କଟକ : କାହାକୁ ଜମି କରାଇ ଦେବାକୁ କହି ତ କାହାକୁ ପୁଣି ଚାକିରି। ଏଭଳି ଚଳାଇଥିଲା ଠକାମୀ । ଶେଷରେ ପୋଲିସ ହାତରେ ଧରାପଡିଛି । ଦୀର୍ଘ ଦିନ ଧରି ଫେରାର ଥିବା ପେଶାଦାର ଠକ ଶଶଧର ପଣ୍ଡାକୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୋଲିସ। ଜମି ରେଜିଷ୍ଟ୍ରି କରିଦେବାର ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କଠାରୁ ୨୦ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି।
କଟକ, ଭୁବନେଶ୍ୱର, ପୁରୀ ଓ ଭଦ୍ରକର ବିଭିନ୍ନ ଥାନାରେ ଶଶଧରଙ୍କ ନାଁରେ ଏକାଧିକ ଠକେଇ ମାମଲା ରହିଛି। କେବଳ ମଙ୍ଗଳାବାଗ ଥାନାରେ ତାଙ୍କ ବିରୋଧରେ ୧୦ଟି ମାମଲା ରୁଜୁ ହୋଇଛି । କେବଳ ଇଓଡବ୍ଲୁରେ ସାଢ଼େ ୩ କୋଟି ଟଙ୍କାର ଠକେଇ ଅଭିଯୋଗ ରହିଛି। ମୋଟ ୧୦ କୋଟି ଟଙ୍କାରୁ ଅଧିକ ଠକେଇ ଅଭିଯୋଗ ତାଙ୍କ ବିରୋଧରେ ଥିବା କଟକ ଡିସିପି କହିଛନ୍ତି। ଏପଟେ ୪୦ ରୁ ୫୦ କୋଟି ଠକେଇ କରିଥିବା ଠକେଇର ଶିକାର ଲୋକେ କହିଛନ୍ତି।
କଟକର ଫ୍ରେଣ୍ଡସ କଲୋନୀର ବାସିନ୍ଦା ଦୀପାରାଣୀ ପଟ୍ଟନାୟକଙ୍କୁ ଶଶଧର ନିଜକୁ ଅବସରପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ବୋଲି ପରିଚୟ ଦେଇ ପରିବାର ସହ ସମ୍ପର୍କ ବଢ଼ାଇଥିଲେ। ପୁଅର ଉଚ୍ଚଶିକ୍ଷା ପାଇଁ ୨୦ ଲକ୍ଷ ଟଙ୍କା ଜରୁରୀ ଆବଶ୍ୟକ ବୋଲି କହିବା ସହ ବଦଳରେ ସିଡିଏରେ ଏକ ପ୍ଲଟ ଅଭିଯୋଗକାରିଣୀଙ୍କ ନାଁରେ ରେଜିଷ୍ଟ୍ରି କରିଦେବାର ପ୍ରତିଶ୍ରୁତି ଦେଇ ଠକେଇ କରିଥିଲେ ।
ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ, ଠକେଇ କରିଥିବା ଟଙ୍କାରେ ଶଶଧର ବିଭିନ୍ନ ସ୍ଥାନରେ ଜମି କିଣିବା ସହ ଘର ମଧ୍ୟ ନିର୍ମାଣ କରିଛନ୍ତି। ବର୍ତ୍ତମାନ ପୋଲିସ ଠକେଇ ମାମଲାର ଖୋଳତାଡ଼ ଜାରି ରଖିଛି। ଶଶଧର ଗିରଫ ହୋଇଥିବା ଖବର ପ୍ରଚାର ପରେ କଟକ ମଙ୍ଗଳାବାଗ ଥାନାରେ ଅଭିଯୋଗକାରୀଙ୍କ ଲମ୍ବା ଲାଇନ ଲାଗିଛି। ୩ ବର୍ଷ ପୂର୍ବରୁ ସେ ରାଉରକେଲା ବନ୍ଧମୁଣ୍ଡା ପୋଲିସ ଦ୍ଵାରା ଠକେଇ ମାମଲାରେ ଗିରଫ ହୋଇଥିଲେ ବୋଲି ସୂଚନା ମିଳିଛି । ଠକେଇର ଶିକାର ବ୍ୟକ୍ତି କେଶବ ଚନ୍ଦ୍ର ରାଉତଙ୍କ ସହ ଅଧିକ ଆଲୋଚନା କରିଛନ୍ତି କଳିଙ୍ଗ ଟିଭି ଜୋନାଲ ହେଡ ବିଭୂତି ସାହୁ।