Spread the love

ମଣିପୁର ଭାଇରାଲ ଭିଡିଓର ତଦନ୍ତ ଭାର ହାତକୁ ନେଲା CBI। ମଣିପୁରରେ ଦୁଇ ଯୁବତୀଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବା ସହ ଯୌନ ନିର୍ଯାତନା ମାମଲାର ପୂରା ତଦନ୍ତ CBI କରିବ। ରାଜ୍ୟ ସରକାରଙ୍କ ସହ ପରାମର୍ଶ ପରେ ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯାଇଛି।

ମଣିପୁର ଭାଇରାଲ ଭିଡିଓରେ ଯାଞ୍ଚ ଏଜେନ୍ସି ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍(CBI) ଗ୍ରହଣ କରିବ ବୋଲି ଗୃହ ମନ୍ତ୍ରଣାଳୟ ଗୁରୁବାର(ଜୁଲାଇ 27) ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ। ମନ୍ତ୍ରଣାଳୟ ଆହୁରି କହିଥିଲା ଯେ, ମହିଳାଙ୍କ ପ୍ରତି ହେଉଥିବା ଅପରାଧ ପ୍ରତି “ଶୂନ୍ୟ-ସହନଶୀଳତା ନୀତି” ରହିଛି ଏବଂ ମଣିପୁର ବାହାରେ ଏହି ଶୁଣାଣି କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ଗୃହ ସଚିବ ଅଜୟ ଭାଲା ସୁପ୍ରିମକୋର୍ଟରେ ଉପସ୍ଥାପିତ କରିଥିବା ଏକ ଆଫିଡେଭିଟରେ କେନ୍ଦ୍ର କହିଛି, “ମଣିପୁର ସରକାରଙ୍କ ପରାମର୍ଶ ପରେ ଏହି ମାମଲା ସିବିଆଇକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି।”

ମଣିପୁରରେ ଜାତିଗତ ବିବାଦକୁ ନେଇ ମେ’ 3ରେ ବିବାଦ ଦେଖା ଦେଇଥିଲା। ଏହି ବିବାଦ ଦୀର୍ଘ ଦୁଇ ମାସ ଧରି ଚାଲିଥିବା ବେଳେ ଜୁଲାଇ 20 ମୌସୁମୀ ଅଧିବେଶନର ଠିକ୍ ପୂର୍ବ ଦିନ ଏକ ଭିଡିଓ ଭାଇରାଲ୍ ହୋଇଥିଲା। ଯେଉଁ ଭିଡିଓ ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା। ଏହି ଭିଡିଓରେ କୁକି-ଜୋମି ସମ୍ପ୍ରଦାୟର ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବା ସହ ସେମାନଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ଦେଖିବାକୁ ମିଳିଥିଲା। ମାତ୍ର ଏହି ହିଂସାକାଣ୍ଡ ମେ’ 4 ତାରିଖରେ ଘଟିଥିଲା। ଏନେଇ ପୂର୍ବରୁ ମଧ୍ୟ ମାମଲା ରୁଜୁ କରାଯାଇଥିଲା। କିନ୍ତୁ ଦୁଇ ମାସ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବା, ସଂସଦ ମୌସୁମୀ ଅଧିବେଶନର ଦିନକ ପୂର୍ବରୁ ଭିଡିଓ ଭାଇରାଲ୍ ହେବାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅନ୍ୟପଟେ ଏହିପରି ମାମଲା ମଣିପୁରରେ ଗୋଟିଏ ନୁହେଁ, ଏକାଧିକ ମାମଲା ରୁଜୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଆଜି ବିରୋଧୀ ମିଳିତ ମଞ୍ଚ I.N.D.I.Aର 21 ଜଣ ସାଂସଦ ଦୁଇ ଦିନିଆ ମଣିପୁର ଗସ୍ତରେ ବାହାରି ଥିବା ସମୟରେ ଭାଇରାଲ୍ ଭିଡିଓର ତଦନ୍ତ ଭାର ହାତକୁ ନେଇଛି ସିବିଆଇ। ପୂର୍ବରୁ ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ମିଶାଇ 7 ଜଣଙ୍କୁ ଗିରଫ କରିଥିଲା ରାଜ୍ୟ ପୋଲିସ।

Leave a Reply

Your email address will not be published. Required fields are marked *