ତାମିଲନାଡୁ: ତାମିଲନାଡୁରେ ନବଜାତ ଶିଶୁଙ୍କ ପାଇଁ ନୂଆ ଯୋଜନାର ଶୁଭାରମ୍ଭ । ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି ଟିଭିକେ ନେତା ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ । ନବଜାତ ଶିଶୁଙ୍କୁ ମିଳିବ ୧ ଗ୍ରାମର ସୁନା ମୁଦି । ‘ଥାଇମାମନ ଥଙ୍ଗା ମୋଦିରମ’ ଯୋଜନାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ମଦୁରାଇର ସରକାରୀ ରାଜାଜୀ ହସ୍ପିଟାଲରେ ଏହି ଯୋଜନାର ଶୁଭାରମ୍ଭ ହୋଇଛି । ଏକ ସ୍ୱତନ୍ତ୍ର ବିମାନରେ ମଦୁରାଇରେ ପହଞ୍ଚିବା ପରେ ହସ୍ପିଟାଲରେ ପହଞ୍ଚିଥିଲେ CM ବିଜୟ । ଏହି ଅବସରରେ ୨୫ ଜଣ ନବଜାତ ଶିଶୁଙ୍କୁ ୨୨ କ୍ୟାରେଟ୍ର ୧ ଗ୍ରାମ ଓଜନର ସୁନା ମୁଦି ପ୍ରଦାନ କରିଥିଲେ ।
କେବଳ ସୁନା ମୁଦି ପ୍ରଦାନ ନୁହେଁ, ଅନେକ ନବଜାତ ଶିଶୁଙ୍କୁ କୋଳରେ ଧରିଥିଲେ ମୁଖ୍ୟମନ୍ତ୍ରୀ । ମାଆମାନଙ୍କ ଅନୁରୋଧରେ କିଛି ଶିଶୁଙ୍କ କାନରେ ନାମ କହି ନାମକରଣ ମଧ୍ୟ କରିଥିଲେ । ତେବେ ଏହି ଯୋଜନା ପଛରେ ରହିଛି ତାମିଲନାଡୁର ଏକ ପାରମ୍ପରିକ ପ୍ରଥା । ଶିଶୁ ଜନ୍ମ ହେଲେ ମାମୁଁଙ୍କ ପକ୍ଷରୁ ଉପହାର ଦେବାର ପରମ୍ପରା ରହିଛି । ନିର୍ବାଚନ ପ୍ରଚାର ସମୟରେ ବିଜୟ ନିଜକୁ ତାମିଲନାଡୁର ମହିଳାଙ୍କ ଭାଇ ବୋଲି କହିବା ସହ ସରକାରୀ ହସ୍ପିଟାଲରେ ଜନ୍ମ ନେଉଥିବା ପ୍ରତ୍ୟେକ ଶିଶୁଙ୍କୁ ମାମୁଁଙ୍କ ତରଫରୁ ୧ ଗ୍ରାମ ସୁନା ମୁଦି ଦେବାକୁ ଘୋଷଣା କରିଥିଲେ । ପ୍ରଥମ ପର୍ଯ୍ୟାୟରେ ସରକାର ୧ ଲକ୍ଷ ୨୮ ହଜାର ସୁନା ମୁଦି କିଣିଛନ୍ତି । ପ୍ରତ୍ୟେକ ମୁଦିରେ ସ୍ୱତନ୍ତ୍ର ସିରିଏଲ୍ ନମ୍ବର ଖୋଦିତ ହୋଇଛି ।
ଏହି ଯୋଜନା ପାଇଁ ରାଜ୍ୟ ସରକାର ବାର୍ଷିକ ୭୫୫ କୋଟି ୮୩ ଲକ୍ଷ ଟଙ୍କା ଖର୍ଚ୍ଚ ଧାର୍ଯ୍ୟ କରିଛନ୍ତି । ତାମିଲନାଡୁର ସ୍ଥାୟୀ ବାସିନ୍ଦା ମାଆମାନେ, ଯେଉଁମାନେ PICMEରେ ପଞ୍ଜୀକରଣ କରିଛନ୍ତି ଏବଂ RCH ID ପାଇଛନ୍ତି, ସେମାନେ ଏହି ଯୋଜନାର ଲାଭ ପାଇବେ । ସାରା ରାଜ୍ୟରେ ୧୦୭ଟି କେନ୍ଦ୍ର ମାଧ୍ୟମରେ ସୁନା ମୁଦି ପ୍ରଦାନ କରାଯିବ । ପ୍ରତ୍ୟେକ କେନ୍ଦ୍ରରେ ପ୍ରତିଦିନ ୧୦୦ ଜଣ ନବଜାତ ଶିଶୁଙ୍କୁ ମୁଦି ଦେବାର ଲକ୍ଷ୍ୟ ରହିଛି । ଏଭଳି ଭାବେ ନବଜାତଙ୍କୁ ସୁନା ଉପହାର ଦେଇ ନିଜର ଏକ ପ୍ରମୁଖ ନିର୍ବାଚନୀ ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିଛି ତାମିଲନାଡୁ ସରକାର ।