ନୂଆଦିଲ୍ଲୀ: ୨୦୨୬ ମସିହାର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦେଶରୁ ପ୍ରତ୍ୟାହାର ଜାରି ରଖିଛି। ସେପ୍ଟେମ୍ବର ୨୩ ତାରିଖ ସୁଦ୍ଧା ଦିଲ୍ଲୀ ସହିତ ପଞ୍ଜାବ, ହରିୟାଣା ଏବଂ ରାଜସ୍ଥାନର ଅଧିକାଂଶ ଅଞ୍ଚଳରୁ ମୌସୁମୀ ପ୍ରତ୍ୟାହାର କରିସାରିଛି। ତଥାପି, ପାଣିପାଗ ବିଭାଗ ଅନୁଯାୟୀ, ଆଗାମୀ କିଛି ଦିନ ମଧ୍ୟରେ ଦେଶର ଅନ୍ୟ କିଛି ଅଞ୍ଚଳରୁ ମୌସୁମୀ ପ୍ରତ୍ୟାହାର ହୋଇପାରେ। ଚଳିତ ବର୍ଷ ଜୁନରୁ ସେପ୍ଟେମ୍ବର ୪ ମାସିଆ ଅବଧି ଭିତରେ ଏଥର ଦେଶରେ ମୌସୁମୀ ବର୍ଷା ନିଅଣ୍ଟିଆ ରହିଛି । ଦେଶରେ ସ୍ୱାଭାବିକଠାରୁ ହାରାହାରି ୧୩% କମ୍ ବର୍ଷା ହୋଇଛି ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଖାସ୍ କରି ଚଳିତବର୍ଷ ସୁପର ଏଲ୍-ନିନୋ ପ୍ରଭାବରେ ସେପ୍ଟେମ୍ବରରୁ ତାତି ବଢ଼ିବ । ଡିସେମ୍ବର ଯାଏ ଏଲ୍-ନିନୋ ସ୍ଥିତି ଶୀର୍ଷ ସ୍ତରରେ ରହିବ । ଚଳିତ ଥର ଶୀତ କମ ହେବାର ସମ୍ଭାବନା ରହିଛି। ତେଣୁ ଖରା ଟାଣ ହେବାର ଆକଳନ କରିଛନ୍ତି ବିଶେଷଜ୍ଞ ।
ପାଣିପାଗ ବିଭାଗ ଅନୁଯାୟୀ, ଚଳିତ ବର୍ଷ ମୌସୁମୀ ପ୍ରତ୍ୟାହାର ସ୍ୱାଭାବିକଠାରୁ ଦୁଇ ଦିନ ବିଳମ୍ବରେ ଅର୍ଥାତ୍ ସେପ୍ଟେମ୍ବର ୧୯ ତାରିଖରେ ଆରମ୍ଭ ହୋଇଥିଲା। ସାରା ଦେଶରେ ମୌସୁମୀ ବର୍ଷା ସ୍ୱାଭାବିକଠାରୁ କମ୍ ରହିଛି। ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଅକ୍ଟୋବରରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ। ତଥାପି, ପାଣିପାଗ ବିଭାଗ ଉତ୍ତର-ପୂର୍ବର ଅନେକ ସ୍ଥାନରେ ସ୍ୱାଭାବିକଠାରୁ କମ୍ ତାପମାତ୍ରା ପୂର୍ବାନୁମାନ କରିଛି।