Spread the love

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ କଂଗ୍ରେସ ନେତା ରାହୁଲ ଗାନ୍ଧି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କୁ ୨ ବର୍ଷ ଜେଲ ଦଣ୍ଡ ହୋଇଛି। ଏହାକୁ ନେଇ କଂଗ୍ରେସ ତାତିଛି। ରାହୁଲଙ୍କ ପ୍ରସଙ୍ଗରେ କଂଗ୍ରେସ ମଧ୍ୟ କହିଛି ବଦଲା ନେବ। ୨୦୧୮ରେ ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ବୟାନକୁ ନେଇ କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀ ପ୍ରତିଶୋଧ ନେବେ ବୋଲି ଚେତାବନୀ ଦେଇଛନ୍ତି। ୨୦୧୮ରେ ସଂସଦରେ ମୋଦି ଦେଇଥିବା ସୁର୍ପଣଖା ମନ୍ତବ୍ୟ ଲାଗି ତାଙ୍କ ନାମରେ କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀ ମାନହାନି ମାମଲା ଦାଏର କରିବେ ବୋଲି କହିଛନ୍ତି। ମୋଦୀ ସୁର୍ପଣଖା କଥା କହୁଥିବା ସଂସଦୀୟ ଅଧିବେଶନର ଗୋଟିଏ ପୁରୁଣା ଭିଡିଓ କ୍ଲିପ୍‌ ଟ୍ୱିଟ୍‌ କରି ରେଣୁକା ଲେଖିଛନ୍ତି: ଦେଖିବା, ଅଦାଲତ ଏବେ କେତେ ତତ୍ପରତା ପ୍ରକାଶ କରୁଛି । ସଂସଦୀୟ ଅଧିବେଶନର ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦି ରେଣୁକାଙ୍କ ନାମ ଉଲ୍ଲେଖ ନ କରି ତାଙ୍କ ହସକୁ ଧାରାବାହିକ ରାମାୟଣର ଚରିତ୍ର ସୁର୍ପଣଖାର ଅଟ୍ଟହାୟସ୍ୟ ସହିତ ତୁଳନା କରିଥିଲେ।
ଧାରାବାହିକ ରାମାୟଣ ପ୍ରସାରଣ କରାଯିବାର ବହୁବର୍ଷ ଅତିକ୍ରାନ୍ତ ହେବା ପରେ ଏ ପ୍ରକାର ହସ ଶୁଣିବାକୁ ମିଳିଲା କହି ମୋଦି କଟାକ୍ଷ କରିଥିଲେ। ତେଣୁ ରେଣୁକା ଚୌଧୁରୀଙ୍କୁ କହିବାକୁ ଅନୁମତି ଦିଆଯାଉ ବୋଲି ମ‌ୋଦି ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଅନୁରୋଧ କରିଥିଲେ।
ରେଣୁକା କହିଛନ୍ତି, ଗୃହରେ ମୋତେ ହିଁ ସୁର୍ପଣଖା ବୋଲି ଦର୍ଶାଇ କଦର୍ଯ୍ୟ ମନ୍ତବ୍ୟ ଦିଆଯାଇଥିଲା। ମୁଁ ତାଙ୍କ ନାଁରେ ମାନହାନି ମୋକଦ୍ଦମା କରିବି। ଦେଖିବା, ଏହି ମାମଲାକୁ ଅଦାଲତ କେତେ ଗୁରୁତର ସହ ନେଉଛନ୍ତି। ସୂଚନା ଅନୁଯାୟୀ, ଗୁଜରାଟ ସୁରତ ସହରର ଏକ ଅଦାଲତ ଗୁରୁବାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ‘ମୋଦୀ’ ସାଙ୍ଗିଆ ଉପରେ କଟୁ ମନ୍ତବ୍ୟ ଦେବା ପାଇଁ ତାଙ୍କ ବିରୋଧରେ ଦାୟର ହୋଇଥିବା ଅପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥିସହ ୨ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅବଶ୍ୟ ଏହାପରେ ରାହୁଲଙ୍କୁ ୩୦ ଦିନ ଜାମିନ ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ସେ ଏହି ରାୟ ବିରୋଧରେ ଉପର କୋର୍ଟରେ ଆବେଦନ କରିପାରିବେ।
‘ସବୁ ଚୋରଙ୍କ ପାଖରେ ମୋଦୀ ସାଙ୍ଗିଆ କେମିତି ଅଛି’? ରାହୁଲ ଗାନ୍ଧୀ ଏକ ନିର୍ବାଚନୀ ସଭାରେ ଏପରି କହିବା ପରେ ବିଜେପି ବିଧାୟକ ତଥା ଗୁଜରାଟର ପୂର୍ବତନ ମନ୍ତ୍ରୀ ପୂର୍ଣ୍ଣେଶ ମୋଦୀ ଗାନ୍ଧୀଙ୍କ ମନ୍ତବ୍ୟ ପାଇଁ ତାଙ୍କ ବିରୋଧରେ ଏକ ମାନହାନି ମାମଲା ଆଗତ କରିଥିଲେ। ପୂର୍ବରୁ ରାହୁଲ ଗାନ୍ଧୀ ଏହି ମାମଲାରେ ନିଜକୁ ଦୋଷୀ ବୋଲି ସ୍ୱୀକାର କରିଥିଲେ ମଧ୍ୟ ଅଦାଲତ ତାଙ୍କୁ ଅପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *