Spread the love

ଅମୃତ ଭଣ୍ଡା ବହୁତ ଉପକାରୀ । କିନ୍ତୁ ସେହି ଅମୃତଭଣ୍ଡା ଗଛର ପତ୍ର ମଧ୍ୟ ଅନେକ ଉପକାର ଦେଇଥାଏ । ତାହା ଖୁବ କମ୍ ଲୋକେ ଜାଣନ୍ତି। ବିଶେଷ କରି ଡେଙ୍ଗୁ ଜ୍ୱର ହେଲେ ଅମୃତ ଭଣ୍ଡା ପତ୍ରର ଜୁସ୍‌ ପିଇବାକୁ ଅଭିଜ୍ଞବ୍ୟକ୍ତି ମାନେ ପରାମର୍ଶ ଦେଇଥାନ୍ତି। କାରଣ ଅମୃତଭଣ୍ଡା ପତ୍ର ଜୁସ୍‌ ପିଇବା ଦ୍ୱାରା ଶରୀରେ ରକ୍ତକଣିକା (ପ୍ଲେଟ୍‌ଲେଟ୍) ବଢ଼ିଥାଏ । ହେଲେ ଏସବୁ ବାଦ୍‌ ଅମୃତଭଣ୍ଡା ପତ୍ରରେ ଯେ ଆହୁରି ଅନେକ ଔଷଧୀୟ ଗୁଣ ରହିଛି ତାହା ବୋଧେ ସମସ୍ତଙ୍କୁ ଜଣାନଥିବ। ଅମୃତ ଭଣ୍ଡା ପତ୍ରରେ ଥିବା ଆଣ୍ଟିବ୍ୟାକ୍ଟେରିଆ ଗୁଣ ଶରୀର ଚର୍ମ ପାଇଁ ଖୁବ୍ ଲାଭଦାୟକ ହୋଇଥାଏ। କେବଳ ଏହି ଗୋଟିଏ ନୁହେଁ, ଅନେକ ଘରୋଇ ଉପଚାରରେ ମଧ୍ୟ ଅମୃତ ଭଣ୍ଡା ପତ୍ରର ବ୍ୟବହାର କରାଯାଇପାରେ।

ଡେଙ୍ଗୁ ରୋଗର ଉପଚାର ପାଇଁ ଅମୃତ ଭଣ୍ଡା ପତ୍ରର ଜୁସ୍ ଔଷଧ ଭଳି କାମ କରେ। ଏହାକୁ ପିଇବା ଦ୍ଵାରା ମୁଣ୍ଡ ବିନ୍ଧା ଓ ଜ୍ଵର ଭଳି ସମସ୍ୟାରୁ ମୁକ୍ତି ମିଳିବା ସହିତ ଶରୀରରେ ରକ୍ତ କଣିକା ବୃଦ୍ଧିରେ ସହାୟକ ହୋଇଥାଏ । ଜ୍ୱର ସମୟରେ ହେଉଥିବା ଆଣ୍ଠୁଗଣ୍ଠି ଯନ୍ତ୍ରଣା ଏହି ରସ ଦ୍ୱାରା ଦୂର ହୋଇ ପାରିବ ବୋଲି ଗବେଷକମାନଙ୍କର ମତ ରହିଛି । ତେବେ କେବଳ ଅମୃତ ଭଣ୍ଡା ପତ୍ର ଜୁସ୍‌ ପିଇଲେ ଡେଙ୍ଗୁ ଭଲ ହୋଇପାରିବ ନାହିଁ । ଏହା କେବଳ ରୋଗ ଭଲ କରିବାରେ ସହାୟକ ହେବ । କିନ୍ତୁ ଡେଙ୍ଗୁ ହେଲେ ଉପଯୁକ୍ତ ଚିକିତ୍ସା ଆବଶ୍ୟକ। ତେଣୁ ଡାକ୍ତରଙ୍କ ପରାମର୍ଶ ନିହାତି ଜରୁରୀ।

