Spread the love

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ‘କ୍ୟାସ୍ ଆଟ୍ ହୋମ୍’ ମାମଲାରେ ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ପାଇଁ ବଢ଼ିଛି ଅଡ଼ୁଆ । ତାଙ୍କ ବିରୋଧରେ ତଦନ୍ତ କରୁଥିବା ଲୋକସଭା ଦ୍ୱାରା ଗଠିତ ୩ ଜଣିଆ ତଦନ୍ତ କମିଟି ସମସ୍ତ ୩ଟି ଅଭିଯୋଗ ପ୍ରମାଣିତ ହୋଇଥିବା ନିଷ୍କର୍ଷରେ ପହଞ୍ଚିଛି । ବୁଧବାର ଏହି ତଦନ୍ତ ରିପୋର୍ଟ ସଂସଦର ଉଭୟ ଗୃହରେ ଉପସ୍ଥାପିତ ହୋଇଛି । ୨୦୨୫ ମାର୍ଚ୍ଚ ୧୪ ତାରିଖରେ ସେତେବେଳେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଥିବା ଜଷ୍ଟିସ୍ ବର୍ମାଙ୍କ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନର ଏକ ଅଂଶରେ ନିଆଁ ଲାଗିଥିଲା । ଅଗ୍ନିଶମ କର୍ମଚାରୀମାନେ ନିଆଁ ଲିଭାଇବା ସମୟରେ ସେଠାରେ ବହୁ ପରିମାଣର ପୋଡ଼ା ଓ ଅର୍ଦ୍ଧପୋଡ଼ା ନଗଦ ଟଙ୍କା ଥିବା ଦେଖିବାକୁ ମିଳିଥିଲା।  ଏହାପରେ ସମଗ୍ର ଘଟଣାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଆରମ୍ଭ ହୋଇଥିଲା ।

କମିଟିର ରିପୋର୍ଟ ଅନୁସାରେ ଜଷ୍ଟିସ୍ ବର୍ମାଙ୍କ ବିରୋଧରେ ରହିଥିବା ତିନିଟି ଯାକ Article of Charge ପ୍ରମାଣିତ ହୋଇଛି । ଘରୁ ମିଳିଥିବା ବିପୁଳ ନଗଦ ଟଙ୍କା ସମ୍ପର୍କରେ ତାଙ୍କ ପକ୍ଷରୁ ଦିଆଯାଇଥିବା ସ୍ପଷ୍ଟୀକରଣକୁ କମିଟି ଗ୍ରହଣ କରିନାହିଁ । ତାଙ୍କ ଉତ୍ତରକୁ ଏଡ଼ାଇଯିବା ଭଳି ଓ ବିଭ୍ରାନ୍ତିକର ବୋଲି ରିପୋର୍ଟରେ ଦର୍ଶାଯାଇଛି । ନଗଦ ଟଙ୍କା ମିଳିବା ପରେ ପ୍ରମାଣ ସୁରକ୍ଷିତ ରଖିବା ଦିଗରେ ମଧ୍ୟ ଗୁରୁତର ପ୍ରଶ୍ନ ଉଠାଇଛି କମିଟି ।

୧୪ ମାର୍ଚ୍ଚ ୨୦୨୫ରେ ନୂଆଦିଲ୍ଲୀସ୍ଥିତ ୩୦ ତୁଗଲକ କ୍ରେସେଣ୍ଟରେ ଥିବା ଜଷ୍ଟିସ୍ ବର୍ମାଙ୍କ ସରକାରୀ ବାସଭବନର ଏକ ଷ୍ଟୋରରୁମରେ ହଠାତ୍ ନିଆଁ ଲାଗିଯାଇଥିଲା । ନିଆଁ ଲିଭାଇବା ସମୟରେ ସେଠାରେ ପ୍ରଚୁର ପରିମାଣର ନଗଦ ଟଙ୍କା ଥିବା ଜଣାପଡ଼ିଥିଲା । ନିଆଁ ଲିଭାଯିବା ପରେ ସଂପୃକ୍ତ ଷ୍ଟୋରରୁମକୁ ତୁରନ୍ତ ସିଲ୍ କରାଯାଇନଥିଲା । ପ୍ରାଥମିକ ଉଦ୍ଧାରକାରୀ ଦଳ ଫେରିଯିବା ପରେ ସେହି ସ୍ଥାନକୁ ସଫା କରାଯାଇଥିଲା, ଫଳରେ ଆନୁଷ୍ଠାନିକ ତଦନ୍ତ ବେଳକୁ ସେଠାରୁ ନଗଦ ଟଙ୍କା ଗାଏବ ହୋଇସାରିଥିଲା ।

ଏହି ଘଟଣାର ତଦନ୍ତ ପାଇଁ ବିଚାରପତି (ତଦନ୍ତ) ଆଇନ, ୧୯୬୮  ଅଧୀନରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏକ ତଦନ୍ତ କମିଟି ଗଠନ କରିଥିଲେ ।  ଜଷ୍ଟିସ୍ ବର୍ମାଙ୍କ ଯୁକ୍ତି ଥିଲା ଯେ, ତାଙ୍କ ବାସଭବନରେ ଏଭଳି ନଗଦ ଟଙ୍କା ଥିବା ସମ୍ପର୍କରେ ସେ ଜାଣିନଥିଲେ । ନିଆଁ ଲାଗିବା ପରେ ଉକ୍ତ ଟଙ୍କା ସହ କଣ ଘଟିଲା, ସେଥିପାଇଁ ମଧ୍ୟ ସେ ନିଜକୁ ଦାୟୀ ବୋଲି ମାନିନଥିଲେ । କିନ୍ତୁ ତଦନ୍ତ କମିଟି ଏହି ପ୍ରତିରକ୍ଷାକୁ ଗ୍ରହଣ କରିନାହିଁ । ବାସଭବନରୁ ମିଳିଥିବା ନଗଦ ଟଙ୍କା ବ୍ୟକ୍ତିଗତ ଭାବେ ଜଷ୍ଟିସ୍ ବର୍ମାଙ୍କର ଥିଲା ବୋଲି କମିଟି ସିଧାସଳଖ ଭାବେ କହିନାହିଁ । ଟଙ୍କାର ବ୍ୟକ୍ତିଗତ ମାଲିକାନା ତାଙ୍କର ବୋଲି ସ୍ଥାପିତ କରିବା ପାଇଁ ପର୍ଯ୍ୟାପ୍ତ ଠୋସ ପ୍ରମାଣ ନଥିବାରୁ କମିଟି ଏପରି ନିଷ୍କର୍ଷ ଦେବାରୁ ବିରତ ରହିଛି ।

Leave a Reply

Your email address will not be published. Required fields are marked *