Spread the love

ନୂଆଦିଲ୍ଲୀ : ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହର ପତ୍ତା ୭ ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ୍‌ ଏଯାଏ ପାଇନାହିଁ। ପଞ୍ଜାବର ଜଲନ୍ଧରରୁ ଖସିଯିବା ପରେ ସେ ହରିଆଣାରେ ଆତ୍ମଗୋପନ କରିଥିଲା। ଏବେ ସେ ଦିଲ୍ଲୀ ଅଭିମୁଖେ ବାହାରିଥିବା ପୁଲିସ୍‌ ସୂତ୍ରରୁ ଖବର ମିଳିଛି।
ବର୍ତ୍ତମାନ ପଞ୍ଜାବରେ ନଥିବା ଅମ୍ରିତପାଲକୁ ଶେଷଥର ପାଇଁ ହରିଆଣାରେ ଦେଖିବାକୁ ମିଳିଥିଲା। ହରିଆଣାରୁ ସେ କୌଶଳକ୍ରମେ ଦେଶର ରାଜଧାନୀ ଦିଲ୍ଲୀ ଆସୁଥିବା ଜଣାପଡ଼ିଛି। ଏହି ଖବର ମିଳିବା ପରେ ଦିଲ୍ଲୀର ସବୁ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
ଏହାବାଦ ମହାରାଷ୍ଟ୍ର ସମେତ ସେ ଉତ୍ତରାଖଣ୍ଡ ଯାଇପାରେ ବୋଲି ଆଶଙ୍କା କରାଯାଉଛି। ବର୍ତ୍ତମାନ ବେଶ ବଦଳାଇ ସାରିଥିବା ଅମ୍ରିତପାଲକୁ ଧରିବା ପାଇଁ ଦିଲ୍ଲୀ ଓ ମହାରାଷ୍ଟ୍ର ବ୍ୟତୀତ ଉତ୍ତରାଖଣ୍ଡର ଡେରୁଡୁନ, ହରିଦ୍ୱାରା ଓ ଉଦ୍ଧମ ସିଂହ ନଗରରେ ଆଲର୍ଟ ଜାରି କରାଯାଇଛି। ପୁଲିସ୍‌ ଅଧିକାରୀଙ୍କ କହିବା କଥା ଯେ ପଞ୍ଜାବରୁ ଖସିଯିବା ପରେ ଅମ୍ରିତପାଲ ସିଂହ ହରିଆଣାର କୁରୁକ୍ଷେତ୍ରରେ ରହିଥିଲା। ସେ ଓ ତା’ର ସହଯୋଗୀ ପାପଲପ୍ରୀତ ସିଂହ ସେଠାରେ ଜଣେ ମହିଳାଙ୍କ ଘରେ ରହିଥିଲେ। ଉକ୍ତ ମହିଳାଙ୍କୁ ପୁଲିସ୍‌ ଗିରଫ କରିଛି।
ସେଠାରୁ ଖସି ଯିବା ପରେ ଅମ୍ରିତପାଲ ବିଭିନ୍ନ ରାଜ୍ୟକୁ ଯିବା ପାଇଁ ଉଦ୍ୟମ ଆରମ୍ଭ କରିଛି। ସେହିପରି ସେ ନେପାଳ ଖସିଯିବାକୁ ମଧ୍ୟ ପ୍ରସ୍ତୁତ ହେଉଛି। କିନ୍ତୁ ସୁରକ୍ଷାକର୍ମୀ ଭାରତ-ନେପାଳ ସୀମାରେ ଅମ୍ରିତପାଲର ଫଟୋ ମାରି ସମସ୍ତଙ୍କୁ ସତର୍କ ରହିବାକୁ କହିଛନ୍ତି।
ଗତକାଲି ଗୋଟିଏ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲେ। ଉକ୍ତ ଭିଡିଓରେ ଅମ୍ରିତପାଲ ଛତା ଦ୍ୱାରା ନିଜ ମୁହଁକୁ ଲୁଚାଇ ରାସ୍ତାରେ ଚାଲି ଚାଲି ଯାଉଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା। ମହିଳାଙ୍କ ଘରୁ ଯିବା ବେଳେ ସିସିଟିଭିରୁ ବର୍ତ୍ତିବା ପାଇଁ ଅମ୍ରିତପାଲ ଛତାର ବ୍ୟବହାର କରିଥିଲା।
୭ ଦିନ ହେଲା ଅମ୍ରିତପାଲକୁ ପଞ୍ଜାବ ପୁଲିସ୍‌ ସହ କେନ୍ଦ୍ରୀୟ ସୁରକ୍ଷାବଳ ଖୋଜିବା ପରେ ଲାଗିଛନ୍ତି। କିନ୍ତୁ ଜଲନ୍ଧରରୁ ପୁଲିସ୍‌କୁ ଚକମା ଦେଇଥିବା ଅମ୍ରିତପାଲକୁ ଧରିବାକୁ କେହି ବି ସକ୍ଷମ ହୋଇନାହାନ୍ତି।

Leave a Reply

Your email address will not be published. Required fields are marked *