Spread the love

ରାଜସ୍ଥାନ : ରାଜସ୍ଥାନର ଧୌଲପୁର ଜିଲ୍ଲା ସରମଥୁରା ବିରଜା ଗାଁରେ ଅଭାବନୀୟ ଘଟଣା ଘଟିଛି । ଏଠାରେ ଥିବା ଏକ ପୋଖରୀରେ ବୁଡ଼ି ୪ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଏବଂ ଜଣେ ଯୁବକ ରହିଛନ୍ତି । ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି । ଘଟଣା ବିଷୟରେ ଜଣାପଡିବା ପରେ ସ୍ଥାନୀୟ ଗ୍ରାମବାସୀ ଏକଜୁଟ ହୋଇଥିଲେ ।

ସୂଚନା ଅନୁସାରେ, ମୃତକମାନେ ଧୌଲପୁରର ମୋରୋଲି ଗାଁର ବାସିନ୍ଦା ଥିଲେ । ସେମାନେ ବିରଜା ଗାଁର ପ୍ରସିଦ୍ଧ ହୀରାମନ ବାବାଙ୍କ ସ୍ଥାନକୁ ପୂଜା ପାଇଁ ଆସିଥିଲେ। ପୂଜାର୍ଚ୍ଚନା କରିବା ପରେ ସେମାନେ ନିକଟରେ ଥିବା ପୋଖରୀକୁ ଯାଇଥିଲେ । ହେଲେ ଏହି ସମୟରେ ପାଦ ଖସିଯିବା ଯୋଗୁଁ ଏଭଳି ଅଘଟଣ ହୋଇପାରେ ବୋଲି ଅନୁମାନ କରାଯାଉଛି ।

ଘଟଣାର ସୂଚନା ପାଇବା ପରେ ଆଙ୍ଗାଇ ଥାନା ପୋଲିସ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ସ୍ଥାନୀୟ ଗ୍ରାମବାସୀ ଓ ବୁଡ଼ାଳିଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଦୀର୍ଘ ସମୟର ଖୋଜାଖୋଜି ପରେ ପୋଖରୀରୁ ୩ ଜଣ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ତେବେ ଏକାସାଙ୍ଗରେ ୪ ଜଣଙ୍କ ଏଭଳି ମୃତ୍ୟୁ ଖବର ମୋରୋଲି ଗାଁରେ ଶୋକର ଛାୟା ଖେଳିଯାଇଛି । ମୃତକଙ୍କ ପରିବାରବର୍ଗଙ୍କ ଦୁଃଖରେ ଭାଙ୍ଗିପଡିଛନ୍ତି । ଘଟଣାକୁ ନେଇ ପୋଲିସ ଯାଞ୍ଚ କରୁଛି ।

Leave a Reply

Your email address will not be published. Required fields are marked *