ତାମିଲନାଡ଼ୁର କୃଷ୍ଣଗିରି ଜିଲ୍ଲାରେ ଶନିବାର ଏକ ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୮ ଜଣଙ୍କର ପ୍ରାଣବାୟୁ ଉଡ଼ିଯାଇଥିବା ବେଳେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଅଗ୍ନିଶମ ଅଧିକାରୀଙ୍କ ସୂଚନା ମୁତାବକ, ଗୋଦାମରେ ଆହୁରି ୫ ଜଣ ଲୋକ ଫସି ରହିଛନ୍ତି। ଜିଲ୍ଲା ପୋଲିସ ସହାୟତାରେ ଅଗ୍ନିଶମ ଏବଂ ରେସ୍କ୍ୟୁ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।
କୁହାଯାଉଛି ଯେ ବିସ୍ଫୋରଣ ଏତେ ଜୋରଦାର ଥିଲା ଯେ ଆଖପାଖର କୋଠାଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ରିପୋର୍ଟ ମୁତାବକ, ନିକଟରେ ଥିବା ଏକ ହୋଟେଲର ବିଲ୍ଡିଂ ଏହି ବିସ୍ଫୋରଣରେ ଭୁଶୁଡ଼ି ପଡ଼ିଥିବା ବେଳେ ଆଉ ୪ଟି କୋଠା ଆଂଶିକ ରୂପେ କ୍ଷତିଗ୍ରସ୍ତ ହୋଇଛି।
ପୋଲିସ ସୂଚନା ଅନୁସାରେ, ବିସ୍ଫୋରଣରେ ଗୁରୁତର ଆହତ ଥିବା ୧୨ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି। ଆହତମାନଙ୍କର ପରିଚୟ ଏ ପର୍ଯ୍ୟନ୍ତ ମିଳିପାରି ନାହିଁ।