Spread the love

କାଠମାଣ୍ଡୁ: ନେପାଳ ବନ୍ୟାର ଭୟାବହତା ବିଶ୍ବବାସୀଙ୍କ ହୃଦୟକୁ ଥରାଇ ଦେଇଛି। ଶାନ୍ତିପୂର୍ଣ୍ଣ ଜୀବନ ଯାପନ ପାଇଁ ନଦୀ ଅବବାହିକାର ଦୁଇ ପାର୍ଶ୍ବରେ ଘର କରିଥିବା ଅନେକ ଲୋକ ପ୍ରକୃତି କୋପରେ ଭାସି ଯାଇ ନିଖୋଜ ଅଛନ୍ତି। ପ୍ରକୃତିର ଏହି ରୌଦ୍ର ରୂପକୁ ଯିଏ ଦେଖୁଛି, ସିଏ ଭୟରେ ଥରି ଯାଉଛି। ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଯବାନ ମାଟି ତଳୁ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରୁଛନ୍ତି। ଅବଶେଷ ତଳୁ ଜୀବନ ଖୋଜା ଚାଲିିଥିବାବେଳେ ମୃତ୍ୟୁସଂଖ୍ୟା ବଢ଼ି ବଢ଼ି ଚାଲିଛି। ଶନିବାର ରାତି ସୁଦ୍ଧା ୬୮୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ୨୮୭ ଭାରତୀୟଙ୍କ ସମେତ ୩ ହଜାରରୁ ଊର୍ଦ୍ଧ୍ବ ନିଖୋଜ ଅଛନ୍ତି। ୪୪୫୧ ଜଣଙ୍କୁ ଉଦ୍ଧାର କରାଯାଇଛି। ସେହିପରି ତିବ୍ବତରେ ମୃତ୍ୟୁସଂଖ୍ୟା ୭ରେ ପହଞ୍ଚିଥିବାବେଳେ ୫୫୪ ନିଖୋଜ ଅଛନ୍ତି। ଅଧିକାଂଶ ଅଞ୍ଚଳକୁ ସୁରକ୍ଷାବାହିନୀ ପହଞ୍ଚି ପାରି ନ ଥିବାରୁ ମୃତ୍ୟୁସଂଖ୍ୟା ଅଧିକ ବୃଦ୍ଧି ପାଇବାର ଆଶଙ୍କା ରହିଛି। ମୃତ୍ୟୁସଂଖ୍ୟା ବଢୁଥିବାବେଳେ ମୃତଦେହ ଚିହ୍ନଟ ନ ହେବା ସବୁଠୁ ବଡ଼ ସମସ୍ୟା ପାଲଟି ଯାଇଛି। ଶବଗୃହରେ ଶବ ସଢୁ ଥିବାବେଳେ ପରିଚୟ ମିଳୁନାହିଁ। ନିଜ ସମ୍ପର୍କୀୟଙ୍କୁ ଖୋଜିବା ପାଇଁ ଶବଗୃହ ଆଗରେ ଲୋକେ ଭିଡ଼ ଜମାଇଛନ୍ତି। ଏହା ସତ୍ତ୍ବେ ବି ଅଧିକାଂଶ ମୃତକଙ୍କ ପରିଚୟ ମିଳିପାରି ନାହିଁ। ଏହା ସରକାରଙ୍କ ମୁଣ୍ଡବିନ୍ଧା ସୃଷ୍ଟି କରିଛି। ମୃତଦେହ ରଖିବାକୁ ସ୍ଥାନାଭାବ ହୋଇଥିବାରୁ ସରକାର ଅସ୍ଥାୟୀ କେନ୍ଦ୍ର ନିର୍ମାଣ କରିଛନ୍ତି। ଏଭଳି ସ୍ଥିତିରେ ଅନ୍ତିମ ସଂସ୍କାର କରିବା ପୂର୍ବରୁ ମୃତକଙ୍କ ଡିଏନଏସଂରକ୍ଷିତ ରଖିବା ପାଇଁ ନେପାଳ ସରକାର ନିଷ୍ପତ୍ତି ନେଇଛନ୍ତି। ଏହା ମୃତକଙ୍କୁ ଚିହ୍ନଟ କରିବାରେ ସହାୟକ ହେବ ବୋଲି ସରକାର କହିଛନ୍ତି। ସେ ପଟେ ଡିଏନଏ ଚିହ୍ନଟରେ ସହାୟତା କରିବା ପାଇଁ ଭାରତ ଏକ ୬ ଜଣିଆ ଫରେନସିକ ଟିମକୁ ନେପାଳ ପଠାଇଛି।

ବନ୍ୟା ସିନା ଛାଡ଼ି ଯାଇଛି, ହେଲେ ଏବେ ନେପାଳରେ ନୂଆ ସଙ୍କଟ ସୃଷ୍ଟି ହୋଇଛିି। ଲୋକଙ୍କୁ ଜରୁରୀ ଔଷଧ ମିଳୁନାହିଁ। ମଧୁମେହ, ଉଚ୍ଚ ରକ୍ତଚାପ, ଥାଇରଏଡ ଔଷଧର ଘୋର ଅଭାବ ଦେଖାଯାଇଛି। ପାନୀୟ ଜଳ ସଙ୍କଟ ମଧ୍ୟ ସୃଷ୍ଟି ହୋଇଛି। ଶୋଷିଲା ତଣ୍ଟିକୁ ସ୍ବଚ୍ଛ ଜଳ ଟିକେ ବି ପିଇବାକୁ ମିଳୁନାହିଁ। ଏହାର ସୁଯୋଗ ନେଇ ଅସାଧୁ ବ୍ୟବସାୟୀମାନେ ଚଢ଼ା ଦରରେ ପାଣି ବୋତଲ ବିକ୍ରି କରୁଛନ୍ତି। ହେଲେ ଏହା କିଣିବାକୁ ପୀଡ଼ିତଙ୍କ ପାଖରେ ଅର୍ଥ ନାହିଁ। ପିନ୍ଧିବାକୁ ପୋଷାକ ନାହିଁ। ଚାରି ଦିନ ହେଲା ସେହି ଗୋଟିଏ ପୋଷାକ ପିନ୍ଧି ରହିଛନ୍ତି। ଇନ୍ଧନ ତ ଦୂରର କଥା ଖାଦ୍ୟାଭାବ ସ୍ଥିତିକୁ ଅଧିକ ବିଗାଡ଼ି ଦେଇଛି। ରୋଷେଇ ପାଇଁ ବି ଗ୍ୟାସ ମିଳିପାରୁ ନାହିଁ। ଆମ୍ବୁଲାନ୍ସ ଥାଇ ବି ଅଚଳ ରହିଛି। କାରଣ ଏହାକୁ ଚଲାଇବା ପାଇଁ ଡିଜେଲ ନାହିଁ। ନେପାଳ ସରକାରଙ୍କ ପକ୍ଷରୁ ଚଲା ଯାଉଥିବା ଆଶ୍ରୟ ସ୍ଥଳରେ ମଧ୍ୟ ସମାନ ସ୍ଥିତି ରହିଛି। ଏଠାରେ ମୌଳିକ ସୁବିଧା ବି ଟିକେ ମିଳୁ ନାହିଁ। ବିଦେଶୀ ସହାୟତାକୁ ପ୍ରଥମେ ନା ନା ଓ ପରେ ହଁ ହଁ କହି ଭାରତ, ଚୀନ, ଅଷ୍ଟ୍ରେଲିଆ ଭଳି କିଛି ଦେଶଙ୍କ ସହାୟତା ନେଇଥିବା ନେପାଳ ସ୍ଥିତି ଆଗରେ ହାରି ଯାଇଥିବା ପରି ଲାଗୁଛି। ନିଜକୁ ସକ୍ଷମ ଦେଖାଇବା ପାଇଁ ଚାହୁଁଥିବା ବାଲେନ ଶାହାଙ୍କ ସରକାର ପୀଡ଼ିତଙ୍କ ଜରୁରୀ ଆବଶ୍ୟକତା ପୂରଣ କରିବାରେ ବିଫଳ ହୋଇଛନ୍ତି। ଆଶ୍ରୟ ସ୍ଥଳକୁ ସଫାସୁତୁରା କରାଯାଉ ନ ଥିବାରୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ଏହା ଫଳରେ ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କା ରହିଛି।
