Spread the love

ବିହାର : ବିହାରର ମଧେପୁରା ଜିଲ୍ଲାର ପ୍ରସିଦ୍ଧ ସିଂହେଶ୍ୱର ମନ୍ଦିରରେ ଶ୍ରାବଣ ଶେଷ ସୋମବାରରେ ଦଳାଚକଟା ସ୍ଥିତି ଉପୁଜିଛି । ଶେଷ ସୋମବାର ଯୋଗୁଁ ମନ୍ଦିରରେ ପ୍ରବଳ ଭିଡ଼ ଲାଗି ରହିଥିଲା । ସୋମବାର ସକାଳ ପ୍ରାୟ ୮ଟା ପରେ ଜଳାଭିଷେକ ପାଇଁ ଭିଡ଼ ବଢ଼ିବା ସହ ଠେଲାପେଲା ଆରମ୍ଭ ହୋଇଥିଲା । ଏହାପରେ ଧାଡ଼ି ଭାଙ୍ଗିଯିବାରୁ ମନ୍ଦିର ପରିସରରେ ଦଳାଚକଟା ଭଳି ସ୍ଥିତି ସୃଷ୍ଟି ହୋଇଥିଲା ।

ଖବର ମୁତାବକ, ଶ୍ରାବଣ ଶେଷ ସୋମବାରରେ ଜଳାଭିଷେକ ପାଇଁ ରବିବାର ରାତି ପ୍ରାୟ ୧ଟାରେ ସରକାରୀ ପୂଜା ପରେ ମନ୍ଦିରର ପହଡ଼ ଖୋଲାଯିବା ସହ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ମନ୍ଦିରରେ ପହଞ୍ଚିଥିଲେ । ଧୀରେ ଧୀରେ ଭିଡ଼ ବଢ଼ିବାରୁ ସୋମବାର ସକାଳେ ପରିସ୍ଥିତି ଜଟିଳ ହୋଇଥିଲା । ଭିଡ଼ର ଚାପ ଯୋଗୁଁ ପ୍ରଶାସନ ପକ୍ଷରୁ ଲଗାଯାଇଥିବା ବ୍ୟାରିକେଡ୍ ମଧ୍ୟ ଭାଙ୍ଗିଯାଇଥିଲା । ଫଳରେ କିଛି ଲୋକ ତଳେ ପଡ଼ିଯାଇଥିଲେ । ଭିଡ଼ ନିୟନ୍ତ୍ରଣ କରୁଥିବା ଜଣେ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି ।

ଆହତ ଶ୍ରଦ୍ଧାଳୁ ଓ ପୋଲିସ କର୍ମଚାରୀଙ୍କୁ ତୁରନ୍ତ ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇ ଚିକିତ୍ସା କରାଯାଇଛି । ଘଟଣାର ସୂଚନା ପାଇ ମଧେପୁରା ଡିଏମ୍, ଏସ୍ପି, ଏସ୍ଡିଏମ୍ ଓ ଏସ୍ଡିପିଓଙ୍କ ସମେତ ପ୍ରଶାସନ ଓ ପୋଲିସର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅତିରିକ୍ତ ପୋଲିସ ବଳ ମୁତୟନ କରାଯାଇ ଭିଡ଼କୁ ନିୟନ୍ତ୍ରଣ କରାଯାଇଥିଲା ।

ମନ୍ଦିର ନ୍ୟାସ କମିଟି ଏବଂ ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କୁ ଧୈର୍ଯ୍ୟ ଓ ଶାନ୍ତି ବଜାୟ ରଖିବାକୁ ଅପିଲ କରାଯାଇଛି । ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଭିଡ଼କୁ ନିୟମିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।

ସୂଚନାଯୋଗ୍ୟ, ଏହାପୂର୍ବରୁ ଅଗଷ୍ଟ ୧୭ ତାରିଖରେ ବିହାରର ଲଖୀସରାଇସ୍ଥିତ ଅଶୋକ ଧାମ ମନ୍ଦିରରେ ମଧ୍ୟ ଦଳାଚକଟା ସ୍ଥିତି ଉପୁଜିଥିଲା । ସେହି ଘଟଣାରେ ୭ ଜଣ ମହିଳା ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହତ ହୋଇଥିଲେ ।

Leave a Reply

Your email address will not be published. Required fields are marked *