Spread the love

ନୂଆଦିଲ୍ଲୀ: ପାକିସ୍ତାନୀ ଝିଅ, ଭାରତ ବୋହୂ| ବନ୍ଦ ସୀମା ରୋକିପାରିଲାନି ବନ୍ଧନ| ଭାରତ ଆସିଲେ ୧୫୦ ନୂଆବୋହୂ| ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ଲାଗି ରହିଛି । ଫଳରେ ଦୁଇ ଦେଶ ମଧ୍ୟରେ ଭିସା କଟକଣା ଏବଂ ସୀମା ବନ୍ଦ ରହିଛି। ତଥାପି ଏଭଳି ପରିସ୍ଥିତିରେ ବି ଭାରତରେ ନିଜ ଜୀବନସାଥୀଙ୍କ ଘରକୁ ଆସିଛନ୍ତି ପ୍ରାୟ ୧୫୦ ପାକିସ୍ତାନୀ ଝିଅ ତେବେ ସିନ୍ଧ୍ ପ୍ରଦେଶର ଅନେକ ପରିବାର ବର୍ଷ ବର୍ଷ ଧରି ଭାରତରେ ନିଜ ଝିଅଙ୍କ ବିବାହ କରାଇ ଆସୁଥିଲେ। ୱାଘା-ଅଟାରୀ ସୀମା ଦେଇ ଯାତାୟାତ ଓ ଭିସା ବ୍ୟବସ୍ଥା ଥିବାରୁ ଏହି ବିବାହଗୁଡ଼ିକ ସହଜରେ ହେଉଥିଲା। କିନ୍ତୁ ୨୦୨୫ର ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ପରିସ୍ଥିତି ବଦଳିଗଲା। ୨୬ ଜଣଙ୍କ ମୃତ୍ୟୁ ପରେ ଭାରତ ଅପରେସନ୍ ସିନ୍ଦୂର ଆରମ୍ଭ କରିଥିଲା। ଏହାପରେ ପାକିସ୍ତାନୀ ନାଗରିକଙ୍କ ଭିସା ଏବଂ ସ୍ଥଳପଥରେ ଯାତାୟାତ ଉପରେ କଟକଣା ଲାଗିଥିଲା। ଏହାର ପ୍ରଭାବରେ ଭାରତୀୟ ଯୁବକଙ୍କ ସହ ନିର୍ବନ୍ଧ ସରିଥିବା ପ୍ରାୟ ୧୫୦ ପାକିସ୍ତାନୀ ଯୁବତୀଙ୍କ ବିବାହ ଅଟକି ଯାଇଥିଲା। କେହି ନିଜ ଭାବୀ ସ୍ୱାମୀଙ୍କ ଘରକୁ ଆସିବାକୁ ଅପେକ୍ଷା କରୁଥିଲେ, ତ ଆଉ କେହି ବିବାହ ତାରିଖ ଧାର୍ଯ୍ୟ କରି ମଧ୍ୟ ଭିସା ଅଭାବରୁ ଆସିପାରୁନଥିଲେ। ହେଲେ ଏବେ ସେମାନେ ଭାରତରେ ସେମାନଙ୍କ ନୂଆ ଜୀବନ ଆରମ୍ଭ କରିବାକୁ ଆସି ପହଞ୍ଚିଛନ୍ତି ।

କିନ୍ତୁ ପ୍ରଶ୍ନ ଉଠୁଛି, ଯେତେବେଳେ ଅପରେସନ୍ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଭିସା ଓ ସ୍ଥଳପଥରେ କଟକଣା ଲାଗିଛି, ସେତେବେଳେ ଏହି ପାକିସ୍ତାନୀ ଝିଅ ଭାରତରେ କେମିତି ପହଞ୍ଚିଲେ? ତେବେ ଏହି ଅଟକିଥିବା ବିବାହଗୁଡ଼ିକୁ ନେଇ ଦୀର୍ଘ ଚେଷ୍ଟା ପରେ କେନ୍ଦ୍ର ସରକାର କିଛି ପାକିସ୍ତାନୀ ଯୁବତୀ ଓ ସେମାନଙ୍କ ପରିବାରକୁ ଭାରତ ଆସିବା ପାଇଁ ଭିସା ଦେଇଥିବା ଦାବି କରାଯାଇଛି। କିନ୍ତୁ ଏଥିପାଇଁ ଏକ ବିଶେଷ ସର୍ତ୍ତ ରଖାଯାଇଥିଲା । ସ୍ଥଳପଥରେ ନୁହେଁ, ବିମାନ ଯୋଗେ ସେମାନଙ୍କୁ ଭାରତ ଆସିବାକୁ ପଡ଼ିବ। ଏହାପରେ ଏହି କନ୍ୟା ଓ ସେମାନଙ୍କ ପରିବାର ପ୍ରଥମେ ପାକିସ୍ତାନରୁ ଦୁବାଇ, ତାପରେ ଓମାନ୍‌ର ମସ୍କଟ୍, ଶ୍ରୀଲଙ୍କା, ବାଂଲାଦେଶ ଏବଂ ଅନ୍ୟ ଦେଶ ଦେଇ ବିମାନ ମାର୍ଗରେ ଭାରତରେ ଆସି ପହଞ୍ଚିଛନ୍ତି।

ନାଗପୁରର ସମୁଦାୟ ନେତା ରାଜେଶ ଝାମ୍ବିଆଙ୍କ ଅନୁସାରେ, ଶଦାନୀ ଦରବାର ପକ୍ଷରୁ ଭାରତରେ ବିବାହ କରିବାକୁ ଥିବା ପାକିସ୍ତାନୀ ଯୁବତୀମାନଙ୍କ ତାଲିକା ପ୍ରସ୍ତୁତ କରାଯାଇ ଗୃହ ମନ୍ତ୍ରଣାଳୟକୁ ପଠାଯାଇଥିଲା। ଏହି ତାଲିକାରେ ପ୍ରାୟ ୧୫୦ ଜଣ ପାକିସ୍ତାନୀ କନ୍ୟା ଥିଲେ। ସେମାନଙ୍କ ବିବାହ ନାଗପୁର, ରାୟପୁର, ଯୋଧପୁର, ପୁନେ ସମେତ ଭାରତର ବିଭିନ୍ନ ସହରରେ ହେବାକୁ ଥିଲା। ଦାବି ଅନୁସାରେ, ଏପ୍ରିଲ୍‌ରୁ ପ୍ରାୟ ୧୫୦ ପାକିସ୍ତାନୀ କନ୍ୟା ଓ ସେମାନଙ୍କ ପରିବାର ଭାରତରେ ପହଞ୍ଚିସାରିଛନ୍ତି। ଏଥିରେ ନାଗପୁରର ୧୫ଟି ବିବାହ ମାମଲା ରହିଛି।

ହେଲେ କାହାଣୀ ଏଠି ଶେଷ ହୋଇନାହିଁ। ପାକିସ୍ତାନରେ ଏବେ ବି ପ୍ରାୟ ୩୦୦ ଯୁବତୀ ଭାରତ ଆସି ବିବାହ କରିବାକୁ ଅପେକ୍ଷା କରୁଛନ୍ତି। ସେମାନଙ୍କ ମଧ୍ୟରୁ କେତେକଙ୍କ ନୂଆ ନୂଆ ବିବାହ ସରିଥିବା ବେଳେ, ଅନ୍ୟ କେତେକଙ୍କ ନିର୍ବନ୍ଧ ସରିଛି । ସେମାନଙ୍କୁ ମଧ୍ୟ ଭିସା ଦେବା ପାଇଁ ଭାରତ ସରକାରଙ୍କ ନିକଟରେ ଅନୁରୋଧ କରାଯାଇଛି। ଅର୍ଥାତ୍, ଦୁଇ ଦେଶ ମଧ୍ୟରେ ସମ୍ପର୍କ ଯେତେ ତିକ୍ତ ହେଉନା କାହିଁକି, ବିବାହ ଭଳି ପାରିବାରିକ ସମ୍ପର୍କ ପାଇଁ ମିଳିଥିବା ବିଶେଷ ଅନୁମତି ଏହି ପରିବାରଗୁଡ଼ିକୁ ଏକାଠି ହେବାର ରାସ୍ତା ଖୋଲିଦେଇଛି।

Leave a Reply

Your email address will not be published. Required fields are marked *