Spread the love

ନୂଆଦିଲ୍ଲୀ: ଲୋକପ୍ରିୟ ମେସେଜିଂ ଆପ୍ ‘ହ୍ୱାଟସ୍‌ଆପ୍’ ନିଜର ବ୍ୟବସାୟିକ ଅର୍ଥାତ୍ ବିଜନେସ୍ ଆକାଉଣ୍ଟ ପାଇଁ ଦେୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । ଅକ୍ଟୋବର ୧ ତାରିଖରୁ ଭାରତରେ ହ୍ୱାଟସ୍‌ଆପ୍ ବିଜନେସ୍ ମାଧ୍ୟମରେ ଗ୍ରାହକଙ୍କୁ ମେସେଜ୍ ପଠାଇବା ଅଧିକ ମହଙ୍ଗା ହେବ । ମେଟା ପକ୍ଷରୁ ଏହି ନୂଆ ଏବଂ ପରିବର୍ତ୍ତିତ ଦର ଲାଗୁ କରାଯିବା ନେଇ ସୂଚନା ଦିଆଯାଇଛି ।

ବର୍ତ୍ତମାନ ସମୟରେ ଛୋଟ ଦୋକାନୀଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ବ୍ୟାଙ୍କ, ଇ-କମର୍ସ କମ୍ପାନୀ ଏବଂ ବିଭିନ୍ନ ବ୍ରାଣ୍ଡ ନିଜର ଗ୍ରାହକମାନଙ୍କ ସହ ସିଧାସଳଖ ଯୋଗାଯୋଗ କରିବା ପାଇଁ ହ୍ୱାଟସ୍‌ଆପ୍ ଉପରେ ବହୁଳ ଭାବରେ ନିର୍ଭର କରୁଛନ୍ତି । ଗ୍ରାହକଙ୍କୁ ବିଭିନ୍ନ ଅଫର୍ ବିଷୟରେ ଜଣାଇବା, ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ବା ଅର୍ଡର ଟ୍ରାକିଂ ସୂଚନା ଦେବା ଏବଂ ଓଟିପି ବା ଅଥେଣ୍ଟିକେସନ୍ ପଠାଇବା ପରି ସେବା ପାଇଁ କମ୍ପାନୀଗୁଡ଼ିକୁ ହ୍ୱାଟସ୍‌ଆପ୍‌କୁ ଏକ ନିର୍ଦ୍ଦିଷ୍ଟ ଶୁଳ୍କ ଦେବାକୁ ପଡ଼ିଥାଏ । ନୂଆ ନିୟମ ଲାଗୁ ହେବା ପରେ ଏହି ସବୁ ବର୍ଗର ମେସେଜ୍ ପାଇଁ ଥିବା ଖର୍ଚ୍ଚ ଆହୁରି ବଢ଼ିଯିବ, ଯାହାର ସିଧାସଳଖ ପ୍ରଭାବ କମ୍ପାନୀଗୁଡ଼ିକର ପରିଚାଳନା ଖର୍ଚ୍ଚ ଉପରେ ପଡ଼ିବ ।

ତେବେ ସାଧାରଣ ୟୁଜରମାନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି । ବ୍ୟକ୍ତିଗତ ବ୍ୟବହାର, ପରିବାର ଓ ସାଙ୍ଗସାଥୀଙ୍କ ସହ କଥାବାର୍ତ୍ତା ପାଇଁ ହ୍ୱାଟସ୍‌ଆପ୍ ପୂର୍ବଭଳି ସମ୍ପୂର୍ଣ୍ଣ ମାଗଣା ରହିବ । କିନ୍ତୁ ଯେଉଁ ସଂସ୍ଥାଗୁଡ଼ିକ ବିଜନେସ୍ ଏପିଆଇ ଜରିଆରେ ଗ୍ରାହକଙ୍କୁ ବହୁଳ ମାତ୍ରାରେ ପ୍ରମୋସନାଲ୍ ମେସେଜ୍ ପଠାଉଛନ୍ତି, ସେମାନଙ୍କର ଆର୍ଥିକ ବୋଝ ବଢ଼ିବା ନିଶ୍ଚିତ ହୋଇଛି ।

ଭାରତ ହେଉଛି ହ୍ୱାଟସ୍‌ଆପ୍ ପାଇଁ ବିଶ୍ୱର ସବୁଠାରୁ ବଡ଼ ବଜାର, ଯେଉଁଠାରେ ପ୍ରାୟ ୫୦ କୋଟିରୁ ଅଧିକ ସକ୍ରିୟ ୟୁଜର୍ ଅଛନ୍ତି । ମେଟା ବର୍ତ୍ତମାନ ନିଜର ରାଜସ୍ୱ ବୃଦ୍ଧି ଲକ୍ଷ୍ୟରେ ଏଭଳି ପଦକ୍ଷେପ ନେଇଛି ବୋଲି ମାର୍କେଟ ଏକ୍ସପୋର୍ଟ ମତ ରଖିଛନ୍ତି । ଡିଜିଟାଲ୍ ମାର୍କେଟିଂ ବିଶେଷଜ୍ଞଙ୍କ ମତରେ, ଛୋଟ ଏବଂ ମଧ୍ୟମ ଧରଣର ବ୍ୟବସାୟୀ ଯେଉଁମାନେ ସମ୍ପୂର୍ଣ୍ଣ ଭାବରେ ହ୍ୱାଟସ୍‌‌ଆପ୍ ଉପରେ ନିର୍ଭରଶୀଳ, ସେମାନେ ଏହି ନିଷ୍ପତ୍ତି ଦ୍ୱାରା ସର୍ବାଧିକ ପ୍ରଭାବିତ ହେବେ । ଖର୍ଚ୍ଚ ବଢ଼ିଲେ ବାଧ୍ୟ ହୋଇ କିଛି ବ୍ୟବସାୟୀ ମେସେଜ୍ ପରିମାଣ ହ୍ରାସ କରିବେ । ଅନ୍ୟପକ୍ଷରେ ଏହାର ଏକ ସକାରାତ୍ମକ ଦିଗ ମଧ୍ୟ ରହିଛି; ଦେୟ ବଢ଼ିବା କାରଣରୁ କମ୍ପାନୀମାନେ ଅଯଥା ସ୍ପାମ୍ ମେସେଜ୍ କରିବା କମାଇ ଦେବେ , ଯାହାଦ୍ୱାରା ସାଧାରଣ ଗ୍ରାହକମାନେ ଅଦରକାରୀ ମେସେଜ୍ ବିରକ୍ତିରୁ କିଛି ମାତ୍ରାରେ ମୁକ୍ତି ପାଇପାରିବେ ।

Leave a Reply

Your email address will not be published. Required fields are marked *