
କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଶନିବାର ଏକ ସାମ୍ବାଦିକ ସମ୍ମିଳନୀ କହିଛନ୍ତି ଯେ, ‘ପ୍ରଧାନମନ୍ତ୍ରୀ ସବୁଆଡେ ଯାଉଛନ୍ତି। ସୁଇମିଂ କରି ଫଟୋ ସେସନ୍ କରୁଛନ୍ତି। କିନ୍ତୁ ସେ ମଣିପୁରକୁ କାହିଁକି ଯାଉନାହାଁନ୍ତି? ମଣିପୁରରେ ହିଂସା ହେବା ସହ ପରିସ୍ଥିତି ଦିନକୁ ଦିନ ଖରାପ ହେଉଛି। ଏସବୁ ପରେ ବି ମଣିପୁର ନଯାଇ ସେ ସମୁଦ୍ର କୂଳରେ ତ କେବେ ନିର୍ମାଣ ହେଉଥିବା ମନ୍ଦିର ଆଗରେ ଫଟୋ ଉଠାଇ ସୋଶାଲ ମିଡିଆରେ ସେୟାର କରୁଛନ୍ତି।’
କଂଗ୍ରେସ ଅଧ୍ୟକ୍ଷ ଆହୁରି କହିଛନ୍ତି, କେତେବେଳେ କେରଳ ତ କେତେବେଳେ ମୁମ୍ବାଇ। ନୂଆ ନୂଆ ସ୍ଥାନକୁ ଯାଇ ନୂଆ ପୋଷାକ ପିନ୍ଧି ସେ ଫଟୋ ଉଠାଉଛନ୍ତି। ଏ ମହାପୁରୁଷ ଲୋକେ ମରୁଥିବା, ମହିଳାଙ୍କ ସହ ଦୁଷ୍କର୍ମ ହେଉଥିବା ଓ ଅତ୍ୟଧିକ ଥଣ୍ଡାରେ ମୃତ୍ୟୁବରଣ କରୁଥିବା ମଣିପୁରକୁ କାହିଁକି ଯାଉନାହାନ୍ତି। ମଣିପୁର କ’ଣ ଦେଶର ଏକ ଅଂଶ ନୁହେଁ କି? ଆପଣ ଲାକ୍ଷାଦ୍ୱୀପ ଯାଇ ପାଣିରେ ପହଁରୁଛନ୍ତି। କିନ୍ତୁ ଆପଣ ମଣିପୁର ଯାଇ ଲୋକଙ୍କୁ ବୁଝାଇପାରି ନଥାନ୍ତେ କି?
କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ହେବାକୁ ଯାଉଥିବା ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ର ଲୋଗୋ କଂଗ୍ରେସ ଶନିବାର ପ୍ରକାଶ କରିଛି। ଲୋଗୋ ଉନ୍ମୋଚନ ଅବସରରେ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ଏହି ଯାତ୍ରା ଜାନୁଆରୀ ୧୪ ରୁ ଆରମ୍ଭ ହେବ। ଦେଶର ସାମାଜିକ, ଅର୍ଥନୈତିକ, ରାଜନୈତିକ ଏବଂ ମୌଳିକ ପ୍ରସଙ୍ଗରେ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ବାହାରିବ।