ଏତଦ୍ ବ୍ୟତିତ ଅମୃତ ଭଣ୍ଡା ପତ୍ରର ଜୁସ୍ ଆମକୁ ଅନେକ ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ । ଅମୃତ ଭଣ୍ଡା ପତ୍ରର ଜୁସ୍ ପ୍ରତ୍ୟେକ ଦିନ ପିଇବା  ଦ୍ୱାରା ପେଟ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ । ଅମୃତ ଭଣ୍ଡା ପତ୍ରରେ ପୂର୍ଣ୍ଣମାତ୍ରାରେ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ଥିବାରୁ ଏହାକୁ ସେବନ କରିବା ଦ୍ଵାରା କେଶ ମଜବୁତ ହେବା ସହିତ ନୂଆ କେଶ ଉଠିବାରେ ମଧ୍ୟ ସାହାଯ୍ୟ କରେ। ମହିଳା ମାନଙ୍କୁ ଋତୁସ୍ରାବ ସମୟରେ ହେଉଥିବା ଯନ୍ତ୍ରଣାରୁ ଅମୃତ ଭଣ୍ଡା ପତ୍ରର ରସ ଆରାମ ଦେଇଥାଏ । ଅମୃତ ଭଣ୍ଡା ପତ୍ରରେ କ୍ୟାନ୍ସର ରୋଧକ ଗୁଣ ମିଳିଥାଏ । ଯାହା ଆପଣଙ୍କ ଇମ୍ୟୁନିଟିକୁ ବୁଷ୍ଟ କରିବାରେ ସାହାଯ୍ୟ କରେ ।

କିପରି ପ୍ରସ୍ତୁତ କରିବେ ଅମୃତ ଭଣ୍ଡା ପତ୍ର ଜୁସ୍?

୧.ପ୍ରଥମେ ଅମୃତ ଭଣ୍ଡାର ପତ୍ରକୁ ଭଲ ଭାବରେ ଧୋଇଦିଅନ୍ତୁ । ଧୋଇବା ପରେ ଏହାକୁ ସାମାନ୍ୟ ଭାବରେ ପାଣି ଛାଡିବା ପର୍ଯ୍ୟନ୍ତ ଶୁଖିବାକୁ ଛାଡିଦିଅନ୍ତୁ । ତା ପରେ ପତ୍ରକୁ ଛୋଟ ଛୋଟ କାଟି ୨ ଲିଟର ପାଣିରେ ମିଡିୟମ ଆଞ୍ଚରେ ଫୁଟାନ୍ତୁ । ଯେତେବେଳେ ପାଣି ଫୁଟି ସମ୍ପୁର୍ଣ୍ଣ ଅଧା ହୋଇଯିବ ସେତେବେଳେ ତାକୁ ଛାଣି ଡେଙ୍ଗୁ ରୋଗୀଙ୍କୁ ପିଇବାକୁ ଦେଇପାରିବେ ।

୨. ଆପଣ ସବୁଦିନ ପାଚିଲା ଅମୃତ ଭଣ୍ଡା ମଧ୍ୟ ଖାଇପାରିବେ । ତା’ଛଡା ଆପଣ ଅମୃତ ଭଣ୍ଡା ଜୁସରେ ସାମାନ୍ୟ ପରିମାଣର ଲେମ୍ବୁ ରସ ମିଶାଇ ମଧ୍ୟ ପିଇପାରିବେ । ଏହି ଜୁସକୁ ଆପଣ ଦିନକୁ ୨ରୁ ୩ ଥର ପିଅନ୍ତୁ । ଦେଖିବେ ଆପଣଙ୍କୁ ବହୁତ ଶୀଘ୍ର ଡେଙ୍ଗୁ ରୋଗରୁ ମୁକ୍ତି ମିଳିବ ।

୩.ଅମୃତ ଭଣ୍ଡାର କିଛି ପତ୍ରକୁ ନେଇ ତାହାକୁ ହାତରେ ମକଚି ରସ ବାହାର କରନ୍ତୁ । ଏହି ରସର ୨ ବଡ ଚାମଚ ଦିନକୁ ୨ଥର ପିଅନ୍ତୁ । ଏହା ଖୁବଶୀଘ୍ର ଆପଣଙ୍କୁ ଡେଙ୍ଗୁ ରୋଗରୁ ସୁସ୍ଥ କରିବାରେ ସାହାର୍ଯ୍ୟ କରିବ ।

Leave a Reply

Your email address will not be published. Required fields are marked *