ପାଇଁ ନିର୍ବାଚନରେ ଦଳର ବିଧାୟକ ଭାଗ ନେବେ ନାହିଁ। ପ୍ରଦେଶ କଂଗ୍ରେସ ପକ୍ଷରୁ ବୁଧବାର ଦିନ ଏହା କୁହାଯାଇଛି। ସେପ୍ଟେମ୍ବର ୨୧ ତାରିଖରେ ବାଚସ୍ପତି ନିର୍ବାଚନ ହେବ ଏବଂ ତା ପରଦିନ ଅର୍ଥାତ୍ ସେପ୍ଟେମ୍ବର ୨୨ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ବାଚସ୍ପତି ନିର୍ବାଚନ ପାଇଁ ସେପ୍ଟେମ୍ବର ୧୮ ତାରିଖରେ ନାମାଙ୍କନ ପତ୍ର ଦାଖଲ ହେବ।

ତେବେ ଆସନ୍ତା ସେପ୍ଟେମ୍ବର ୨୦ ତାରିଖରେ ପଶ୍ଚିମ ଓଡ଼ିଶାର ସବୁଠାରୁ ଲୋକପ୍ରିୟ ପର୍ବ ‘ନୂଆଁଖାଇ’ ପାଳନ ହେବାକୁ ଯାଉଛି। ସେହିପରି ସେପ୍ଟେମ୍ବର ୨୧ ତାରିଖରେ ‘ନୂଆଖାଇ ଭେଟଘାଟ’ ଅନୁଷ୍ଠିତ ହେବ ବୋଲି ପ୍ରଦେଶ କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ଗଣେଶ୍ୱର ବେହେରା ଏକ ବିବୃତିରେ କହିଛନ୍ତି।

ସମଗ୍ର ପଶ୍ଚିମ ଓଡିଶାରେ ଲୋକମାନେ ଏହି ପର୍ବକୁ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରନ୍ତି ଏବଂ ମା’ ସମଲେଶ୍ୱରୀଙ୍କୁ ନବାନ୍ନ ଅର୍ପଣ କରିବା ପରେ ପ୍ରସାଦ ସେବନ କରନ୍ତି ବୋଲି ସେ କହିଛନ୍ତି।

ଏହି ଲୋକପ୍ରିୟ ପର୍ବର ଗୁରୁତ୍ୱକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସାଧାରଣତଃ ପ୍ରତିବର୍ଷ ଦୁଇ ଦିନ ଛୁଟି ଘୋଷଣା କରିଥାନ୍ତି। ତେବେ ଚଳିତ ବର୍ଷ କେବଳ ଗୋଟିଏ ଦିନ ଛୁଟି ଘୋଷଣା କରାଯାଇଛି ବୋଲି ସେ କହିଛନ୍ତି। ଫଳରେ କଂଗ୍ରେସ ବିଧାୟକମାନେ ନିଜ ନିଜ ସ୍ଥାନରେ ଉପସ୍ଥିତ ରହି ନୂଆଁଖାଇ ଉତ୍ସବ ପାଳନ କରିବେ ଏବଂ ବାଚସ୍ପତି ନିର୍ବାଚନରେ ଭାଗ ନେଇପାରିବେ ନାହିଁ ବୋଲି ସେ କହିଛନ୍ତି।

 

Leave a Reply

Your email address will not be published. Required fields are marked *