Spread the love

ନୂଆଦିଲ୍ଲୀ: ରୁଷରୁ ଭାରତକୁ ଗଡ଼ିବ ଟ୍ରେନ! ରୁଷରୁ ଭାରତ ପର୍ଯ୍ୟନ୍ତ ଏକ ଦୀର୍ଘ ରେଳ କରିଡର ନିର୍ମାଣର ସମ୍ଭାବନାକୁ ନେଇ ଚର୍ଚ୍ଚା ଜୋର ଧରିଛି। ରୁଷର ଉପପ୍ରଧାନମନ୍ତ୍ରୀ ମରାଟ ଖୁସନୁଲିନ ହିନ୍ଦ୍ ମହାସାଗର ପର୍ଯ୍ୟନ୍ତ ସିଧାସଳଖ ରେଳ ସଂଯୋଗର ସମ୍ଭାବନା ଖୋଜିବା ନେଇ ସଙ୍କେତ ଦେବା ପରେ ଏହି ପ୍ରସ୍ତାବକୁ ନେଇ ଆଲୋଚନା ବଢ଼ିଛି।

କେଉଁ ଦେଶ ଦେଇ ଯିବ ଏହି ରେଳପଥ?

ପ୍ରସ୍ତାବିତ ରେଳ କରିଡର ରୁଷରୁ ଆରମ୍ଭ ହୋଇ ତୁର୍କମେନିସ୍ତାନ, ଇରାନ, ଆଫଗାନିସ୍ତାନ ଓ ପାକିସ୍ତାନ ଦେଇ ଭାରତରେ ପହଞ୍ଚିବାର କଳ୍ପନା କରାଯାଇଛି। ଏହି ରୁଟ୍ କାର୍ଯ୍ୟକାରୀ ହେଲେ ରୁଷକୁ ହିନ୍ଦ ମହାସାଗର ଓ ଭାରତୀୟ ବଜାର ସହ ସିଧାସଳଖ ଭୂପଥରେ ଯୋଡ଼ିବାର ଏକ ବିକଳ୍ପ ମିଳିପାରେ। ବର୍ତ୍ତମାନ ଦୀର୍ଘ ଦୂରତାରେ ମାଲ ପରିବହନ ପାଇଁ ସମୁଦ୍ରପଥ ଉପରେ ଅଧିକ ନିର୍ଭରଶୀଳତା ରହିଛି। କିନ୍ତୁ ବୋସଫୋରସ୍ ଓ ହର୍ମୁଜ୍ ଭଳି ରଣନୈତିକ ସମୁଦ୍ରପଥରେ ଯଦି ଯୁଦ୍ଧ, ଉତ୍ତେଜନା କିମ୍ବା ଅନ୍ୟ କୌଣସି କାରଣରୁ ପରିବହନ ବାଧାପ୍ରାପ୍ତ ହୁଏ, ତେବେ ଏଭଳି ଏକ ସ୍ଥଳପଥ ବିକଳ୍ପ ଭାବେ କାମ କରିପାରେ। ସମ୍ପ୍ରତି ଇରାନ ଯୁଦ୍ଧ ହର୍ମୁଜ୍ ଦେଇ ଆସୁଥିବା ଭାରତ ସମେତ ଅନେକ ଦେଶର ଶକ୍ତିକୁ ସଙ୍କଟରେ ପକାଇଛି ।

ଭାରତକୁ କ’ଣ ଫାଇଦା ମିଳିବ?

ଭାରତ ପାଇଁ ଏହି ରେଳ କରିଡର ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ରୁଷରୁ ଆସୁଥିବା ସାମଗ୍ରୀ ପାଇଁ ସମୁଦ୍ରପଥ ବ୍ୟତୀତ ଏକ ନୂଆ ଭୂପଥ ମିଳିପାରିବ। ଏହା ଦ୍ୱାରା ଦୁଇ ଦେଶ ମଧ୍ୟରେ ମାଲ ପରିବହନର ବିକଳ୍ପ ବଢ଼ିବା ସହ ଭବିଷ୍ୟତରେ ଲଜିଷ୍ଟିକ୍ସ ଖର୍ଚ୍ଚ ଓ ସମୟ କମାଇବାର ସୁଯୋଗ ସୃଷ୍ଟି ହୋଇପାରେ। ଏହି ପ୍ରସ୍ତାବ ଭାରତ, ଇରାନ ଓ ରୁଷକୁ ଯୋଡ଼ିବା ପାଇଁ ଚାଲିଥିବା ଇଣ୍ଟରନ୍ୟାସନାଲ୍ ନର୍ଥ-ସାଉଥ୍ ଟ୍ରାନ୍ସପୋର୍ଟ କରିଡର (INSTC) ସହ ମଧ୍ୟ ଯୋଡ଼ି ହୋଇପାରେ। ଫଳରେ ଏସିଆ ଓ ରୁଷ ମଧ୍ୟରେ ବାଣିଜ୍ୟିକ ସଂଯୋଗ ଆହୁରି ବଢ଼ିପାରେ।

ରୁଷକୁ ସବୁଠୁ ବଡ଼ ଲାଭ?

