ବ୍ରହ୍ମପୁର: ଗଞ୍ଜାମ ଜିଲାର ଏକାଧିକ ମହିଳାଙ୍କ ନାଁରେ ଦଲାଲ ମାନେ ଋଣ ଉଠାଇ ଲକ୍ଷାଧିକ ଟଙ୍କା ହଡପ କରି ନେଇଛନ୍ତି। ଏପଟେ ସଂପୃକ୍ତ ମାଇକ୍ରୋଫାଇନାନ୍ସ ସଂସ୍ଥା ପକ୍ଷରୁ ଋଣ ପଇଠ ପାଇଁ ମହିଳାଙ୍କୁ ଧମକ ଦିଆଯାଉଛି। ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ କଉଡ଼ିଆ ଓ ଆଖପାଖ ଅଞ୍ଚଳରୁ ଏଭଳି ଠକେଇ ଅଭିଯୋଗ ଆସିଛି। ଠକେଇର ଶିକାର ମହିଳାମାନେ ଆଜି ଗଞ୍ଜାମ ଜିଲାପାଳ ଓ ଛତ୍ରପୁର ଏସ୍ପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି। ଏହି ମହିଳାଙ୍କ ଅଜାଣତରେ କିଛି ଦଲାଲ ବିଭିନ୍ନ ବେଆଇନ ଘରୋଇ ମାଇକ୍ରୋଫାଇନାନ୍ସ ସଂସ୍ଥାରୁ ଲକ୍ଷ ଲକ୍ଷ ଟଙ୍କା ଋଣ ଉଠାଇବା ପରେ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି । ମହିଳାମାନେ ଋଣ ନେଇ ନଥିଲେ ମଧ୍ୟ କିସ୍ତି ପୈଠ ପାଇଁ ସଂସ୍ଥାର କର୍ମଚାରୀମାନେ ଘରକୁ ଆସି ଧମକଚମକ ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଫେରାର ଅଭିଯୁକ୍ତଙ୍କ ସମେତ ଏହି ଜାଲିଆତିରେ ସମ୍ପୃକ୍ତ ଅନ୍ୟମାନଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଓ ଧମକଚମକ ଦେବା ବନ୍ଦ କରିବାକୁ ଦାବି କରିଛନ୍ତି।