ସେ ପଟେ ବନ୍ୟା ପ୍ରଭାବିତ ଅଞ୍ଚଳରେ ସୃଷ୍ଟି ହୋଇଥିବା ଦ୍ବିତୀୟ ହ୍ରଦର ପାଣି ଅସ୍ଥିର ରହିଛି। ଏହି ବନ୍ଧ ଭାଙ୍ଗିଲେ ପୁଣି ବଡ଼ ବନ୍ୟା ଆସିପାରେ ବୋଲି ବୈଜ୍ଞାନିକ ଜେଫ୍ରି କାର୍ଗେଲ କହିଛନ୍ତି। ଏହା ପୂର୍ବରୁ ଶୁକ୍ରବାର ପ୍ରଥମ ହ୍ରଦଟି ଭାଙ୍ଗି ଯାଇଥିଲା। ତେବେ ସେଥିରୁ ଧୀରେ ଧୀରେ ପାଣି ତଳକୁ ଆସୁଥିବାରୁ ସେତେ ବିପଦ ନ ଥିଲା। ମାତ୍ର ଦ୍ବିତୀୟଟି ଭାଙ୍ଗିଗଲେ ପ୍ରଥମ ସହ ଏହା ମିଶି ପୁଣି ବଡ଼ ବିପର୍ଯ୍ୟୟ ଆଣିପାରେ ବୋଲି କୁହାଯାଉଛି।
ନେପାଳ ବନ୍ୟାରେ ତ୍ରିଶୂଳୀବଜାରର ଅନେକ ଘର, ଦୋକାନ ଭାସି ଯାଇଛି। ବନ୍ୟା ଏତେ ଜୋରରେ ମାଡ଼ି ଆସିଥିଲା ଯେ ଜରୁରୀ ସାମଗ୍ରୀ ସୁରକ୍ଷିତ ରଖିବା ପାଇଁ ଲୋକଙ୍କୁ ସୁଯୋଗ ମିିଳି ନ ଥିଲା। ଅଚାନକ ଆସି ବନ୍ୟା ଦାରୁଣ ଦୁଃଖ ଦେଇଗଲା। ତ୍ରିଶୂଳୀ ଡାକ୍ତରଖାନା ନିକଟସ୍ଥ ଆଶ୍ରୟସ୍ଥଳରେ ରହୁଥିବା ଅନେକ ଲୋକ ଏହି କୋହଭରା କାହାଣୀ କହିଛନ୍ତି। ପୀଡ଼ିତ ରଘୁବୀର କହିଛନ୍ତି ଯେ ମାଆ ପ୍ରତ୍ୟେକ ଦିନ ଔଷଧ ଖାଇଥାନ୍ତି। ମାତ୍ର ତିନି ଦିନ ହେଲା ବିନା ଔଷଧରେ ଅଛନ୍ତି। ଜରୁରୀ ଔଷଧ ମିଳୁନାହିଁ। ବାରମ୍ବାର ଅଭିଯୋଗ ସତ୍ତ୍ବେ ତ୍ରିଶୂଳୀ ଡାକ୍ତରଖାନା ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଖାଲି ସେତିକି ନୁହେଁ, ଲୋକଙ୍କୁ ଜରୁରୀ ଚିକିତ୍ସା ସୁବିଧା ମଧ୍ୟ ମିଳୁନାହିଁ। ଗର୍ଭ ଯନ୍ତ୍ରଣା ପରେ ରଘୁବରୀଙ୍କ ଶାଳୀଙ୍କୁ ତ୍ରିଶୂଳୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ କୌଣସି ବ୍ୟବସ୍ଥା ନ ଥିବା କହି କାଠମାଣ୍ଡୁ ନେବାକୁ କୁହାଯାଇଥିଲା। ବାରମ୍ବାର ଅନୁରୋଧ କଲେ ମଧ୍ୟ ସେବା ଦିଆଯାଇ ନ ଥିଲା। କାକୁତିମିନତି ପରେ ଅଧିକାରୀମାନେ ମହିଳାଙ୍କୁ ଏୟାରଲିଫ୍ଟ କରି କାଠମାଣ୍ଡୁ ନେଇଥିଲେ। ବନ୍ୟାରେ ନିଜ ଘର ଓ ସମ୍ପର୍କୀୟଙ୍କୁ ହରାଇଥିବା ଅନେକ ପରିବାର ଏହି ସମସ୍ୟାରେ ପୀଡ଼ିତ ଅଛନ୍ତି। ବୃଦ୍ଧବୃଦ୍ଧାଙ୍କୁ ଜରୁରୀ ଔଷଧ ମିଳୁନଥିବାରୁ ସମସ୍ତେ ଚିନ୍ତିତ ଅଛନ୍ତି। ସେହିପରି କୋଲାଣୀର ଏକ ଆଶ୍ରୟ ସ୍ଥଳରେ ଥିବା କୋପିଲା ପେରିୟାରଙ୍କ ମାଆ ଶ୍ବାସ ରୋଗରେ ପୀଡ଼ିତ। ସେ ଦିନକୁ ଦୁଇରୁ ତିନି ଥର ଔଷଧ ଖାଇଥାନ୍ତି। ମାତ୍ର ଏବେ ପରିବାର ସଦସ୍ୟ ତାଙ୍କୁ ଔଷଧ ଦେଇପାରୁ ନାହାନ୍ତି। ଶିବିରରେ ମୌଳିକ ସୁବିଧା ମିଳୁ ନଥିବାରୁ ସେ ଚିନ୍ତା ପ୍ରକଟ କରିଛନ୍ତି। ଔଷଧ ଅଭାବକୁ ନେଇ ତ୍ରିଶୂଳୀଡାକ୍ତରଖାନାରେ ଫାର୍ମାସିଷ୍ଟ କହିଛନ୍ତି ଯେ ଉଚ୍ଚ ରକ୍ତଚାପ ଆଦି ରୋଗର ଔଷଧ ଡାକ୍ତରଖାନାରେ ନାହିଁ। ଡାକ୍ତରଖାନାର ଇଣ୍ଟରନେଟ କଟି ଯାଇଥିବାରୁ ବୀମା ସୁବିଧା ମଧ୍ୟ ଉପଲବ୍ଧ ନାହିଁ। ତ୍ରିଶୂଳୀ ଡାକ୍ତରଖାନାର ଅଧୀକ୍ଷକ ରାଜେନ୍ଦ୍ର ଲାମା କହିଛନ୍ତି ଯେ ସୁରକ୍ଷା ବ୍ୟବସ୍ଥା ଭୁଶୁଡ଼ି ଯାଇଛି। ଡାକ୍ତରଖାନାର ସୁରକ୍ଷା ପାଇଁ ମାତ୍ର ୭ ଜଣ ପୁଲିସ ଅଧିକାରୀ ମୁତୟନ ହୋଇଛନ୍ତି। ଗର୍ଭବତୀ, ଶିଶୁଙ୍କୁ ଉପଯୁକ୍ତ ପୋଷଣ ମିଳିପାରୁ ନାହିଁ। ଖାଦ୍ୟ ଠିକ ସମୟରେ ଆସୁ ନାହିଁ। ଡାକ୍ତରଖାନାକୁ ଯୋଡୁଥିବା ସବୁ ରାସ୍ତା ପ୍ରାୟ ଧୋଇ ହୋଇଯାଇଛି। ଏଥି ପାଇଁ ଜରୁରୀ ଥିଲେ ବି ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇପାରୁନାହିଁ।

