Spread the love

ନୂଆଦିଲ୍ଲୀ : କଲମ୍ବିଆରେ ଭୟଙ୍କର ଭୂମିକମ୍ପ ପରେ ଉଦ୍ଧାର ଓ ସନ୍ଧାନ ଅଭିଯାନ ଜୋରଦାର ଭାବେ ଜାରି ରହିଛି । ଭୂମିକମ୍ପର ତୀବ୍ରତା ୭.୪ ରହିଥିଲା । ଭୂମିକମ୍ପରେ ମୃତକଙ୍କ ସଂଖ୍ୟା ୧୩୨ରେ ପହଞ୍ଚିଥିବା ବେଳେ ୫୭୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆଗକୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି । ଭୂମିକମ୍ପ ପରେ ୨,୭୦୦ରୁ ଅଧିକ ଲୋକଙ୍କ ପତ୍ତା ମିଳୁନଥିବା ନେଇ କେତେକ ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି ।

ଅନେକ ଲୋକ ଧ୍ୱଂସାବଶେଷ ତଳେ ଫସି ରହିଥିବା ଆଶଙ୍କାରେ ଉଦ୍ଧାରକାରୀ ଦଳ ରାତିଦିନ ସନ୍ଧାନ ଚଳାଇଛନ୍ତି । ପେରେଇରା, କାଲି, ମାନିଜାଲେସ୍, କ୍ୱିବ୍ ଡୋ ଓ ଆର୍ମେନିଆ ସମେତ ପଶ୍ଚିମ କଲମ୍ବିଆର ଅନେକ ସହର ଭୂମିକମ୍ପରେ ଗୁରୁତର ପ୍ରଭାବିତ ହୋଇଛି । ଶତାଧିକ ଘର ଓ କୋଠା କ୍ଷତିଗ୍ରସ୍ତ ହୋଇଥିବା ବେଳେ କେତେକ ସ୍ଥାନରେ ସମ୍ପୂର୍ଣ୍ଣ କୋଠା ଭୁଶୁଡ଼ି ପଡ଼ିଛି । ହସ୍ପିଟାଲ ଓ ଅନ୍ୟାନ୍ୟ ଭିତ୍ତିଭୂମି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । କେବଳ ସହରରେ ବହୁ ମୃତାହତ ହୋଇଥିବା ରିପୋର୍ଟ ରହିଛି । ଲୁଟପାଟ ଆଶଙ୍କାକୁ ଦୃଷ୍ଟିରେ ରଖି କେତେକ ପ୍ରଭାବିତ ଅଞ୍ଚଳରେ କର୍ଫ୍ୟୁ ଲାଗୁ କରାଯାଇଛି ।

ସୁରକ୍ଷା ବାହିନୀ ସହ ଜରୁରୀକାଳୀନ ଟିମ୍ କୁ ମଧ୍ୟ ପ୍ରଭାବିତ ଅଞ୍ଚଳକୁ ପଠାଯାଇଛି । ମୁଖ୍ୟ ଭୂମିକମ୍ପ ପରେ ଅତିକମରେ ୨୧ଟି ଆଫ୍ଟର ସକ୍ ରେକର୍ଡ ହୋଇଥିବାରୁ ଲୋକଙ୍କ ମଧ୍ୟରେ ଭୟ ଜାରି ରହିଛି । କ୍ଷତିଗ୍ରସ୍ତ କୋଠାଗୁଡ଼ିକୁ ଫେରିବା ପୂର୍ବରୁ ସୁରକ୍ଷା ଯାଞ୍ଚ ପାଇଁ ପ୍ରଶାସନ ପରାମର୍ଶ ଦେଇଛି । କଲମ୍ବିଆ ସରକାର ଜାତୀୟ ଜରୁରୀକାଳୀନ ସ୍ଥିତି ଘୋଷଣା କରି ଉଦ୍ଧାର, ଚିକିତ୍ସା ଓ ରିଲିଫ୍ କାର୍ଯ୍ୟକୁ ପ୍ରାଥମିକତା ଦେଇଛନ୍ତି । ଧ୍ୱଂସାବଶେଷ ତଳେ ଫସିଥିବା ଲୋକଙ୍କୁ ଶୀଘ୍ର ଜୀବିତ ଉଦ୍ଧାର ଉପରେ ଏବେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି ।

Leave a Reply

Your email address will not be published. Required fields are marked *