ନୋଏଡ଼ା: ମୋ ସ୍ବାମୀ ହିନ୍ଦୁ, ତେଣୁ ମୁଁ ବି ହିନ୍ଦୁ ଏବଂ ମୁଁ ଜଣେ ଭାରତୀୟ ବୋଲି ମୋର ମନେହେଉଛି ବୋଲି ଶନିବାର ଦିନ ଜାମିନ ପାଇ ଜେଲ୍ରୁ ମୁକୁଳିଥିବା ପାକିସ୍ତାନୀ ମହିଳା ସୀମା ହାଇଦର୍ କହିଛନ୍ତି।
ସ୍ମରଣଯୋଗ୍ୟ, ‘ଅନ୍ଲାଇନ୍ ଗେମ୍’ ‘ପ୍ଲେୟାର୍ଅନ୍ନୋନ୍ସ୍ ବ୍ୟାଟ୍ଲ୍ଗ୍ରାଉଣ୍ଡ୍ସ୍’ (ପବ୍ଜି) ଜରିଆରେ ଉତ୍ତର ପ୍ରଦେଶର ସଚିନ ମୀନାଙ୍କ ପ୍ରେମରେ ପଡ଼ି ୭ ବର୍ଷରୁ ସାନ ୪ ପିଲାଙ୍କୁ ଧରି ବେଆଇନ ଭାବେ ନେପାଳ ବାଟେ ଭାରତରେ ପ୍ରବେଶ କରିଥିବା ପାକିସ୍ତାନୀ ମହିଳା ସୀମା ହାଇଦର୍ ଶନିବାର ଦିନ ଜେଲ୍ରୁ ମୁକ୍ତ ହେବା ପରେ ଗଣମାଧ୍ୟମକୁ ଉପରୋକ୍ତ କଥା କହିଛନ୍ତି।
ବେଆଇନ ଭାବେ ଭାରତରେ ଅନୁପ୍ରବେଶ କରିଥିବା କାରଣରୁ ସୀମାଙ୍କୁ ଏବଂ ବେଆଇନ ପ୍ରବାସୀଙ୍କୁ ଆଶ୍ରୟ ଦେଇଥିବା କାରଣରୁ ସଚିନଙ୍କୁ ଜୁଲାଇ ୪ ତାରିଖ ଦିନ ଜେଲ୍ରେ ଭର୍ତ୍ତି କରାଯାଇଥିଲା।
ଶନିବାର ଦିନ ଜାମିନ ପାଇବା ପରେ ଜେଲ୍ରୁ ମୁକ୍ତ ହୋଇଥିବା ଭାରତର ସଚିନ ଓ ପାକିସ୍ତାନର ସୀମା ନୂଆ ଘରସଂସାର କରିବାକୁ ଉଦ୍ୟମ କରୁଛନ୍ତି।
ସୂଚନାଯୋଗ୍ୟ, କୋଭିଡ୍ ମହାମାରୀ ସମୟରେ ‘ପବ୍ଜି’ ଖେଳିବା ବେଳେ ପ୍ରେମରେ ପଡ଼ିଥିବା ୩୦ ବର୍ଷୀୟ ସୀମା ଓ ୨୫ ବର୍ଷିୟ ସଚିନ ଚଳିତ ବର୍ଷ ମାର୍ଚ ମାସରେ ନେପାଳରେ ବିବାହ କରିଥିଲେ। ଏହା ଥିଲା ସେମାନଙ୍କର ପ୍ରଥମ ସାକ୍ଷାତ।
ସୀମା କହିଛନ୍ତି, ଏ ଯାତ୍ରା ଥିଲା ଦୀର୍ଘ ଓ କଠିନ। ମୁଁ ମଧ୍ୟ ଖୁବ୍ ଡରିଯାଇଥିଲି। ପ୍ରଥମେ ମୁଁ କରାଚୀରୁ ଦୁବାଇ ଯାଇଥିଲି। ସେଠାରେ ମୁଁ ୧୧ ଘଣ୍ଟା ଅପେକ୍ଷା କରି ଶୋଇ ପାରି ନ ଥିଲି। ତା’ପରେ ମୁଁ ବିମାନରେ ନେପାଳ ଯାଇ ଶେଷରେ ସଡ଼କ ପଥରେ ପୋଖରାକୁ ଯାଇ ସଚିନଙ୍କୁ ଭେଟିଲି।
ଏହାପରେ ସୀମା ପାକିସ୍ତାନ ଓ ସଚିନ ଭାରତକୁ ଫେରିଆସିଥିଲେ। ଘରକୁ ଫେରି ସୀମା ୧୨ ଲକ୍ଷ ଟଙ୍କା ବିନିମୟରେ ଖଣ୍ଡେ ଜମି ବିକି ସେଥିରେ ନିଜ ପାଇଁ ଓ ୪ ପିଲାଙ୍କ ପାଇଁ ବିମାନ ଟିକେଟ ଓ ନେପାଳ ଭିସା ଯୋଗାଡ଼ କରିଥିଲେ। ଏହା ପୂର୍ବରୁ ସ୍ବାମୀଙ୍କ ସହିତ ତାଙ୍କ ସମ୍ପର୍କ ତୁଟି ଥିବା କଥା ସେ କହିଥିଲେ।
ମେ ମାସରେ ସୀମା ତାଙ୍କ ପିଲାମାନଙ୍କୁ ନେଇ ଦୁବାଇ ବାଟେ ନେପାଳରେ ପହଞ୍ଚିଲେ ଓ ପର୍ଯ୍ୟଟନ ନଗରୀ ପୋଖରାରେ କିଛି ସମୟ ବିତାଇଲେ। ତା’ପରେ କାଠମାଣ୍ଡୁରୁ ଦିଲ୍ଲୀ ବସ୍ ଧରି ମେ ୧୩ ତାରିଖ ଦିନ ଗ୍ରେଟର୍ ନୋଏଡ଼ାରେ ପହଞ୍ଚିଲେ। ସୀମା ଓ ତାଙ୍କ ପିଲାଙ୍କ ପାକିସ୍ତାନୀ ପରିଚୟ ଗୁପ୍ତ ରଖି ସଚିନ ସେଠାରେ ତାଙ୍କ ପାଇଁ ଭଡ଼ାଘର ବନ୍ଦୋବସ୍ତ କରିଦେଇଥିଲେ। ତା’ପରେ ଧରାପଡ଼ି ଜୁଲାଇ ୪ରେ ଜେଲ୍ ଯାଇଥିଲେ।
ଜାମିନ ପାଇ ଶନିବାର ଦିନ ଜେଲ୍ରୁ ମୁକୁଳିବା ପରେ ସୀମା ଭାରତୀୟ ସରକାରୀ ଅଧିକାରୀମାନଙ୍କ ନିକଟକୁ ଯାଇ କିଛି କାଗଜପତ୍ର କରାଇବା ଉପରେ ଧ୍ୟାନ ଦେବେ।