Spread the love

ଖଣ୍ଡଗିରି: ଖଣ୍ଡଗିରି ଅଞ୍ଚଳରେ ପ୍ରମୁଖ ସର୍ଭିସ୍‌ ରୋଡ୍‌ ଏବେ ବସ୍‌ମାନଙ୍କ କବ୍‌ଜାରେ। ଖଣ୍ଡଗିରି-ବରମୁଣ୍ଡା, ଖଣ୍ଡଗିରି ବସ୍‌ ଟର୍ମିନାଲ- ତପୋବନ ସ୍କୁଲ୍‌ ସର୍ଭିସ୍‌ ରୋଡ୍‌ରେ ବସ୍‌ଗୁଡ଼ିକ ପାର୍କିଂ କରୁଛନ୍ତି। ଦିନର ପ୍ରାୟ ସବୁ ସମୟରେ ଶହଶହ ବସ୍‌ ପାର୍କିଂ କରୁଥିବାରୁ ସ୍ବାଭାବିକ ଭାବେ ଟ୍ରାଫିକ୍‌ ଭିଡ଼ ହେଉଛି ଏବଂ ସ୍ଥାନୀୟ ଲୋକେ ଯାତାୟାତ ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ବରମୁଣ୍ଡାରୁ ଖଣ୍ଡଗିରି ଛକ ପର୍ଯ୍ୟନ୍ତ ଲମ୍ବିଥିବା ସର୍ଭିସ୍‌ ରୋଡ୍‌ର ଦୈର୍ଘ୍ୟ ପ୍ରାୟ ୨ କିଲୋମିଟର। ଏହି ରାସ୍ତାରେ ଏବେ ବସ୍‌ଗୁଡ଼ିକ ଘଣ୍ଟାଘଣ୍ଟା ଧରି ପାର୍କିଂ କରୁଛନ୍ତି। ଫଳରେ ୨୫ ଫୁଟ୍‌ ଓସାରର ରାସ୍ତା ସଂକୁଚିତ ହୋଇ ମାତ୍ର ୧୦ ଫୁଟ୍‌ ପ୍ରସ୍ଥ ବିଶିଷ୍ଟ ହୋଇଯାଉଛି। ଫଳରେ ଯେଉଁମାନେ ବରମୁଣ୍ଡାରୁ ବାହାରି ଖଣ୍ଡଗିରି ଛକ ଆଡ଼କୁ ଯିବାକୁ ଚାହୁଛନ୍ତି, ସେମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ସେହିପରି ଗାନ୍ଧୀ ଶାନ୍ତିକେନ୍ଦ୍ର ସମ୍ମୁଖ ରାସ୍ତାରୁ ଏନ୍ଏଚ୍‌ ସର୍ଭିସ୍‌ ରୋଡ୍‌, ତପୋବନ ସ୍କୁଲ୍ ରାସ୍ତାରେ ଶହଶହ ବସ୍‌ ପାର୍କିଂ ହେଉଛି। ଫଳରେ ଘାଟିକିଆ, ଖଣ୍ଡଗିରିବାରି, କଳିଙ୍ଗବିହାର ଆଦି ଅଞ୍ଚଳର ଲୋକେ ବରମୁଣ୍ଡାରେ ପହଞ୍ଚିବାକୁ ଯମଯନ୍ତ୍ରଣା ଭୋଗୁଛନ୍ତି। ସେହିଭଳି ବରମୁଣ୍ଡାରୁ ରସୁଲଗଡ଼ ଅଭିମୁଖେ ଯାଉଥିବା ଲୋକେ ଫ୍ଲାଏଓଭର ବ୍ରିଜ୍‌ ତଳେ ପଶି ରାଜ୍‌ ଇଲେକ୍ଟ୍ରୋନିକ୍ସ ସମ୍ମୁଖରେ ଜାତୀୟ ରାଜପଥକୁ ଉଠିବେ। କିନ୍ତୁ ଏହି ସର୍ଭିସ୍‌ ରୋଡ୍‌ରେ ବସ୍‌ଗୁଡ଼ିକ ରହୁଥିବାରୁ ଅନେକ ସମୟରେ ଟ୍ରାଫିକ୍ ସମସ୍ୟା ଉପଜୁଛି। କେତେକ ବସ୍‌ ସେହି ରାସ୍ତା ରହି ରହି ଯାତ୍ରୀ ଉଠାଉଛନ୍ତି। ତେଣୁ କାର୍‌ ଚାଳକମାନଙ୍କଠାରୁ ଆରମ୍ଭ କରି ବାଇକ୍‌ ଓ ଅଟୋ ଚାଳକମାନେ ଭିଡ଼ ଭିତରେ ଫସି ଯାଉଛନ୍ତି। ବଡ଼ କଥା ହେଉଛି ବରମୁଣ୍ଡା, ନାକାଗେଟ୍‌, ଘାଟକିଆ ଅଞ୍ଚଳରୁ ଆସୁଥିବା ଆମ୍ବୁଲାନ୍ସ ମଧ୍ୟ ଏହି ଭିଡ଼ ଭିତରେ ଫସିଯାଉଛି।
ବସ୍‌ ପାର୍କିଂକୁ ନେଇ ଉପୁଜୁଥିବା ଅସନ୍ତୋଷ ସମ୍ପର୍କରେ ବସ୍‌ ମାଲିକ ସଂଘର ସମ୍ପାଦକ ବରଦା ଆଚାର୍ଯ୍ୟଙ୍କ କହିବା କଥା, ବରମୁଣ୍ଡା ଆଇଏସ୍‌ବିଟି କାମ ଚାଲିଥିବାରୁ ଓୟୁଏଟିର ୪ ଏକର ଜାଗାରେ ଅସ୍ଥାୟୀ ବସ୍‌ଷ୍ଟାଣ୍ଡ୍‌ ନିର୍ମାଣ ହୋଇଛି। ହେଲେ ଉକ୍ତ ଜାଗାରେ ସବୁ ବସ୍‌ ରହିବା ପାଇଁ ଯଥେଷ୍ଟ ନୁହେଁ। ଆଇଏସ୍‌ବିଟିର ବିଲ୍‌ଡିଂ କାମ ବେଳେ ସେଠାରେ କିଛି ଗାଡ଼ି ପାର୍କିଂ ହେଉଥିଲା। ଏବେ ସେଠାରେ ଅନ୍ୟାନ୍ୟ କାମ ଆରମ୍ଭ ହୋଇଯାଇଥିବାରୁ ୯୦୦ରୁ ଅଧିକ ବସ୍‌ ରହିବାକୁ ଜାଗା ହେଉନି। ସେହିଭଳି ଅସ୍ଥାୟୀ ବସ୍‌ଷ୍ଟାଣ୍ଡରେ କିଛି ପରିତ୍ୟକ୍ତ ବସ୍‌ ଥିବାରୁ ସମସ୍ୟା ହେଉଛି। ଜାଗା ନଥିବାରୁ ୨୦୦ରୁ ଅଧିକ ବସ୍‌ ସର୍ଭିସ୍‌ ରୋଡ୍ ଓ ଅନ୍ୟାନ୍ୟ ସ୍ଥାନରେ ପାର୍କିଂ କରୁଛନ୍ତି। ଏ ନେଇ ବିଡିଏକୁ ସୂଚନା ଦିଆଯାଇଛି। ବିଡିଏ କର୍ତ୍ତୃପକ୍ଷ ସୁବିଧାଜନକ ସ୍ଥାନ ଯୋଗାଇ ଦେଲେ ଏହି ସମସ୍ୟା ରହିବ ନାହିଁ।

Leave a Reply

Your email address will not be published. Required fields are marked *