ଭୁବନେଶ୍ୱର : ଅମାନିଆ ଗାଡି ଚାଳକଙ୍କୁ ଆଉ ତ୍ରାହିଁ ନାହିଁ । ବିନା ଇନସ୍ୟୁରାନ୍ସ, ପଲ୍ୟୁସନ ସାର୍ଟିଫିକେଟ୍ ନଥାଇ ଗାଡି ଚଳାଇଲେ ଏଣିକି କଡା କାର୍ଯ୍ୟାନୁଷ୍ଠାନ । ଯେଉଁସବୁ ଗାଡ଼ିର ବୀମା ନଥିବ ଏବଂ ବାରମ୍ବାର ଜରିମାନା ଚାଲାଣ କଟୁଥିବା ସତ୍ତ୍ୱେ ବୀମା କରୁନଥିବେ ସେହିସବୁ ଗାଡ଼ିଗୁଡ଼ିକୁ ଜବତ କରାଯିବ ବୋଲି ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶନମା ଜାରି କରାଯାଇଛି । ରାଜ୍ୟରେ ୬୫ଲକ୍ଷ ୭୩ ହଜାର ୬୩୩ଟି ଗାଡ଼ିର ବୈଧ ବୀମା ନଥିବା ଜଣାପଡ଼ିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମୋଟର ଯାନ ନିୟମର ସମ୍ପୂର୍ଣ୍ଣ କାର୍ଯ୍ୟକାରିତା ସୁନିଶ୍ଚିତ କରିବାକୁ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଯେଉଁଗାଡ଼ିର ବୀମା ନଥିବ ସେମାନଙ୍କୁ ପେଟ୍ରୋଲ ଏବଂ ଡିଜେଲ୍ ନଦେବାକୁ ଆଦେଶରେ କୁହାଯାଇଥିଲା । ପ୍ରତ୍ୟେକ ରାଜ୍ୟ ସରକାର ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ଲାଗି ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ଏହି ଆଦେଶ ଆସିବା ପରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓଡ଼ିଶାରେ ଏହିଭଳି ଗାଡ଼ିଗୁଡ଼ିକୁ ଜବତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହିକ୍ରମରେ ଇ-ଡିଟେକ୍ସନ ମାଧ୍ୟମରେ ରାଜ୍ୟର ସମସ୍ତ ଟୋଲଗେଟ୍ ଦେଇ ଯାତାୟାତ କରୁଥିବା ଯାନବାହନର ବୈଧ ବୀମା,ଫିଟନେସ,ପ୍ରଦୂଷଣ ପ୍ରମାଣପତ୍ର ଇତ୍ୟାଦି କାଗଜପତ୍ର ସ୍ବୟଂକ୍ରିୟ ପଦ୍ଧତିରେ ଯାଞ୍ଚ କରାଯିବ। ଯେଉଁ ଗାଡ଼ିଗୁଡ଼ିକର ବୈଧ କାଗଜପତ୍ର ନଥିବ,ସେଗୁଡ଼ିକ ବିରୋଧରେ ସଙ୍ଗେସଙ୍ଗେ ଇ-ଚାଲାଣ ଜାରି କରାଯିବ ଏବଂ ଅଭ୍ୟାସଗତ ନିୟମ ଉଲଂଘନକାରୀଙ୍କ ବିରୋଧରେ ଆଇନଗତ ପଦକ୍ଷେପ ସ୍ବରୂପ ପଞ୍ଜୀକରଣ ପ୍ରମାଣପତ୍ର ରଦ୍ଦ କରିବା ଓ ଗାଡ଼ି ଜବତ ପାଇଁ ପଦକ୍ଷେପ ନିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ପରିବହନ ବିଭାଗର ତଥ୍ୟ ଅନୁସାରେ, ରାଜ୍ୟରେ ମୋଟ ୧,୦୧,୪୧,୯୫୧ଟି ଯାନବାହନ ପଞ୍ଜୀକୃତ ହୋଇଛି । ଏଥିମଧ୍ୟରୁ ମାତ୍ର ୩୫,୬୮,୩୧୮ଟି ଗାଡ଼ିର ବୈଧ ବୀମା ରହିଛି । ଅର୍ଥାତ୍ ୬୫,୭୩,୬୩୩ଟି ଯାନ ବିନା ବୀମାରେ ଚାଲୁଥିବା ତଥ୍ୟ ସାମ୍ନାକୁ ଆସିଛି । ଏହି ସ୍ଥିତିକୁ ନେଇ ଆରଟିଓ ସ୍ତରରେ ବ୍ୟାପକ ଜନସଚେତନତା ସୃଷ୍ଟି ସହ ଏନ୍ଫୋର୍ସମେଣ୍ଟ କଡ଼ାକଡ଼ି କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି । କାରଣ ବୈଧ ବୀମା ନଥିବା ଯାନ ଦୁର୍ଘଟଣାରେ ଜଡ଼ିତ ହେଲେ କ୍ଷତିଗ୍ରସ୍ତଙ୍କୁ ଉଚିତ କ୍ଷତିପୂରଣ ମିଳିବାରେ ସମସ୍ୟା ହୋଇପାରେ । ତେଣୁ ଆଗକୁ ଯାନ ମାଲିକଙ୍କ ପାଇଁ ବୀମା ଓ ଅନ୍ୟାନ୍ୟ କାଗଜପତ୍ର ବୈଧ ରଖିବା ଅଧିକ ଜରୁରୀ ହୋଇପଡ଼ିଛି । କାର୍ଯ୍ୟାନୁଷ୍ଠାନରୁ ବଞ୍ଚିବା ସହ ସଡ଼କ ସୁରକ୍ଷା ଓ ସାମାଜିକ ଦାୟିତ୍ୱ ଦୃଷ୍ଟିରୁ ନିଜ ଗାଡ଼ିର ବୀମା ଓ PUC ତୁରନ୍ତ ନବୀକରଣ କରିବାକୁ ପରିବହନ ବିଭାଗ ସମସ୍ତ ଗାଡ଼ି ମାଲିକଙ୍କୁ ପରାମର୍ଶ ଦେଇଛି ।