Spread the love

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଦ୍ୱାରା କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର ଅପବ୍ୟବହାର ଅଭିଯୋଗରେ ୧୪ ବିରୋଧୀ ଦଳ ଏକାଠି ହୋଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆସନ୍ତା ଏପ୍ରିଲ ୫ରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାର ଶୁଣାଣି କରିବେ। ତେବେ ଏହି ୧୪ ଦଳରେ ଓଡ଼ିଶାର ଆଞ୍ଚଳିକ ଦଳ ବିଜେଡି ସାମିଲ ହୋଇ ନାହିଁ। ଏହି ୧୪ ଦଳ ପକ୍ଷରୁ କୁହାଯାଇଛି ଯେ, କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଏବଂ ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ(ଇଡି) ଭଳି ଏଜେନ୍ସି କେବଳ ବିଜେପିର ବିରୋଧୀଙ୍କୁ ଟାର୍ଗେଟ କରୁଛି। ଯଦି କୌଣସି ନେତା ବିଜେପିରେ ମିଶନ୍ତି ତେବେ ସେମାନଙ୍କ ବିରୋଧରେ ମାମଲା ଛାଡି ଦିଆଯାଏ କିମ୍ବା ରଦ୍ଦ କରିଦିଆ ଯାଏ। ଏହି ଅଭିଯୋଗକୁ ବିଜେପି ଖଣ୍ଡନ କରି ଏଜେନ୍ସିଗୁଡ଼ିକ ସ୍ୱାଧୀନ ଭାବେ କାର୍ଯ୍ୟ କରୁଥିବା କହିଛି।
ବିରୋଧୀଙ୍କ ଅଭିଯୋଗକୁ ବିଜେପି ଅସ୍ୱୀକାର କରିଛି। ୫ ଏପ୍ରିଲରେ ଏହି ମାମଲାର ଶୁଣାଣି ହେବ। ବିରୋଧୀ ଦଳ ପକ୍ଷରୁ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭି ଏହି ମାମଲାକୁ ପ୍ରଧାନ ବିଚାରପତିଙ୍କ ନିକଟରେ ରଖିଥିଲେ। ସେ କହିଛନ୍ତି, ଆମେ କୌଣସି ବିଚାରାଧୀନ ମାମଲାରେ ହସ୍ତକ୍ଷେପ ଚାହୁଁ ନାହୁଁ, କିନ୍ତୁ ଗିରଫ ଏବଂ ଜାମିନ ପାଇଁ କୋର୍ଟ ନିର୍ଦ୍ଦେଶାବଳୀ ସ୍ଥିର କରିବା ଉଚିତ। ବିରୋଧୀ ଦଳର ନେତାଙ୍କୁ ନିରନ୍ତର ଟାର୍ଗେଟ କରାଯାଉଛି। ସେହିପରି କାହାକୁ ଗିରଫ ପୂର୍ବରୁ ବା ପରେ କେନ୍ଦ୍ରୀୟ ଏଜେନ୍ସିକୁ ଗାଇଡ୍‌ଲାଇନ୍‌ ଫଲୋ କରିବାକୁ ଶ୍ରୀ ସିଂଘଭି ଆବେଦନ କରିଛନ୍ତି।
ସୁପ୍ରିମକୋର୍ଟରେ ଏହି ମାମଲା ଦାୟର କରିଥିବା ଦଳଗୁଡ଼ିକ ମଧ୍ୟରେ କଂଗ୍ରେସ, ତ୍ରୁଣମୂଳ କଂଗ୍ରେସ, ଆମ୍ ଆଦମୀ ପାର୍ଟି, ଜନତା ଦଳ-ୟୁନାଇଟେଡ୍, ଭାରତ ରାଷ୍ଟ୍ର ସମିତି(ବିଆରଏସ), ରାଷ୍ଟ୍ରିୟ ଜନତା ଦଳ(ଆରଜେଡି), ସମାଜବାଦୀ ପାର୍ଟି, ଶିବସେନା (ଉଦ୍ଧବ ଠାକରେଙ୍କ ଦଳ), ଜାତୀୟ କନଫରେନ୍ସ, ବାମପନ୍ଥୀ ଏବଂ ଡିଏମକେ ଭଳି ଦଳ ଅଛନ୍ତି । ତେବେ ଏଥିରେ ବିଜେଡି ସାମିଲ ହୋଇ ନାହିଁ।
ଆପସୂତ୍ର ଅନୁଯାୟୀ, ଦଳଗୁଡ଼ିକୁ ଏକାଠି କରିବାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କର ପ୍ରମୁଖ ଭୂମିକା ରହିଛି। ଦିଲ୍ଲୀର ପୂର୍ବତନ ଡେପୁଟି ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗତ ମାସରେ ସିବିଆଇ ଏବଂ ପରେ ଇଡି ଗିରଫ କରିଥିଲା।

Leave a Reply

Your email address will not be published. Required fields are marked *