ଜଳେଶ୍ୱର : ପୁଣି ଯୌତୁକ ପାଇଁ ନବବଧୂ ହତ୍ୟା ଅଭିଯୋଗ । ବିବାହକୁ ତିନିମାସ ପୂରିନି ଯୌତୁକ ପାଇଁ ଶାଶୂଘର ଲୋକେ ନବବଧୂଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ନବବଧୂ ଜଣକ ବାଲେଶ୍ୱର ଜିଲ୍ଲା କମର୍ଦା ଥାନା ଆରୁହା ବୃତ୍ତି ଅଞ୍ଚଳର ପୂଜାରାଣୀ ଦାସ। ପୂଜାରାଣୀଙ୍କୁ ଶାଶୂ, ଶଶୁର, ନଣନ୍ଦ ଓ ନଣନ୍ଦେଇ ମିଳିମିଶି ହତ୍ୟା କରିଥିବା ପୂଜାରାଣୀଙ୍କ ବାପଘର ଲୋକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ପୂଜାରାଣୀଙ୍କ ଶାଶୁ ଭବାନୀ ଦାସଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି ।
ତେବେ ପୂଜାରାଣୀଙ୍କ ବାପ ଘର ବଡ଼ମନ୍ଦାରୁଣୀ ହୋଇଥିବା ବେଳେ ଗତ ଜୁନମାସ ରେ ସେ ଆରୂହାବୃତ୍ତିର ଭବଶଙ୍କର ଦାସଙ୍କୁ ବିବାହ କରିଥିଲେ । କିନ୍ତୁ ବିବାହକୁ ତିନି ମାସ ପୂରି ନ ଥିବା ବେଳେ ଅଧିକ ଯୌତୁକ ଦାବି କରି ଶାଶୂ ଘରଲୋକ ପୂଜାରାଣୀଙ୍କୁ ବିଭିନ୍ନ ପ୍ରକାର ନିର୍ଯାତନା ଦିଆଯାଉଥିଲା । ଏଣୁ ପୂଜାରାଣୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିବା ପୂଜାରାଣୀଙ୍କ ବାପଘର ଲୋକ ଏତଲାରେ ଦର୍ଶାଯାଇଛନ୍ତି । ସେପଟେ ପୋଲିସ ନବବଧୂଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି ।