ନୂଆଦିଲ୍ଲୀ: ମହାରାଷ୍ଟ୍ରର ଅମରାବତୀରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଜିଲ୍ଲା ମହିଳା ହସ୍ପିଟାଲର ବେବି ୱାର୍ଡରେ ଅଗ୍ନିକାଣ୍ଡ ଘଟି ୩ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ, ଭୋର ପ୍ରାୟ ୩ଟା ୩୦ ମିନିଟରେ ହଠାତ୍ ଏକ ଭେଣ୍ଟିଲେଟରରେ ବିସ୍ଫୋରଣ ହେବା ପରେ ଅଗ୍ନିକାଣ୍ଡ ଘଟିଥିଲା । ଏହି ଘଟଣା ଘଟିବା ପରେ ଡାକ୍ତର, ନର୍ସ ଓ ଡ୍ୟୁଟିରେ ଥିବା କର୍ମଚାରୀମାନେ ତୁରନ୍ତ ଉଦ୍ଧାର କାମ ଆରମ୍ଭ କରିଥିଲେ । ଫଳରେ ଅନେକ ନବଜାତ ଶିଶୁଙ୍କ ଜୀବନ ବଞ୍ଚାଇ ଦିଆଯାଇଥିଲା ।
ଅମରାବତୀ ଜିଲ୍ଲା ମହିଳା ହସ୍ପିଟାଲର ତୃତୀୟ ମହଲାରେ ନବଜାତ ଶିଶୁଙ୍କ ଗୁରୁତର ଚିକିତ୍ସା ବିଭାଗ (NICU) ରହିଛି । ଭୋର ପ୍ରାୟ ୩ଟା ୩୦ ମିନିଟରେ ଏଠାରେ ଭେଣ୍ଟିଲେଟରରେ ହଠାତ୍ ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ ୩ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଛି ।
ଏହି ହସ୍ପିଟାଲରେ ମୋଟ ୩୯ ଜଣ ନବଜାତ ଶିଶୁ ଚିକିତ୍ସିତ ହେଉଥିଲେ । ଅଗ୍ନିକାଣ୍ଡ ଘଟିବା ପରେ ସମସ୍ତ ଶିଶୁଙ୍କୁ ବାହାରକୁ ଆଣିବାକୁ ଚେଷ୍ଟା କରାଯାଇଥିଲା । ସେଥିରୁ ୬ ଜଣ ଶିଶୁଙ୍କୁ ସୁପର ସ୍ପେଶାଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଏହି ଘଟଣା ପରେ ହସ୍ପିଟାଲରେ ଆତଙ୍କ ସୃଷ୍ଟି ହୋଇଛି । ବଡ଼ କଥା ହେଉଛି, ଏହି NICU ବିଭାଗ ପ୍ରାୟ ୧ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା । ଏତେ କମ୍ ସମୟ ମଧ୍ୟରେ ଆଗ୍ନିକାଣ୍ଡ ଘଟିବାରୁ ହସ୍ପିଟାଲର ଅଗ୍ନି ସୁରକ୍ଷା ବ୍ୟବସ୍ଥା ଓ ଚିକିତ୍ସା ଉପକରଣର ରକ୍ଷଣାବେକ୍ଷଣ ନେଇ ପ୍ରଶ୍ନ ଉଠିଛି ।
NICUରେ ସମୟ ପୂର୍ବରୁ ଜନ୍ମ ହୋଇଥିବା, କମ୍ ଓଜନର ଏବଂ ଗୁରୁତର ଅବସ୍ଥାରେ ଥିବା ନବଜାତ ଶିଶୁଙ୍କ ଚିକିତ୍ସା କରାଯାଏ । ଏହି ଅଗ୍ନିକାଣ୍ଡରେ କିଛି ଶିଶୁଙ୍କ ହାତ ଓ ଗୋଡ଼ରେ ଆଘାତ ଲାଗିଥିବା ଜଣାପଡ଼ିଛି । ସେମାନଙ୍କୁ ତୁରନ୍ତ ସୁପର ସ୍ପେଶାଲିଟି ହସ୍ପିଟାଲକୁ ନିଆଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି ।