Spread the love

ନୂଆଦିଲ୍ଲୀ : ସ୍ବାଧୀନତା ଦିବସରେ ଆତଙ୍କୀ ଆକ୍ରମଣ ସମ୍ଭାବନାକୁ ନେଇ ଦିଲ୍ଲୀ ପୋଲିସ ସମଗ୍ର ରାଜ୍ୟରେ ହାଇ ଆଲର୍ଟ ଜାରି କରିଛି । ସତର୍କତା ଦୃଷ୍ଟିରୁ ପୋଲିସ ସହରର ପ୍ରମୁଖ ସ୍ଥାନ, ସାର୍ବଜନୀନ ସ୍ଥାନ ଏବଂ ବ୍ୟସ୍ତବହୁତ ବଜାରରେ ୧୯ ଜଣ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀଙ୍କ ପୋଷ୍ଟର ଜାରି କରିଛି ।

ଦିଲ୍ଲୀ ପୋଲିସ ତରଫରୁ ଜାରି ହୋଇଥିବା ପୋଷ୍ଟରରେ ଇଣ୍ଡିଆନ ମୁଜାହିଦୀନ, ଅଲକାଏଦା ଏବଂ ଭିନ୍ନ ଭିନ୍ନ ଖଲିସ୍ତାନୀ ଆତଙ୍କୀ ସଂଗଠନ ସହିତ ଜଡ଼ିତ ସନ୍ଦିଗ୍ଧଙ୍କ ଫଟୋ ଏବଂ ବିବରଣୀ ସାମିଲ ରହିଛି । ପୋଷ୍ଟରରେ ଇଣ୍ଡିଆନ ମୁଜାହିଦୀନର ରିୟାଜ ଭଟକଲ ଏବଂ ଶମ୍ବାଦରୀ ମହମ୍ମଦ ଇକବାଲ ଓରଫ ଇକବାଲ ଭଟକଲ, ଅଲକାଏଦା ସହିତ ଜଡ଼ିତ ମହମ୍ମଦ ଶର୍ଜିଲ ଅଖତର, ଅବୁ ସୁଫିୟାନ ଏବଂ ସୈୟଦ ମହମ୍ମଦଙ୍କ ଫଟୋ ରହିଛି ।
ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଲିଷ୍ଟରେ ଖଲିସ୍ତାନ ଜିନ୍ଦାବାଦ ଫୋର୍ସର ରଂଜିତ ସିଂ, ପରମଜିତ ସିଂ, ଖଲିସ୍ତାନ ଟାଇଗର ଫୋର୍ସର ଅର୍ଶଦୀପ ସିଂ ଏବଂ ଅନ୍ୟମାନଙ୍କ ନାମ ରହିଛି ।

ସୂଚନାଯୋଗ୍ୟ, ସବୁ ବର୍ଷ ଜାନୁଆରୀ ୨୬ ଏବଂ ଅଗଷ୍ଟ ୧୫ରେ ଦିଲ୍ଲୀରେ ଆତଙ୍କୀ ଆକ୍ରମଣ ନେଇ ସମ୍ଭାବନା ରହିଥାଏ । ତେଣୁ ଏହାକୁ ଧ୍ୟାନରେ ରଖି ସୁରକ୍ଷା ପାଇଁ ମୋଷ୍ଟ ୱାଣ୍ଟେଡ ଆତଙ୍କୀ ସୂଚନା ଜାରି କରାଯାଏ । ସାଧାରଣ ନାଗରିକ ସତର୍କ ରହିବା ସହିତ ସନ୍ଦିଗ୍ଧଙ୍କ ପରିଚୟ ଦେଖି ତୁରନ୍ତ ସୂଚନା ଦେଇପାରିବେ । ଏନେଇ ପୋଲିସ ସାଧାରଣ ଜନତାଙ୍କୁ ମଧ୍ୟ ଅପିଲ୍ କରିଛି ।

Leave a Reply

Your email address will not be published. Required fields are marked *