ରିପୋର୍ଟ ଅନୁଯାୟୀ, ବନ୍ୟା ଯୋଗୁଁ ତ୍ରିଶୂଳୀ ଡାକ୍ତରଖାନା ବହୁଳ ଭାବେ ପ୍ରଭାବିତ ହୋଇଛି। ପ୍ରଳୟଙ୍କରୀ ବନ୍ୟା ଜଳ ଯୋଗାଣ କରୁଥିବା ପାଇପକୁ ଭସାଇ ନେଇଛି। ଯେଉଁ କେନାଲରୁ ଏହି ପାଣି ଆସୁଥିଲା ତାହା ଧ୍ବଂସ ହୋଇଯାଇଛି। ଟୁପଚେ ପଟୁ ଆସୁଥିବା ଅନ୍ୟ ଏକ ପାଇପ ଲାଇନ ବି ଧୋଇ ହୋଇଯାଇଛି। ସେହିପରି ଭାଇରୁଙ୍ଗ ମାଧ୍ୟମିକ ବିଦ୍ୟାଳୟରେ ଥିବା ଆଶ୍ରୟ ସ୍ଥଳରେ ଗର୍ଭବତୀ, ଶିଶୁଙ୍କୁ ମିଶାଇ ପ୍ରାୟ ହଜାରେ ଲୋକ ରହୁଛନ୍ତି। ମାତ୍ର କାହାକୁ ଜରୁରୀ ଚିକିତ୍ସା ସୁବିଧା ମିଳିପାରୁ ନାହିଁ। ପାଇଖାନା ବି ସଫା କରାଯାଉ ନାହିଁ। ନାଳ ଜାମ ହୋଇ ରହିଛି। ଅନେକ ଲୋକ ଗୋଟିଏ ଜାଗାରେ ବସବାସ କରୁଥିବାରୁ ମହାମାରୀ ସୃଷ୍ଟି ହେବାର ଆଶଙ୍କା ରହିଛି।
ଅନ୍ୟପକ୍ଷରେ ନେପାଳ ବିପର୍ଯ୍ୟୟର ଚତୁର୍ଥ ଦିନରେ ବରଫ ପାହାଡ଼ ଭାଙ୍ଗିବାର ଏକ ଭିଡିଓ ସାମନାକୁ ଆସିଛି। ତିବ୍ବତର ଜଣେ ଟୁର୍ ଗାଇଡ ଏହି ଭିଡିଓ ସୁଟିିଂ କରିଥିଲେ। ଏଥିରେ ୮୦୦ ମିଟରର ବରଫ ପାହାଡ ଭାଙ୍ଗି ଯାଉଥିବା ଦେଖାଯାଉଛି। ଏହା ଅବଶେଷ ଓ ପାଣିକୁ ସାଙ୍ଗରେ ଧରି ତଳକୁ ମାଡ଼ି ଯାଇଥିଲା। ଏଥିପାଇଁ ଭୂସ୍ଖଳନ ହୋଇଥିଲା। ଅଚାନକ ଆସିଥିବା ବନ୍ୟା ନେପାଳ-ତିବ୍ବତ ସୀମାରେ ବିପର୍ଯ୍ୟୟ ସୃଷ୍ଟି କରିଥିଲା। ଏବେ ନେପାଳ ସହିତ ଭାରତ, ଚୀନ ଉଦ୍ଧାରକାର୍ଯ୍ୟରେ ସାମିଲ ହୋଇଛି। ନେପାଳ ଗୃହମନ୍ତ୍ରୀ ସୁଦନ ଗୁରୁଙ୍ଗ ନିଜେ ଉଦ୍ଧାରକାର୍ଯ୍ୟରେ ଲାଗିଛନ୍ତି। କେବଳ ନେପାଳର ୮ ଜିଲାରୁ ୬୬୯ ମୃତଦେହ ଉଦ୍ଧାର କରାଗଲାଣି। ଏ ପର୍ଯ୍ୟନ୍ତ ନେପାଳରୁ ୮୮ ଭାରତୀୟଙ୍କୁ ଉଦ୍ଧାର କରାଗଲାଣି। ରସୁୱାର ଏକ ଜଳ ବିଦ୍ୟୁତ କେନ୍ଦ୍ରରୁ ଆଜି ୪ ଜଣ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସେ ପଟେ କାଠମାଣ୍ଡୁର ପଶୁପତିନାଥ ମନ୍ଦିରରେ ମୃତକଙ୍କ ଅନ୍ତିମ ସଂସ୍କାର କରାଯାଇଛି।

Leave a Reply

Your email address will not be published. Required fields are marked *