Spread the love

ନୂଆଦିଲ୍ଲୀ : କ୍ଷମତା ଅକ୍ତିଆର କରିବାକୁ ଦୀର୍ଘ ମାସ ହେଲା ସୁଦାନରେ ସେନା ଓ ଅର୍ଦ୍ଧସାମରିକ ବାହିନୀ ମଧ୍ୟରେ ଚାଲିଥିବା ଘମାଘୋଟ ଲଢ଼େଇ ଥମିବାର ନାଁ ଧରୁନି। ରାଜଧାନୀ ଖାର୍ତୁମର ପଡ଼ୋଶୀ ଔମଡୁରମନ ସହରରେ ହୋଇଥିବା ଭୟଙ୍କର ଏୟାର ଷ୍ଟ୍ରାଇକରେ ୨୨ ନିରୀହ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଥିବା ଜଣାଯାଇଛି। ଏନେଇ ସୁଦାନର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।
ଔମଡୁରମନ ସହରର ଏକ ଜନବହୁଳ ସ୍ଥାନରେ ଏହି ଏୟାର ଷ୍ଟ୍ରାଇକ୍‌ ହୋଇଥିବା ଜଣାଯାଇଛି। ଏହି ଏୟାର ଷ୍ଟ୍ରାଇକ୍‌ ଯୋଗୁ ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ଭିଡିଓରେ ଖୋଲା ଆକାଶ ତଳେ ବହୁ ମୃତଦେହ ପଡ଼ିଥିବା ବେଳେ ଲୋକଙ୍କ ଚିତ୍କାର ଶୁଣିବାକୁ ମିଳୁଛି। ଏହି ଏୟାର ଷ୍ଟ୍ରାଇକ୍‌ ନିମନ୍ତେ ଦେଶର ସେନାକୁ ଦାୟୀ କରାଯାଉଥିବା ବେଳେ ସେନା ତରଫରୁ କିନ୍ତୁ କିଛି ସଫେଇ ଦିଆଯାଇନି।
କ୍ଷମତାକୁ ଅକ୍ତିଆର କରିବାକୁ ସଶସ୍ତ୍ର ବାହିନୀର କମାଣ୍ଡର ଅବଦେଲ ଫତେହ ଅଲ-ବୁରହାନ ଏବଂ ରାପିଡ ସପୋର୍ଟ ଫୋର୍ସ (ଆରଏସଏଫ) ର ପ୍ରମୁଖ ଜେନେରାଲ ମହମ୍ମଦ ହାମଦାନ ଦାଗଲୋଙ୍କ ମଧ୍ୟରେ ଗତ ଏପ୍ରିଲ ମାସରୁ ଏହି ହିଂସାକାଣ୍ଡ ଘଟି ଚାଲିଛି। ଉଭୟ ଅବଦେଲ ଫତେହ ଅଲ-ବୁରହାନ ଓ ଜେନେରାଲ ମହମ୍ମଦ ହାମଦାନ ଦାଗଲୋଙ୍କ ମଧ୍ୟରେ ପୂର୍ବରୁ ଖୁବ୍‌ ଭଲ ସମ୍ପର୍କ ଥିଲା। ହେଲେ କ୍ଷମତା ପାଇଁ ଉଭୟ ମୁହାଁମୁହିଁ ହେଉଥିବା ବେଳେ ଏଥିରେ ବଳି ପଡ଼ୁଛନ୍ତି ନିରୀହ ଲୋକେ। ଏହି ସଂଘର୍ଷରେ ଏଯାବତ ୯୫୮ ଜଣଙ୍କ ପ୍ରାଣ ହାନୀ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି।
ସୁଦାନରେ ଚାଲିଥିବା ଏହି ଗୃହ ଯୁଦ୍ଧ ପାଇଁ ପଡ଼ୋଶୀ ଦେଶ ନିଜ ସୀମାରେ ସୁରକ୍ଷାକୁ କଡ଼ାକଡ଼ି କରି ଦେଇଛନ୍ତି। ବହୁ ଦେଶ ନିଜ ନାଗରିକଙ୍କୁ ସେଠାରୁ ବାହାର କରି ଫେରାଇ ନେଇଛନ୍ତି। ପ୍ରାୟ ଅଢେଇ ମାସ ହେଲା ଏହି ସଂଘର୍ଷ ଥମିବା ନାଁ ଧରୁ ନ ଥିବାରୁ ୨.୯ ଲକ୍ଷ ରୁ ଊର୍ଦ୍ଧ୍ୱ ଲୋକ ବିସ୍ଥାପିତ ହୋଇ ସାରିଲେଣି। ୭ ଲକ୍ଷରୁ ଅଧିକ ଲୋକ ଦେଶ ଛାଡ଼ି ପଳାଇଲେଣି। ମହିଳା, ଯୁବତୀ ତଥା ଶିଶୁ କନ୍ୟାଙ୍କୁ ଯୌନ ନିର୍ଯାତନା ଦିଆଯିବା ଘଟଣା ଦେଶରେ ବଢ଼ି‍ବାରେ ଲାଗିଛି।

Leave a Reply

Your email address will not be published. Required fields are marked *