
ସୂଚନା ମୁତାବକ କଟକ ଚାଉଳିଆଗଞ୍ଜ ଅଞ୍ଚଳର ସରସ୍ଵତୀ ଲେଙ୍କା ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରନ୍ତି। କିଛି ଦିନ ତଳେ ସେ ଅନଲାଇନ୍ ସାଇଟରୁ କିଛି ଜିନିଷ କିଣିଥିଲେ ହେଲେ ତାଙ୍କ ପାଖକୁ କିଣିଥିବା ଜିନିଷ ବଦଳରେ ଭୁଲ ଜିନିଷ ଆସିବାରୁ ସେ ଏହାକୁ ରିଫଣ୍ଡ ପାଇଁ ସେହି ଅନଲାଇନ୍ ସଂସ୍ଥାକୁ ମେଲ୍ କରିଥିଲେ। ପରେ ଟଙ୍କା ଫେରସ୍ତ କରାଯିବା ନିମନ୍ତେ ତାଙ୍କ ହ୍ଵାଟ୍ସଆପକୁ ଏକ ଲିଙ୍କ ଆସିଥିଲା । ସେଇ ଲିଙ୍କରେ କ୍ଲିକ କରିବା ପରେ କିଛି ସମୟ ମଧ୍ୟରେ ହିଁ ତାଙ୍କ ଆକାଉଣ୍ଟ ରୁ ୯୦ ହଜାର ଟଙ୍କା କଟିଯାଇଥିଲା । ଟଙ୍କା ଏପରି କଟି ଯାଉଥିବା ଦେଖି ସେ ଆଶ୍ଚର୍ଯ୍ୟ ହେଉଥିଲେ । ଏବଂ କୌଣସି ଉପାୟ ନପାଇ ସିଧା ଦୌଡ଼ିଥିଲେ ବ୍ୟାଙ୍କକୁ । ବ୍ୟାଙ୍କ ତାଙ୍କ ଆକାଉଣ୍ଟକୁ ତୁରନ୍ତ ବ୍ଲକ କରିଥିଲା । କିନ୍ତୁ ସେତେବେଳକୁ ମହିଳାଙ୍କ ଆକାଉଣ୍ଟରୁ ୯୦ ହଜାର ଟଙ୍କା ଗାୟବ ହୋଇଯାଇଥିଲା ।
ଏନେଇ ଥାନାରେ ଅଭିଯୋଗ କରିବା ସହ ତାଙ୍କ ଟଙ୍କା କିପରି ଫେରି ପାଇବେ ଯଥା ଶୀଘ୍ର ପଦକ୍ଷେପ ନେବା ପାଇଁ ମହିଳା ଜଣଙ୍କ ଅନୁରୋଧ କରିଛନ୍ତି । ତେବେ ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ଏଥିପ୍ରତି କୌଣସି ପଦକ୍ଷେପ ନିଆଯାଉ ନଥିବା ପରିତାପର ବିଷୟ ପାଲଟିଛି । ଯଦି ଏଭଳି ଭାବେ ଆପଣଙ୍କ ପାଖକୁ କୌଣସି ଲିଙ୍କ୍ ଆସୁଛି ତେବେ ଆପଣ ସାବଧାନ ରୁହନ୍ତୁ ।