Spread the love

ସମ୍ବଲପୁର : ‘ନିଟ୍’ ବିବାଦକୁ କେନ୍ଦ୍ର କରି ରାଜ୍ୟରେ ବିଜୁ ଜନତା ଦଳ ଏବଂ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ତୀବ୍ର ହେବାରେ ଲାଗିଛି । ଶନିବାର ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ପ୍ରଧାନ ନିଜ ବିରୋଧରେ ହେଉଥିବା ‘ଗୋ-ବ୍ୟାକ୍’ ନାରାକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି. । ଏହାର କଡ଼ା ଜବାବ ଦେଇ ବିଜେଡି କହିଛି ଯେ, ଧର୍ମେନ୍ଦ୍ରଙ୍କୁ କେହି ବଦନାମ କରୁନାହାନ୍ତି, ବରଂ ନିଜ କର୍ମ ପାଇଁ ସେ ନିଜେ ହିଁ ବଦନାମ ହୋଇଛନ୍ତି ।

ରେଢ଼ାଖୋଲରେ କେନ୍ଦ୍ରୀୟ ବିଦ୍ୟାଳୟ କ୍ୟାମ୍ପସର ଶିଳାନ୍ୟାସ ସମାରୋହରେ ଯୋଗଦେଇ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ସେ କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ୧୨ ବର୍ଷ ଧରି ରହିବା ଭିତରେ ଓଡ଼ିଶା କିମ୍ବା ସାଢ଼େ ୪ କୋଟି ଓଡ଼ିଆଙ୍କ ମୁଣ୍ଡ ତଳକୁ ହେବା ଭଳି କୌଣସି କାମ କରିନାହାନ୍ତି । ତଥାପି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ତାଙ୍କୁ ଜଣେ ‘ଖଳ ପ୍ରକୃତିର ମଣିଷ’ ବୋଲି କହୁଛନ୍ତି ।

ତାଙ୍କ ବିରୋଧରେ ହେଉଥିବା ପ୍ରଦର୍ଶନକୁ ଇଙ୍ଗିତ କରି ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, “ନବୀନ ବାବୁ ନିଜ ଦଳର ଦୁଇ ଜଣ ଯୁବ ନେତାଙ୍କୁ ଲଗାଇ ମୋ ବିରୋଧରେ ‘ଗୋ-ବ୍ୟାକ୍’ ଅଭିଯାନ ଚଳାଇଛନ୍ତି । ମୁଁ ଜଣେ ଚାଷୀର ପୁଅ। ଓଡ଼ିଶା ମୋର ଘର ଏବଂ ସମ୍ବଲପୁର ମୋର କର୍ମଭୂମି। ଯଦି ଆପଣ ମୋତେ ଫେରିଯିବାକୁ କହିବେ, ତେବେ ମୁଁ କୁଆଡ଼େ ଯିବି? ମୋତେ ଗୋ-ବ୍ୟାକ୍ କହିଲେ ବି ମୁଁ ବାରମ୍ବାର ଏଠାକୁ ଆସିବି ।”

ଏହି କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ରଙ୍କ ସହ ମଞ୍ଚାସୀନ ଥିଲେ ବିଜେଡି ବିଧାୟକ ତଥା ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ । ଏହାକୁ ନେଇ ଧର୍ମେନ୍ଦ୍ର ପ୍ରଧାନ କଟାକ୍ଷ କରି କହିଥିଲେ, “ମୁଁ ପ୍ରସନ୍ନ ଭାଇଙ୍କ ଅନୁମତି ନେଇ ରେଢ଼ାଖୋଲ ଆସିଛି, ସେ ମୋତେ ଭଲ ପାଆନ୍ତି । କିନ୍ତୁ ତାଙ୍କ ଦଳର ସଭାପତି ନବୀନ ବାବୁ ମୋତେ ଖରାପ ଲୋକ ବୋଲି ଭାବୁଛନ୍ତି ।”

ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ମନ୍ତବ୍ୟ ପରେ ବିଜେଡିର ବରିଷ୍ଠ ନେତା ତଥା ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ରୋହିତ ପୂଜାରୀ ପାଲଟା ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ, ନବୀନ ପଟ୍ଟନାୟକ କାହିଁକି ଧର୍ମେନ୍ଦ୍ରଙ୍କୁ ବଦନାମ କରିବାକୁ ଚାହିଁବେ? ନିଟ୍ (NEET) ପରୀକ୍ଷା ପରିଚାଳନାରେ ବିଫଳତା ପାଇଁ ସେ ନିଜେ ହିଁ ନିଜକୁ ବଦନାମ କରିଛନ୍ତି ।

ରୋହିତ ପୂଜାରୀ କହିଥିଲେ, “ସାରା ଦେଶ ଜାଣିଛି ଯେ କେବଳ ତାଙ୍କରି ପାଇଁ ୨୧ ଜଣ ପିଲା ଆତ୍ମହତ୍ୟା କଲେ। ପରୀକ୍ଷା ଦେଇଥିବା ୨୨ ଲକ୍ଷ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପାଖାପାଖି ୨୧ ଲକ୍ଷ ପିଲା ଏବେ ମାନସିକ ଚାପରେ ଅଛନ୍ତି। ଦିଲ୍ଲୀରେ ନ୍ୟାୟ ମାଗୁଥିବା ଛାତ୍ରଛାତ୍ରୀଙ୍କ ଉପରେ ପୋଲିସ ଲଗାଇ ଅତ୍ୟାଚାର କରାଗଲା, ଛାତ୍ରୀମାନଙ୍କୁ ହଇରାଣ କରାଗଲା ଏବଂ ପେଲେଟ୍ ଗନ୍ ବ୍ୟବହାର କରାଗଲା। କେନ୍ଦ୍ର ସରକାରଙ୍କ ଏଭଳି କାର୍ଯ୍ୟାନୁଷ୍ଠାନ ହିଁ ତାଙ୍କ ଭାବମୂର୍ତ୍ତିକୁ ନଷ୍ଟ କରିଛି।”

ସୂଚନାଯୋଗ୍ୟ ଯେ, ଶୁକ୍ରବାର ଦିନ ଭୁବନେଶ୍ୱର ବିମାନବନ୍ଦରରେ ଧର୍ମେନ୍ଦ୍ର ପ୍ରଧାନ ପହଞ୍ଚିବା ବେଳେ ବିଜେଡି ଛାତ୍ର ଶାଖା ପକ୍ଷରୁ ତାଙ୍କୁ ତୀବ୍ର ବିରୋଧ କରାଯିବା ସହ ‘ଗୋ-ବ୍ୟାକ୍’ ନାରା ଦିଆଯାଇଥିଲା। ଏହା ପୂର୍ବରୁ ନିଟ୍ ବିବାଦ ଓ ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ନବୀନ ପଟ୍ଟନାୟକ ତାଙ୍କର ଇସ୍ତଫା ଦାବି କରିଥିଲେ । ଶନିବାର ସମ୍ବଲପୁର ଗସ୍ତ ସମୟରେ ମଧ୍ୟ ଏହି ବିରୋଧ ଆଶଙ୍କା କରି ପୋଲିସ ପକ୍ଷରୁ ପ୍ରାୟ ୩୦ ଜଣ ବିଜେଡି କର୍ମୀଙ୍କୁ ଅଟକ ରଖାଯାଇଥିଲା ।

Leave a Reply

Your email address will not be published. Required fields are marked *