
ଗତକାଲି ରାସନ ବଣ୍ଟନ ଦୁର୍ନୀତି ମାମଲାରେ ଟିଏମସି ନେତା ଶାହାଜାହାନ ଶେଖଙ୍କ ଘରକୁ ରେଡ୍ ପାଇଁ ଯାଇଥିଲା ଇଡି। ଏହି ସମୟରେ ଶତାଧିକ ସ୍ଥାନୀୟ ଲୋକ ଇଡି ଟିମ୍ ଉପରକୁ ଆକ୍ରମଣ କରିବା ସହ ସେମାନଙ୍କ ଗାଡି ଭାଙ୍ଗି ଦେଇଥିଲେ। କିନ୍ତୁ ଆଜି ଶଙ୍କର ଆଧ୍ୟାଙ୍କ ଘରେ ବ୍ୟାପକ ଚଢାଉ କରିଥିଲା ଇଡି। ଦୀର୍ଘ ସମୟ ଧରି ଯାଞ୍ଚ କରିବା ପରେ ଶେଷରେ ତାଙ୍କୁ ଗିରଫ କରିଛି। ଶଙ୍କରଙ୍କ ଗିରଫଦାରୀ ସମୟରେ ମଧ୍ୟ କିଛି ସ୍ଥାନୀୟ ଲୋକ ବିକ୍ଷୋଭ କରିଥିବା ଦେଖିବାକୁ ମିଳିଛି।
ଶଙ୍କରଙକ ପତ୍ନୀ ଜ୍ୟୋତ୍ସ୍ନା ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ୱାମୀ କେନ୍ଦ୍ରୀୟ ସଂସ୍ଥା ଇଡିକୁ ତଦନ୍ତରେ ସହଯୋଗ କରିଥିଲେ ମଧ୍ୟ ତାଙ୍କୁ ଗିରଫ କରାଯାଇଛି। ଅନୁସନ୍ଧାନକାରୀ ଏଜେନ୍ସି ଇଡି କହିଛି ଯେ, ପଶ୍ଚିମବଙ୍ଗର ହିତାଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ ପବ୍ଲିକ୍ ଡିଷ୍ଟ୍ରିବୁସନ୍ ସିଷ୍ଟମ୍ (ପିଡିଏସ୍)ର ପ୍ରାୟ 30 ପ୍ରତିଶତ ସାମଗ୍ରୀ ଖୋଲା ବଜାରକୁ ପଠାଯାଇଥିଲା। ଏହି ମାମଲାରେ ଶଙ୍କରଙ୍କ ସମ୍ପୃକ୍ତି ଥିବା ଜଣାପଡିଛି। ତଦନ୍ତ ପରେ ପୂରା ମାମଲା ସ୍ପଷ୍ଟ ହୋଇଯିବ।
ପ୍ରକାଶ ଥାଉ କି, ପୂର୍ବତନ ଖାଦ୍ୟ ମନ୍ତ୍ରୀ ତଥା ବର୍ତ୍ତମାନର ଜଙ୍ଗଲ ମନ୍ତ୍ରୀ ଜ୍ୟୋତିପ୍ରିଓ ମଲ୍ଲିକ ମଧ୍ୟ ଏହି ମାମଲାରେ ଗିରଫ ହୋଇଛନ୍ତି। ତଦନ୍ତ ସମୟରେ ସେ ଶଙ୍କରର ନାଁ ନେଇଥିଲେ। ଆଧ୍ୟା ମଧ୍ୟ ଜ୍ୟୋତିପ୍ରିଓଙ୍କ ଜଣେ ସହଯୋଗୀ। ଶଙ୍କର ଆଧ୍ୟା 2015ରୁ 2020 ପର୍ଯ୍ୟନ୍ତ ବଙ୍ଗାଓଁ ମ୍ୟୁନିସିପାଲିଟିର ମ୍ୟୁନିସିପାଲିଟି ଅଧ୍ୟକ୍ଷ ଥିଲେ। ବର୍ତ୍ତମାନ ସେ ଟିଏମସି ଜିଲ୍ଲା ପରାମର୍ଶଦାତା କମିଟିର ଅନ୍ୟତମ ସଦସ୍ୟ।
ତାଙ୍କର ପଶ୍ଚିମବଙ୍ଗରେ ଏକ ରାଇସ୍ ମିଲ୍ ମଧ୍ୟ ରହିଛି। ଏଥିସହ ବଙ୍ଗାଓଁରେ ବିଦେଶୀ ଟଙ୍କା ବିନିମୟର ବିବସାୟ ଥିଲା। ରାସନ ଦୁର୍ନୀତିରେ ସେ ଟଙ୍କା ଲୁଟ୍ କରିଛନ୍ତି କି ନାହିଁ ତାହା ଅନୁସନ୍ଧାନ କରାଯାଉଛି ବୋଲି ଇଡି କହିଛି।