Spread the love

ନୂଆଦିଲ୍ଲୀ: ଦିଲ୍ଲୀର ଯନ୍ତର ମନ୍ତର ପ୍ରତିବାଦ ସ୍ଥଳରୁ ସଫଦରଜଙ୍ଗ ଡାକ୍ତରଖାନାକୁ ସ୍ଥାନାନ୍ତରିତ ହେବା ପରେ ସାମାଜିକ କର୍ମୀ ସୋନମ  ନିଜ ସମର୍ଥକମାନଙ୍କ ଉଦ୍ଦେଶ୍ୟରେ ପ୍ରଥମ ବାର୍ତ୍ତା ଜାରି କରିଛନ୍ତି। ଆସନ୍ତାକାଲି (ସୋମବାର) ‘କକ୍ରୋଚ୍ ଜନତା ପାର୍ଟି’ (ସିଜେପି) ପକ୍ଷରୁ ଆୟୋଜିତ ହେବାକୁ ଥିବା ପ୍ରସ୍ତାବିତ ସଂସଦ ପଦଯାତ୍ରାକୁ ବ୍ୟାପକ ଭାବେ ସଫଳ କରିବା ପାଇଁ ସେ ଏହି ବାର୍ତ୍ତାରେ ଆହ୍ୱାନ ଦେଇଛନ୍ତି। ତାଙ୍କୁ ପୁଲିସ ପ୍ରଶାସନ ଦ୍ବାରା ଚିକିତ୍ସାଳୟ ସ୍ଥାନାନ୍ତରକୁ ସେ ଏକ ‘ବେଆଇନ ଅଟକ’ ବୋଲି ଅଭିହିତ କରିଛନ୍ତି। ଏହା ସହିତ ସିଜେପିର ଏହି ଆନ୍ଦୋଳନକୁ ସେ ଭୟ ଏବଂ ଅନ୍ୟାୟ ବିରୋଧରେ ଭାରତର ‘ଦ୍ୱିତୀୟ ସ୍ୱାଧୀନତା ସଂଗ୍ରାମ’ ଭାବେ ବର୍ଣ୍ଣନା କରିଛନ୍ତି। ପତ୍ନୀ ଗୀତାଞ୍ଜଳି ଜେ. ଆଙ୍ଗମୋଙ୍କ ଜରିଆରେ ଏକ କାଗଜରେ ଲିଖିତ ବାର୍ତ୍ତାକୁ ସେ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସାର୍ବଜନୀନ କରିଛନ୍ତି।

ନିଟ୍ ପ୍ରବେଶିକା ପରୀକ୍ଷାରେ ହୋଇଥିବା ଅନିୟମିତତା ପ୍ରତିବାଦରେ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ୱାଙ୍ଗଚୁକ ଗତ ଜୁନ୍ ୨୮ ତାରିଖରୁ ଅନଶନ ଜାରି ରଖିଥିଲେ। ଶନିବାର ତାଙ୍କ ଅନଶନର ୨୧ତମ ଦିବସରେ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଏବଂ ଡାକ୍ତରୀ ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ଦିଲ୍ଲୀ ପୁଲିସ ତାଙ୍କୁ ଆବଶ୍ୟକ ଚିକିତ୍ସା ପାଇଁ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲା। ଅନଶନ ଯୋଗୁଁ ସେ ନିଜ ଶରୀରର ପ୍ରାୟ ୨୦ ପ୍ରତିଶତ ଓଜନ ହରାଇଥିବା ପ୍ରକାଶ କରିଥିଲେ ମଧ୍ୟ ଡାକ୍ତରଖାନାରେ ଇଞ୍ଜେକ୍ସନ (ଇଣ୍ଟ୍ରାଭେନସ ଫ୍ଲୁଇଡ୍), ଓଆର୍‌ଏସ କିମ୍ବା କୌଣସି ଔଷଧ ଗ୍ରହଣ କରିବାକୁ ମନା କରିଦେଇଛନ୍ତି। ସଫଦରଜଙ୍ଗ ଡାକ୍ତରଖାନା ପକ୍ଷରୁ ଜାରି ସ୍ୱାସ୍ଥ୍ୟ ବୁଲେଟିନ୍ ଅନୁସାରେ, ବର୍ତ୍ତମାନ ତାଙ୍କର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସୂଚକାଙ୍କ ସ୍ଥିର ରହିଥିଲେ ମଧ୍ୟ ରକ୍ତର କେତେକ ପାରାମିଟରରେ ସାମାନ୍ୟ ପରିବର୍ତ୍ତନ ଦେଖାଯାଇଛି। ଏଥିପାଇଁ ବିଶେଷଜ୍ଞ ଡାକ୍ତରୀ ଦଳ ତାଙ୍କ ସ୍ୱାସ୍ଥ୍ୟ ଉପରେ କ୍ରମାଗତ ନଜର ରଖିଛନ୍ତି।

ଅନ୍ୟପଟେ, ଜୁଲାଇ ୨୦ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବାରୁ ଏହି ସଂସଦ ପଦଯାତ୍ରା କାର୍ଯ୍ୟକ୍ରମ ଏବେ ଅନିଶ୍ଚିତତା ଭିତରେ ରହିଛି। ଦିଲ୍ଲୀ ପୁଲିସ ଏହି ରାଲି ପାଇଁ କୌଣସି ଆନୁଷ୍ଠାନିକ ଅନୁମତି ଦେଇନାହିଁ। ଏହା ସତ୍ତ୍ୱେ ଆନ୍ଦୋଳନକାରୀମାନେ ନିଜ ଜିଦ୍‌ରେ ଅଟଳ ଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *