ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ADC ଭାବେ ଭିନ୍ନ ପରିଚୟ ସଷ୍ଟି କରିଥିବା ମେଜର ରିଷଭ ସିଂ ସମ୍ବାଲ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ପାରା ସ୍ପେଶାଲ ଫୋର୍ସେସ ଅଧିକାରୀ ରିଷଭ ବ୍ୟକ୍ତିଗତ କାରଣ ଦର୍ଶାଇ ଭାରତୀୟ ସେନାରୁ ସମୟପୂର୍ବ ଅବସର ଗ୍ରହଣ କରିଛନ୍ତି । ସେ ରାଷ୍ଟ୍ରପତିଙ୍କ ଏଡ-ଡି-କ୍ୟାମ୍ପ (ADC) ଭାବେ କାମ କରି ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ଥିଲେ । ରିଷଭ ଔପଚାରିକ ଭାବେ ପଦ ଛାଡିବା ପରେ ଅଗଷ୍ଟ ୨୧ ତାରିଖ ଦିନ ରାଷ୍ଟ୍ରପତି ଭବନରେ ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ । ଯାହାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି ।
ମେଜର ରିଷଭ ସିଂହ ଜମ୍ମୁର ଏକ ଡୋଗ୍ରା ରାଜପୁତ ପରିବାରରେ ଜନ୍ମିତ । ସେ ନ୍ୟାସନାଲ ଡିଫେନ୍ସ ଆକାଡେମୀ (ଏନଡିଏ)ରେ ୩ ବର୍ଷ ଓ ଇଣ୍ଡିଆନ ମିଲିଟାରୀ ଏକାଡେମୀରେ ଗୋଟିଏ ବର୍ଷ ବିତେଇବା ପରେ ପାଖାପାଖି ୮ ବର୍ଷ ପର୍ଯ୍ୟନ୍ତ କମିଶନ ପ୍ରାପ୍ତ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ । ତାଙ୍କୁ ୨୦୨୪-୨୫ରେ ରାଷ୍ଟ୍ରପତିଙ୍କ ଏଡିସି ଭାବେ ଚୟନ କରାଯାଇଥିଲା । ଏଡିସି ଭାବେ ପ୍ରୋଟକଲ ସମ୍ଭାଳିବା, ଅଧିକାରୀକ କାର୍ଯ୍ୟକ୍ରମ ଓ ଯାତ୍ରା କାଳରେ ରାଷ୍ଟ୍ରପତିଙ୍କ ସହିତ ରହିବା, ସମ୍ବେଦନଶୀଳ ମାମଲାରେ ତାଳମେଳ ରକ୍ଷା କରିବା ଓ ପର୍ଦ୍ଦା ପଛରେ ରହି ପ୍ରତ୍ୟେକ ସମୟରେ ସତର୍କ ରହିଥାନ୍ତି ।
ରିଷଭ ପ୍ରଥମ ଥର ୨୦୨୧ରେ ଜାଟ୍ ରେଜିମେଣ୍ଟ କ୍ୟାପ୍ଟେନ ଭାବେ ଚର୍ଚ୍ଚାକୁ ଆସିଥିଲେ । ସେ ଗଣତନ୍ତ୍ର ଦିବସ ପ୍ୟାରେଡରେ ରେଜିମେଣ୍ଟର ନେତୃତ୍ୱ ନେଇଥିଲେ ଓ ବେଷ୍ଟ ମାର୍ଚ୍ଚିଂ କଣ୍ଟିଜେଣ୍ଟ ଟ୍ରଫି ଜିତିଥିଲେ । ପରେ ଫୋର ପାରା ଫୋର୍ସେସ୍ (ସ୍ପେଶାଲ ଫୋର୍ସ)ରେ ସାମିଲ ହେବା ପାଇଁ ସ୍ବଇଚ୍ଛାରେ କଷ୍ଟକର ସିଲେକ୍ସନ ପ୍ରୋସେସ ପୁରା କରିବା ସହ ବଳିଦାନ ବ୍ୟାଜ୍ ହାସଲ କରିଥିଲେ । ଏହି ସମ୍ମାନ ଖୁବ କ୍ୱଚିତ ଭଲେଣ୍ଟିୟର୍ସଙ୍କୁ ମିଳିଥାଏ ।
ଅବସର ପରେ ରିଷଭ କହିଛନ୍ତି ଯେ, ବର୍ଦ୍ଦି ପିନ୍ଧିବା ତାଙ୍କ ପିଲା ଦିନର ଇଛା ଥିଲା । କିନ୍ତୁ କେବେ ଏହାକୁ ଓହ୍ଲାଇବେ ବୋଲି ଭାବିନଥିଲେ । ଜୀବନରେ ଏପରି ସମୟ ଓ ପରିସ୍ଥିତି ଆସେ ଯାହା ଜୀବନକୁ ସବୁଦିନ ପାଇଁ ବଦଳାଇ ଦିଏ । ଅବସର ନେବା ତାଙ୍କ ପାରିବାରିକ ଓ ବ୍ୟକ୍ତିଗତ କାରଣ । ତେବେ ଯାହା ପାଇଛି ବହୁତ ଖୁସି ଅଛି । ଆଗାମୀ ଦିନରେ ରିଷଭ କଣ କରିବେ ସେ ନେଇ ବେଶି କିଛି କହିନାହାନ୍ତି ।