Spread the love

ନୂଆଦିଲ୍ଲୀ: ରାହୁଲ୍‌ ଗାନ୍ଧୀଙ୍କର ଅହଂଭାବ ପ୍ରବଳ, କିନ୍ତୁ ବିଚାର-ବୁଦ୍ଧି ନାହିଁ, ତେଣୁ ଅଦାଲତଙ୍କ ଆଦେଶ ସତ୍ତ୍ବେ ସେ ‘ମୋଦୀ’ ସାଙ୍ଗିଆ ମନ୍ତବ୍ୟ ପାଇଁ କ୍ଷମାଭିକ୍ଷା ନ କରି ‘ଓବିସି’ ସମ୍ପ୍ରଦାୟଙ୍କୁ ଅପମାନିତ କରିଛନ୍ତି ବୋଲି ଆଜି ‘ବିଜେପି’ ଅଧ୍ୟକ୍ଷ ଜେ. ପି. ନଡ୍ଡା କହିଛନ୍ତି।
ଏକାଧିକ ‘ଟୁଇଟ୍‌’ କରି ସେ ଲେଖିଛନ୍ତି: ରାହୁଲ୍‌ ଗାନ୍ଧୀଙ୍କ ଅହଙ୍କାର ଅତି ପ୍ରବଳ କିନ୍ତୁ, ବିଚାର-ବୁଦ୍ଧି ନାହିଁ। ରାଜନୈତିକ ଫାଇଦା ଲାଗି ସେ ସମଗ୍ର ‘ଓବିସି’ ସମ୍ପ୍ରଦାୟକୁ ଅପାମାନ ଦେଇଛନ୍ତି। ସେ ସେମାନଙ୍କୁ ଚୋର ବୋଲି କହିଛନ୍ତି। ସାମାଜ ଏବଂ ଅଦାଲତ ବୁଝାଇବା ସହିତ କ୍ଷମାଭିକ୍ଷା କରିବା ପାଇଁ ଦେଇଥିବା ବିକଳ୍ପକୁ ବି ସେ ହେୟଜ୍ଞାନ କରି ବାରମ୍ବାର ‘ଓବିସି’ ସମ୍ପ୍ରଦାୟଙ୍କ ଭାବାବେଗକୁ ଆଘାତ କରୁଛନ୍ତି।
ନଡ୍ଡା କହିଛନ୍ତି, ରାହୁଲ୍‌ ଗାନ୍ଧୀ ସବୁବେଳେ ସତ୍ୟତା ନ ଥିବା କପୋଳକଳ୍ପିତ ଅଭିଯୋଗ କରନ୍ତି। ‘ରାଫେଲ୍‌’ ଏବଂ ‘ଚୌକିଦାର-ଚୋର୍‌’ ମନ୍ତବ୍ୟକୁ ଦର୍ଶାଇ ନଡ୍ଡା ପୁଣି କହିଛନ୍ତି, ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ‘ରାଫେଲ୍‌’ ନାଁରେ ସେ ଦେଶବାସୀଙ୍କୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରିଥିଲେ। ସେଥିପାଇଁ ମାନ୍ୟବର ସୁପ୍ରିମ୍‌ କୋର୍ଟ ତାଙ୍କୁ ଭର୍ତ୍ସନା କରିଥିଲେ ଓ ସେ ନିଃସର୍ତ୍ତ କ୍ଷମାଭିକ୍ଷା କରିଥିଲେ।
ସେହିପରି, ‘ଚୌକିଦାର ଚୋର୍‌ ହୈ’ ସ୍ଲୋଗାନ୍‌ ଦେଇ ରାହୁଲ୍‌ ମଧ୍ୟ ଗୋଳମାଳିଆ ପରିସ୍ଥିତି ସୃଷ୍ଟି କରିଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ‘କଂଗ୍ରେସ ୱାର୍କିଙ୍ଗ୍‌ କମିଟି’ ମଧ୍ୟ ଏଥିରେ ଆପତ୍ତି କରିଥିଲା। ଏହି ସ୍ଲୋଗାନ୍‌ ପାଇଁ ଜନତା ଜନାର୍ଦ୍ଦନଙ୍କ ଅଦାଲତ ରାହୁଲ୍‌ ଗାନ୍ଧୀଙ୍କୁ ତୀବ୍ର ଭର୍ତ୍ସନା କରିଥିଲେ ଓ ୨୦୧୯ ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଥିଲା ବୋଲି ‘ଟୁଇଟ୍‌’ କରି ନଡ୍ଡା ଲେଖିଛନ୍ତି।
ଉଲ୍ଲେଖଯୋଗ୍ୟ, ‘ମୋଦୀ’ ସାଙ୍ଗିଆ ମାନହାନି ମାମଲାରେ ଗୁରୁବାର ଦିନ ସୁରତ ଜିଲ୍ଲା ଅଦାଲତ ରାହୁଲ୍‌ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ଓ ୧୫୦୦୦ ଟଙ୍କା ଜରିମାନା କରିଛନ୍ତି। ‘ସବୁ ଚୋର କାହିଁକି ମୋଦୀ ସାଙ୍ଗିଆ ବହନ କରିଛନ୍ତି’ ବୋଲି ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକର କୋଲାର୍‌ଠାରେ ଆୟୋଜିତ ରାଲିରେ ଉଦ୍‌ବୋଧନ ଦେବା ବେଳେ ରାହୁଲ୍‌ ଗାନ୍ଧୀ ‘ମୋଦୀ’ ସାଙ୍ଗିଆକୁ ବିଦ୍ରୂପ କରି ଏଭଳି ଅସମ୍ମାନଜନକ ମନ୍ତବ୍ୟ ଦେଇଥିଲେ।

Leave a Reply

Your email address will not be published. Required fields are marked *