Spread the love

ପଞ୍ଚଭୂତରେ ବିଲୀନ ହେଲା ବିଶିଷ୍ଟ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ମରଶରୀର। କଟକ ଖାନନଗର ଶ୍ମଶାନରେ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ ହୋଇଛି । ତିନିକୋଣିଆ ବଗିଚାସ୍ଥିତ ବାସଭବନରୁ ତାଙ୍କ ପାର୍ଥିବ ଶରୀରକୁ ଶ୍ମଶାନକୁ ଅଣାଯିବା ପରେ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ପୁତୁରା ଦେବ କୁମାର ଦାସ ମୁଖାଗ୍ନି ଦେଇଥିଲେ । ଆଜି ସକାଳେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ୯୫ ବର୍ଷ ବୟସରେ କଟକ ଏସସିବି ମେଡିକାଲରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ଜୟନ୍ତ ମହାପାତ୍ର।

ଗତ କିଛି ଦିନ ଧରି ଅସୁସ୍ଥ ଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଜୟନ୍ତ ମହାପାତ୍ରଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ବୃତ୍ତିରେ ପଦାର୍ଥ ବିଜ୍ଞାନର ଅଧ୍ୟାପକ ଜୟନ୍ତ ମହାପାତ୍ର ହୋଇଥିବା ବେଳେ ପ୍ରବୃତ୍ତି ଥିଲା ସାହିତ୍ୟ ସାଧନା । ସେ ପ୍ରଥମ ଭାରତୀୟ ଭାବେ ଇଂରାଜୀ କବିତା ରିଲେସନସିପ୍ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ। ଜଣେ ଅନ୍ତର୍ଜାତୀୟ କବି ଭାବରେ ବେଶ ଖ୍ୟାତି ଲାଭ କରିଥିଲେ ଜୟନ୍ତ ମହାପାତ୍ର ।

ଓଡ଼ିଆ ଭାଷାରେ ବଳୀ, କହିବେ ଗୋଟିଏ କଥା, ବାୟା ରାଜା, ଟିକିଏ ଛାଇ, ଚାଲି, ଯଦିବା ଗପଟିଏ ଆଦି ପୁସ୍ତକ ରଚନା କରିଛନ୍ତି। ୨୦୦୯ରେ ତାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା। ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ୨୭ରୁ ଅଧିକ ପୁସ୍ତକ ରଚନା କରିଛନ୍ତି। ତାଙ୍କ ବିୟୋଗରେ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷା ସାହିତ୍ୟରେ ଏକ ଯୁଗର ଅବସାନ ଘଟିଛି ।

Leave a Reply

Your email address will not be published. Required fields are marked *