ଉତ୍ତରପ୍ରଦେଶ : ଦେଶରେ ଲଗାତାର ହେଉଥିବା ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ୟୁପି ଆଗ୍ରାରେ ଲଗାତାର ହେଉଥିବା ବର୍ଷା ଯୋଗୁଁ ଦୁଇ ମହଲା ବିଲିଡିଂ ଭୁଶୁଡ଼ି ପଡିଛି । ଘଟଣା ଥାନା ଛତ୍ତା ଅଞ୍ଚଳରେ ବେଲନଗଂଜ ବଜାରରେ ହୋଇଛି । ବିଲିଡିଂ ଭୁଶୁଡିବା ଯୋଗୁଁ ଆଖପାଖରେ ଆତଙ୍କ ଖେଳିଯାଇଥିଲା । ବିଲିଡିଂ ଭୁଶୁଡିବା ବେଳେ ଆଖପାଖରେ ଅନେକ ଲୋକ ଯିବାଆସିବା କରୁଥିଲେ । ଏମାନେ ବିଲିଡିଂ ଭୁଶୁଡିବା ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିଲେ ।
ଖବର ମୁତାବକ, ଛତ୍ତା ଥାନା ଅନ୍ତର୍ଗତ ବେଲନଗଂଜ ବଜାରରେ ଥିବା ଭଙ୍ଗାରୁଜା ଘର ପ୍ରବଳ ବର୍ଷା ଯୋଗୁଁ ଭାଙ୍ଗିଯାଇଛି । ଯାହାର ଭିଡିଓ ଭାଇରଲ ହେଉଛି । ବିଲିଡିଂ ଭୁଶୁଡିବା ଯୋଗୁଁ ଆଖାପାଖରେ ଧୂଳିଧୂସରେ ପୂର୍ଣ୍ଣ ହୋଇଛି । ଏହି ସ୍ଥାନ ନିତିଦିନିଆ ବ୍ୟସ୍ତ ରାସ୍ତା । ବିଲିଡିଂ ଭୁଶୁଡିବା ଜାଣିବା ପରେ ଲୋକମାନେ ଭୟରେ ଦୌଡିଥିଲେ । ଅନେକ ଲୋକ ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଭୁଶୁଡ଼ି ଥିବା ବିଲିଡିଂ ବହୁତ ପୁରୁଣା ଏବଂ ଭାଙ୍ଗିରୁଜିଥିବା ଅବସ୍ଥାରେ ରହିଛି । ବର୍ଷା ଯୋଗୁଁ ବିଲିଡିଂ ଭୁଶୁଡି ପଡିଛି । ତେବେ ବିଲିଡିଂ ଭୁଶୁଡ଼ିବା ଯୋଗୁଁ କାହାର କିଛି କ୍ଷତି ହୋଇନାହିଁ । ତେବେ ପ୍ରବଳ ବର୍ଷା ଯୋଗୁଁ ପୁରୁଣା ବିଲିଡିଂ ପ୍ରତି ବିପଦ ଦେଖାଦେଇଛି । ସହରରେ ଥିବା ଏଭଳି ବିପଦପୂର୍ଣ୍ଣ ବିଲିଡିଂରୁ ଲୋକମାନଙ୍କୁ ହଟାଯାଉଛି ।