ଏହି ପ୍ରକଳ୍ପ ଆଗକୁ ବଢ଼ିଲେ ରୁଷ ଏହାର ସବୁଠୁ ବଡ଼ ରଣନୈତିକ ଓ ଆର୍ଥିକ ଲାଭ ପାଇପାରେ। ଭାରତୀୟ ବଜାର ଏବଂ ହିନ୍ଦ ମହାସାଗର ଅଞ୍ଚଳକୁ ପହଞ୍ଚିବା ପାଇଁ ରୁଷକୁ ସମୁଦ୍ରପଥ ବ୍ୟତୀତ ଆଉ ଏକ ବିକଳ୍ପ ମିଳିବ। ଆମେରିକୀୟ କଟକଣା ଓ ରୁଷ-ୟୁକ୍ରେନ୍ ଯୁଦ୍ଧ ପରିପ୍ରେକ୍ଷୀରେ ରୁଷ ଏସିଆ ଦେଶଗୁଡ଼ିକ ସହ ନିଜର ବାଣିଜ୍ୟିକ ସଂଯୋଗକୁ ମଜବୁତ କରିବାକୁ ଚାହୁଁଛି। ଭାରତ ପର୍ଯ୍ୟନ୍ତ ଏକ ସିଧା ରେଳପଥ ତାକୁ ଏଥିରେ ନୂଆ ସୁଯୋଗ ଦେଇପାରେ।

ପାକିସ୍ତାନ ଓ ଆଫଗାନିସ୍ତାନ ରାଜି ହେବେ କି?

ଏହି ଯୋଜନାର ସବୁଠୁ ବଡ଼ ଚ୍ୟାଲେଞ୍ଜ ହେଉଛି ଏହାର ରୁଟ୍। ପ୍ରସ୍ତାବିତ ରେଳପଥ ଏଭଳି କିଛି ଦେଶ ଦେଇ ଯିବ, ଯେଉଁଠାରେ ରାଜନୈତିକ ଓ ସୁରକ୍ଷା ପରିସ୍ଥିତି ଜଟିଳ। ବିଶେଷକରି ଆଫଗାନିସ୍ତାନ ଓ ପାକିସ୍ତାନର ସହଯୋଗ ବିନା ଏହି ରୁଟ୍‌କୁ ବାସ୍ତବ ରୂପ ଦେବା କଷ୍ଟକର।

ଏଥିସହିତ ଭାରତ ସହ ପାକିସ୍ତାନର ସମ୍ପର୍କ ମଧ୍ୟ ଏନେଇ ପ୍ରଶ୍ନ ସୃଷ୍ଟି କରିଛି । ଯଦିଓ ପାକିସ୍ତାନ ପାଇଁ ଏହି କରିଡର ଆର୍ଥିକ ଦୃଷ୍ଟିରୁ ଏକ ବଡ଼ ସୁଯୋଗ ହୋଇପାରେ, ରେଳପଥ ଦେଇ ଅନ୍ତର୍ଜାତୀୟ ମାଲ ପରିବହନ ହେଲେ ଟ୍ରାନଜିଟ୍ ଫି’ ଓ ବ୍ୟବସାୟିକ ଲାଭ ମିଳିପାରେ, କିନ୍ତୁ ଭାରତ-ପାକିସ୍ତାନ ମଧ୍ୟରେ ଦୀର୍ଘଦିନର ତିକ୍ତତା ଯୋଗୁଁ ଏଭଳି ଏକ କରିଡର ପାଇଁ ରାଜନୈତିକ ସହମତି ହାସଲ କରିବା ବଡ଼ ଚ୍ୟାଲେଞ୍ଜ ହେବ।

ସେହିପରି ଆଫଗାନିସ୍ତାନରେ ସୁରକ୍ଷା ପରିସ୍ଥିତି, ରେଳ ଭିତ୍ତିଭୂମିର ଅଭାବ ଏବଂ ରାଜନୈତିକ ସ୍ଥିରତା ମଧ୍ୟ ଏହି ପ୍ରକଳ୍ପ ପାଇଁ ବଡ଼ ପ୍ରଶ୍ନ। ତେଣୁ ରୁଷରୁ ଭାରତ ପର୍ଯ୍ୟନ୍ତ ଏହି ଟ୍ରେନ୍ ଚାଲିବାର ଯୋଜନା ରଣନୈତିକ ଭାବେ ବଡ଼ ହେଲେ ମଧ୍ୟ, ଏହାକୁ ବାସ୍ତବରେ ରୂପ ଦେବା ପାଇଁ ଅନେକ ରାଜନୈତିକ ଓ ସୁରକ୍ଷାଗତ ବାଧା ପାର ହେବାକୁ ପଡ଼ିବ।

Leave a Reply

Your email address will not be published. Required fields are marked *