ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ତଥା ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ହତ୍ୟା ଧମକ ମିଳିଛି । ଗାଙ୍ଗୁଲିଙ୍କ ସମେତ ତାଙ୍କ ପତ୍ନୀ ଡୋନା ଗାଙ୍ଗୁଲିଙ୍କୁ ମଧ୍ୟ ଜୀବନରୁ ମାରିଦେବା ପାଇଁ ଧମକ ମିଳିଛି । କେବଳ ଗାଙ୍ଗୁଲି କି ତାଙ୍କ ପତ୍ନୀଙ୍କୁ ନୁହେଁ ବରଂ ତାଙ୍କ ସହିତ କାମ କରୁଥିବା ସମସ୍ତଙ୍କୁ ଧମକ ମିଳିଛି । ଇଂରାଜୀରେ ଚିଠି ଲେଖାଯାଇଥିବା ବେଳେ ପରିବାରକୁ ଉଡ଼ାଇ ଦେବାକୁ ଧମକ ମିଳିଛି । ଧମକ ମିଳିବା ପରେ ଏନେଇ ପୋଲିସରେ ଅଭିଯୋଗ ହୋଇଛି । ଘଟଣାକୁ ନେଇ ତଦନ୍ତ ଆରମ୍ଭ ହୋଇଛି ।
ଖବର ମୁତାବକ, ଗାଙ୍ଗୁଲିଙ୍କ ପରିବାର ଓ ତାଙ୍କ ବ୍ୟକ୍ତିଗତ ସହାୟକଙ୍କ ପକ୍ଷରୁ ସ୍ଥାନୀୟ ଠାକୁରପୁକୁର ପୋଲିସ ଷ୍ଟେସନରେ ଏ ନେଇ ଏକ ଅଭିଯୋଗ ଦାୟର କରାଯାଇଛି । ପୋଲିସ ଏହି ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ତଦନ୍ତ ଆରମ୍ଭ କରିଛି । ସୌରଭଙ୍କ ପରିବାରକୁ ଲଗାତାର ୬ ମାସ ହେଲାଣି ଧମକ ମିଳୁଛି । କିନ୍ତୁ ଏହି ଧମକପୂର୍ଣ୍ଣ ଚିଠି କ୍ରିକେଟ ଆସୋସିଏସନ ଅଫ୍ ବଙ୍ଗାଳର ଅଫିସରେ ପହଞ୍ଚିଛି । ଏଥିରେ ଇଂଲିଶରେ ଆକ୍ରାତ୍ମକ ଏବଂ ହିଂସକ ଭାଷାର ବ୍ୟବହାର କରାଯାଇଛି ।
ବଙ୍ଗଳା କ୍ରିକେଟ ଅଫିସକୁ ଆସିଥିବା କୋରିଅରରେ ନାମ ଅରୁଣ କୁମାର ବୋଲି ଲେଖାଯାଇଛି । ଏଥିରେ ମୋବାଇଲ ନମ୍ବର ମଧ୍ୟ ଲେଖାଯାଇଛି । ପୋଲିସ ଅରୁଣ କୁମାରଙ୍କୁ ଖୋଜୁଛି । ପୋଲିସ ଗମ୍ଭୀରତାର ସହିତ ମାମଲାର ଯାଞ୍ଚ ଆରମ୍ଭ କରିଛି ।
ସୌରଭ ଗାଙ୍ଗୁଲି ଜଣେ ହାଇ-ପ୍ରୋଫାଇଲ୍ ବ୍ୟକ୍ତିତ୍ୱ ହୋଇଥିବାରୁ ଏଭଳି ଧମକ ତାଙ୍କ ପରିବାରର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । କୋଲକତା ପୋଲିସ ପକ୍ଷରୁ ଗାଙ୍ଗୁଲିଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ସତର୍କତା ଅବଲମ୍ବନ କରାଯାଇଛି । ତେବେ ଏହା ପୂର୍ବରୁ ଗାଙ୍ଗୁଲିଙ୍କୁ ୨୦୧୭ରେ ଜୀବନରୁ ମାରିଦେବାକୁ ଧମକ ମିଳିଥିଲା । କେବଳ ଦାଦା ନୁହେଁ ଏମଏସ ଧୋନି, ରାହୁଲ ଦ୍ରାବିଡ, ମହମ୍ମଦ ଶାମିଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି ।