Spread the love

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦି ଉଜବେକିସ୍ତାନର ଦୁଇ ଦିନିଆ ଗସ୍ତ ସମୟରେ ରାଷ୍ଟ୍ରପତି ଶୌକତ ମିର୍ଜିୟୋୟେଭ୍ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ସମ୍ମାନ ପାଇବା ପରେ ପ୍ରଧାନମନ୍ତ୍ରୀ ମୋଦି ଉଜବେକିସ୍ତାନ ସରକାର ଓ ଦେଶବାସୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି । ଏହି ସମ୍ମାନକୁ ସେ ଭାରତ ଓ ଉଜବେକିସ୍ତାନ ମଧ୍ୟରେ ଥିବା ଦୃଢ଼ ଓ ଅତୁଟ ସମ୍ପର୍କକୁ ସମର୍ପିତ କରିଛନ୍ତି ।

ଏହି ଅବସରରେ ଉଜବେକିସ୍ତାନ ରାଷ୍ଟ୍ରପତି ଶୌକତ ମିର୍ଜିୟୋୟେଭ୍ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱର ଖୁବ୍ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ, ମୋଦି କେବଳ ଜଣେ ଦକ୍ଷ ରାଜନେତା ନୁହେଁ, ବରଂ ଜଣେ ଦୂରଦର୍ଶୀ ନେତା । ତାଙ୍କୁ ଭାରତୀୟଙ୍କ ଗଭୀର ବିଶ୍ୱାସ ଓ ସମ୍ମାନ ମିଳିଛି ଏବଂ ଅନ୍ତର୍ଜାତୀୟ ସ୍ତରରେ ବଡ଼ ପରିଚୟ ଲାଭ କରିଛନ୍ତି ।

ଉଜବେକିସ୍ତାନ ରାଷ୍ଟ୍ରପତି କହିଛନ୍ତି ଯେ, ଗତ କିଛି ବର୍ଷ ମଧ୍ୟରେ ଭାରତର ଦ୍ରୁତ ବିକାଶ ଏବଂ ବିଶ୍ୱ ମଞ୍ଚରେ ଦେଶର ବଢୁଥିବା ପ୍ରଭାବ ମୋଦିଙ୍କ ନେତୃତ୍ୱ ସହ ଜଡ଼ିତ । ମୋଦିଙ୍କ ଗସ୍ତ ସମୟରେ ଭାରତ ଓ ଉଜବେକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ବଢ଼ାଇବା ନେଇ ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନା ହୋଇଛି । ଉଭୟ ଦେଶର ସମ୍ପର୍କକୁ ବ୍ୟାପକ ରଣନୈତିକ ଭାଗିଦାରିର ସ୍ତରକୁ ନେବା ନେଇ ମଧ୍ୟ ଆଲୋଚନା ହୋଇଛି ।

ଦୁଇ ଦେଶ ମଧ୍ୟରେ ବର୍ତ୍ତମାନର ପ୍ରାୟ ୧ ବିଲିୟନ ଆମେରିକୀୟ ଡଲାର ବାଣିଜ୍ୟ କାରବାରକୁ ଆହୁରି ବଢ଼ାଇବାର ଲକ୍ଷ୍ୟ ରହିଛି । ପ୍ରଥମ ପର୍ଯ୍ୟାୟରେ ଏହାକୁ ୫ ବିଲିୟନ ଡଲାର ଏବଂ ପରେ ୧୦ ବିଲିୟନ ଡଲାରରେ ପହଞ୍ଚାଇବା ନେଇ ଆଶା ରହିଛି । ଭାରତ-ଉଜବେକିସ୍ତାନ ରଣନୈତିକ ସହଭାଗିତାକୁ ମଜବୁତ କରିବା ଏବଂ ଦୁଇ ଦେଶର ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର କରିବାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅବଦାନ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

Leave a Reply

Your email address will not be published. Required fields are marked *