ବେଙ୍ଗାଲୁରୁ : ନିଜ ପିଲାକୁ ଚାପୁଡ଼ାଟିଏ ମାରିବା ମଧ୍ୟ ଜଣେ ବାପା ପାଇଁ ବହୁତ କଷ୍ଟକର । ଆଉ ଜୀବନରୁ ଶେଷ କରିବା କଥା କେମିତି ଜଣେ ବାପା ଭାବିପାରେ । ହେଲେ ବେଳେ ବେଳେ ପରିସ୍ଥିତି ଏମିତି ସମୟ ଆଣେ ଯେ ବାପା ନୃଶଂସ ସାଜିବାକୁ ପଛାଏନି । ଦୁଇ ଝିଅଙ୍କୁ ହତ୍ୟା ପରେ ନିଜ ଜୀବନ ହାରିବାକୁ ଚେଷ୍ଟା କରିଥିଲେ ବାପା । ବେଙ୍ଗାଲୁରୁ କେମ୍ପେଗୌଡ଼ା ଏୟାରପୋର୍ଟ ଅଞ୍ଚଳରେ ଚାଞ୍ଚଲ୍ୟକର ଘଟଣା । ଏକ ହୋଟେଲ ରୁମ୍ ରୁ ଦୁଇ ନାବାଳିକା ଭଉଣୀଙ୍କ ମୃତଦେହ ଉଦ୍ଧାର ହୋଇଛି ।
ଖବର ମୁତାବକ, ବେଙ୍ଗାଲୁରୁ ବିଲାଲ ନଗର ଅଞ୍ଚଳର ୪୦ ବର୍ଷୀୟ ଏସ୍ ଜି ଇମ୍ରାନ୍ ତାଙ୍କ ଦୁଇ ଝିଅଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗତକାଲି ପ୍ରାୟ ୪ଟା ବେଳେ ହୋଟେଲର ହାଉସକିପିଂ କର୍ମଚାରୀ ହୋଟେଲ ରୁମ୍ କବାଟ ବାଡେଇଥିଲେ । ଭିତରୁ କୌଣସି ଉତ୍ତର ନମିଳିବାରୁ ସୁରକ୍ଷାକର୍ମୀଙ୍କ ସହାୟତାରେ ରୁମ୍ ଖୋଲାଯାଇଥିଲା । ସେଠାରେ ଦୁଇ ଭଉଣୀଙ୍କ ମୃତଦେହ ମିଳିଥିଲା । ଗୁରୁତର ଅବସ୍ଥାରେ ମିଳିଥିଲେ ବାପା ଇମ୍ରାନ୍। ନିଜେ ନିଜକୁ ଆହତ କରିଥିବା ଜଣାପଡିଛି । ଏବେ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି ।
ପୋଲିସ ସୂଚନା ଅନୁଯାୟୀ, ଇମ୍ରାନ୍ ରବିବାର ସନ୍ଧ୍ୟାରେ ଦୁଇ ଝିଅଙ୍କ ସହ ହୋଟେଲରେ ଚେକ୍ -ଇନ୍ କରିଥିଲେ । ସେ ଏକ କ୍ୟାବ୍ କମ୍ପାନୀରେ କାମ କରନ୍ତି । ଘଟଣାସ୍ଥଳରୁ ଏକ ଚିଠି ମିଳିଛି । ଚିଠିରେ ପାରିବାରିକ ବିବାଦ ଏବଂ ପତ୍ନୀଙ୍କ ସମ୍ପର୍କକୁ ନେଇ କଥା ଉଲ୍ଲେଖ ରହିଛି । ଘଟଣାର ସତ୍ୟତାକୁ ନେଇ ତଦନ୍ତ କରୁଛି ପୋଲିସ ।