Spread the love

ନୂଆଦିଲ୍ଲୀ : ନାଗାଲାଣ୍ଡରେ ଭୟଙ୍କର ଭୂସ୍ଖଳନ । ନାଗାଲାଣ୍ଡର ମୋନ୍ ଜିଲ୍ଲାରେ ଭୂସ୍ଖଳନ ଯୋଗୁଁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ରୁ ଅଧିକ ଆହତ ହୋଇଛନ୍ତି। ଲଗାତର ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୟାବହ ଭୂସ୍ଖଳନ ହୋଇଛି। ଭୂସ୍ଖଳନ ଯୋଗୁଁ ମୋନ୍ ସହର ଏବଂ ଆସାମ ରାଇଫଲ୍ସ କ୍ୟାମ୍ପ ନିକଟରେ ୪୦ରୁ ଅଧିକ ପକ୍କା ଓ କଚ୍ଚା ଘର ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଛି।

ବିଦ୍ୟୁତ ସେବା, ମୋବାଇଲ୍ ନେଟୱର୍କ ଏବଂ ରାସ୍ତା ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ଭୂସ୍ଖଳନ ଯୋଗୁଁ ମୋନ-ଲଙ୍ଗୱା ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ରହିଛି। ମାଟି ତଳେ ଚାପି ହୋଇ ରହିଥିବା ଅନ୍ୟ ଲୋକଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏପର୍ଯ୍ୟନ୍ତ ୪ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ବର୍ଷା ଏବଂ ପ୍ରବଳ କାଦୁଅ ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଘଟଣାସ୍ଥଳରେ NDRF, SDRF, ଆସାମ ରାଇଫଲ୍ସ ଏବଂ ସ୍ଥାନୀୟ ପୋଲିସ ସହାୟତାରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି।

ତେବେ ଲଗାତାର ବର୍ଷା ଏବଂ ବନ୍ୟା ପାଣି ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି।ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ମୁଖ୍ୟମନ୍ତ୍ରୀ ନେଫିଉ ରିଓ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କା ଏବଂ ଆହତମାନଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଏହା ସହ ବିପନ୍ନମାନଙ୍କୁ ତୁରନ୍ତ ଖାଦ୍ୟ ଓ ଆଶ୍ରୟ ଯୋଗାଇ ଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *