
ଅନ୍ୟପକ୍ଷରେ ଇସ୍ରାଏଲକୁ ସମସ୍ତ ପ୍ରକାର ସାମରିକ ଓ ମାନବୀୟ ସହାୟତା ଜାରି ରହିବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଘୋଷଣା କରିବା ସହ ତତ୍କାଳ ୧୪ ବିଲିୟନ ଡଲାର ଇସ୍ରାଏଲ ପାଇଁ ମଂଜୁର କରିବାକୁ କଂଗ୍ରେସକୁ ଆବେଦନ କରିଛନ୍ତି। ଇରାନ୍ ଇସ୍ରାଏଲକୁ ବାରମ୍ବାର ଧମକ ଦେବା ସହ ଆବଶ୍ୟକ ହେଲେ ଯୁଦ୍ଧରେ ସାମିଲ ହେବାକୁ ଘୋଷଣା କରିଥିବାରୁ ଆମେରିକା ଏହାକୁ ଗମ୍ଭୀରତାର ସହ ନେଇଛି। ଆମେରିକାର ଯୁଦ୍ଧଜାହାଜଗୁଡ଼ିକ ଇସ୍ରାଏଲର ସୁରକ୍ଷା ପାଇଁ ସକ୍ରିୟ ହୋଇଉଠିଛି। ପୂର୍ବରୁ ଇସ୍ରାଏଲକୁ ବ୍ୟାପକ ଯୁଦ୍ଧାସ୍ତ୍ର ଯୋଗାଇ ଦେଇଥିବା ଆମେରିକାର ଯୁଦ୍ଧଜାହାଜଗୁଡ଼ିକ ଏବେ ଭୂମଧ୍ୟ ସାଗରରେ ହାଇଆଲର୍ଟରେ ରହିଛି।
ଇସ୍ରାଏଲ-ହମାସ୍ ଯୁଦ୍ଧର ୧୪ତମ ଦିବସରେ ଇସ୍ରାଏଲ ବାୟୁସେନା ଗାଜା ଉପରେ ଭୀଷଣ ବୋମାମାଡ଼ କରିଛି। ଇସ୍ରାଏଲର ସାମରିକ ଅଧିକାରୀମାନେ କହିଛନ୍ତି, ଦୀର୍ଘ ଦିନ ପର୍ଯ୍ୟନ୍ତ ଯୁଦ୍ଧ ଚାଲିବ ଏବଂ ଲଢ଼େଇ ଅଧିକ ଜଟିଳ ଓ ତୀବ୍ର ହେବ। ତେବେ ହମାସ ବିରୋଧରେ ଇସ୍ରାଏଲର ବିଜୟ ହେବ ବୋଲି ଇସ୍ରାଏଲୀ ଅଧିକାରୀମାନେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଗାଜା ସୀମା ନିକଟସ୍ଥ ଗୋଲାନି ନିକଟରେ ମୁତୟନ ହୋଇଥିବା କେତେକ ସୈନିକଙ୍କୁ ଭେଟିଛନ୍ତି ଏବଂ ସେମାନଙ୍କ ମନୋବଳ ବଢ଼ାଇଛନ୍ତି। ଇସ୍ରାଏଲ ଏହାର ସମସ୍ତ କ୍ଷମତା ସହ ଜିତିବ ବୋଲି ନେତାନ୍ୟାହୁ କହିଛନ୍ତି। ନେତାନ୍ୟାହୁ କହିଛନ୍ତି, ସମଗ୍ର ଇସ୍ରାଏଲ ଆପଣମାନଙ୍କ ପଛରେ ରହିଛି ଏବଂ ଆମ ଶତ୍ରୁମାନଙ୍କୁ ଆମେ ଅତି ଭୀଷଣ ଭାବେ ଆକ୍ରମଣ କରିବୁ। ଇସ୍ରାଏଲ ଆକ୍ରମଣରେ ହମାସ୍ର ସ୍ବତନ୍ତ୍ର ନୌସେନା ବାହିନୀର ଜଣେ କମାଣ୍ଡର ମବଦୁହ ସଲାବୀ ନିହତ ହୋଇଥିବା ନେଇ ଇସ୍ରାଏଲ ସେନା ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି।
ଆଇଡିଏଫ୍ (ଇସ୍ରାଏଲ ପ୍ରତିରକ୍ଷା ବାହିନୀ) ଏବଂ ନୌସେନା ବାହିନୀର ମିଳିତ ଅପରେସନ୍ରେ ଉକ୍ତ ହମାସ୍ କମାଣ୍ଡରକୁ ନିପାତ କରାଯାଇଛି। ଯୁଦ୍ଧ ଯୋଗୁଁ ଗାଜାରେ ୪,୧୩୭ ଲୋକଙ୍କର ମୃତ୍ୟୁ ହେଲାଣି ବୋଲି ପାଲେଷ୍ଟାଇନ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଇସ୍ରାଏଲର ଏକ ଯୁଦ୍ଧ ଜାହାଜ ଆଜି ଗାଜାରେ ଏକ ମସଜିଦ ଉପରେ ଟାର୍ଗେଟ୍ କରି ଆକ୍ରମଣ କରିଛି। ଏଥିରେ ଅନେକ ଲୋକ ମୃତାହତ ହୋଇଛନ୍ତି ବୋଲି ପାଲେଷ୍ଟାଇନ ପକ୍ଷରୁ ଦାବି ହୋଇଛି। ଅନ୍ୟପକ୍ଷେ ଗାଜାରେ ଏକ ଗ୍ରିକ୍ ଅର୍ଥୋଡକ୍ସ ଚର୍ଚ୍ଚ୍ ଉପରେ ମଧ୍ୟ ବୋମାମାଡ଼ ଯୋଗୁଁ ଏହା ସଂପୂର୍ଣ୍ଣ ଧ୍ବସ୍ତ ହୋଇଯାଇଛି। ଏଥିରେ ୧୭ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଯାଇଛି। ଗାଜାରେ ଚର୍ଚ୍ଚ୍ ପରିସରରେ ହମାସ ଆତଙ୍କବାଦୀ ଲୁଚି ରହିଥିବାରୁ ଏହି ଆକ୍ରମଣ ହୋଇଥିବା ଇସ୍ରାଏଲ କହିଛି।