Spread the love

ନୂଆଦିଲ୍ଳୀ: ଈଶ୍ବରଙ୍କ ଲୀଳା କେହି ବି ବୁଝିପାରନ୍ତି ନାହିଁ। ଏପରି ଅନେକ କହନ୍ତି- ସେ ଚାହିଁଲେ ନିମିଷକ‌ରେ ଜୀବନ ନେଇପାରନ୍ତି ଓ ସେ ଚାହିଁଲେ କେଉଁ ବି ଉପାୟରେ ଅନେକ ଜୀବନ ବଞ୍ଚାଇ ପାରନ୍ତି। ଏହାର ଏକ ଜ୍ବଳନ୍ତ ଉଦାହରଣ ଆମେ ଆଜି ଆପଣଙ୍କୁ ଦେବୁ। କିପରି ବିପଦ ବେଳେ ବି ଈଶ୍ବର ସେହି ବିପଦକୁ ସାମ୍ନା କରିବାର ବାଟ ଦେଖାଇଥାନ୍ତି।
ଏକ ଯାତ୍ରୀବାହୀ ବିମାନ ଆକାଶରେ ଉଡୁଥିଲା। ଅଚାନକ ବିମାନର ପାଇଲଟଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଗଲା। ଅସୁସ୍ଥତା ହେତୁ ତାଙ୍କୁ ତୁରନ୍ତ କକ୍‌ପିଟ୍‌ରୁ ସ୍ଥାନାନ୍ତର କରିବାକୁ ପଡିଲା। ତେବେ ଆପଣ ଭାବୁଥିବେ ଯେ ପାଇଲଟ୍‌ ଜଣକ ଯଦି କକ୍‌ପିଟ୍‌ ଛାଡ଼ିଲେ ତ ତାଙ୍କ ଦାୟିତ୍ବ କିଏ ସମ୍ଭାଳିଲେ? ଆପଣଙ୍କୁ ଜଣାଇ ଦେଉଛୁ ଯେ ତାଙ୍କ ଦାୟିତ୍ବ ନେଇଥିଲେ ବିମାନରେ ଥିବା ଜଣେ ଯାତ୍ରୀ। ବିମାନ ଯାତ୍ରା ସମୟରେ ଜରୁରୀକାଳୀନ ପରିସ୍ଥିତି ଉପୁଜିବାରୁ ଯାତ୍ରୀ ଜଣକ ଏହାର ନେତୃତ୍ୱ ନେଇଥିଲେ। ସେ ବିମାନ ଚଳାଇବାରେ ସହ-ପାଇଲଟଙ୍କୁ ସାହାଯ୍ୟ କରିଥିଲେ। ଘଟଣାଟି ହେଉଛି ଆମେରିକାର।
ସିଏନ୍ଏନ୍ ରିପୋର୍ଟ ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ଏୟାରଲାଇନ୍ସର ଏକ ବିମାନ ଲସ୍ ଭେଗାସଠାରୁ ଓହିଓର କଲମ୍ବସ୍ ଅଭିମୁଖେ ଉଡ଼ାଣ ଭରିଥିଲା। ବିମାନ ଉଡ଼ାଣର କିଛି ସମୟ ପରେ ପାଇଲଟଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଗଲା। ଜରୁରୀକାଳୀନ ପରିସ୍ଥିତିରେ ବିମାନଟିକୁ ଲସ୍ ଭେଗାସରେ ଅବତରଣ କରିବାକୁ ପଡ଼ିଲା। ପାଇଲଟ୍‌ଙ୍କ ଦେହ ଖରାପ ହୋଇଯିବାରୁ ବିମାନ ମଧ୍ୟରେ ଆତଙ୍କ ବ୍ୟାପିବା ପୂର୍ବରୁ ବିମାନରେ ଥିବା ଜଣେ ଯାତ୍ରୀ ବିମାନ ପରିଚାଳନା ପାଇଁ ଆଗକୁ ଆସିଥିଲେ।
ଜାଣିବାକୁ ମିଳିଛି ଯେ ସେ ଜଣେ ପେସାଦାର ପାଇଲଟ୍ ଥିଲେ ଏବଂ ଅନ୍ୟ ଏକ ବିମାନ ସଂସ୍ଥାରେ କାର୍ଯ୍ୟ କରିଥିଲେ। ଯାତ୍ରୀ ଜଣକ କକ୍‌ପିଟ୍‌ ଭିତରକୁ ଆସି ଏୟାର ଟ୍ରାଫିକ୍ ନିୟନ୍ତ୍ରଣ ସହିତ ଯୋଗାଯୋଗ କରିଥିଲେ। ଏହି ସମୟରେ ବିମାନର ସହ-ପାଇଲଟ୍ ବିମାନକୁ ନିୟନ୍ତ୍ରଣ କରିଥିଲେ। କିଛି ସମୟ ପରେ ବିମାନଟିକୁ ସୁରକ୍ଷିତ ଭାବେ ଅବତରଣ କରାଯାଇଥିଲା। ସମସ୍ତ ଯାତ୍ରୀଙ୍କ ଜୀବନ ରକ୍ଷା ହୋଇଥିଲା।

Leave a Reply

Your email address will not be published. Required fields are marked *