Spread the love

ରାଜସ୍ଥାନର ଭିଲୱାଡ଼ାରେ ୧୨ ବର୍ଷର ଜଣେ ନାବାଳିକାଙ୍କୁ ଜିଅନ୍ତା ଜାଳି ଦେଇଛନ୍ତି। ଗଣଦୁଷ୍କର୍ମ ପରେ ତାଙ୍କୁ ଏକ ଇଟାଭାଟିରେ ପୋଡ଼ି ଦିଆଯାଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି। ଇଟାଭାଟି ନିକଟରେ ଝିଅର ଚାନ୍ଦି କଡ଼ା ଦେଖିବା ପରେ ନାବାଳିକାଙ୍କ ପରିବାର ଲୋକଙ୍କ ମନରେ ସନ୍ଦେହ ଜାତ ହୋଇଥିଲା।

ଯେତେବେଳେ ସେମାନେ ଆଖପାଖର ଲୋକଙ୍କୁ ଏ ବିଷୟରେ ପଚାରିଥିଲେ, ଲୋକେ କହିଥିଲେ ଯେ ନାବାଳିକାଙ୍କ ସହ ଗୁଣଦୁଷ୍କର୍ମ କରାଯାଇଛି। ଏହାପରେ ତାଙ୍କୁ ଭାଟିରେ ଜିଅନ୍ତା ଜାଳି ଦିଆଯାଇଛି। ଭାଟି ନିକଟରେ ନାବାଳିକାଙ୍କ ଜଳନ୍ତା ଶରୀରର କିଛି ଅଂଶ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଛି। ତେବେ ପୋଲିସ ଏହି ଘଟଣାରେ ମାମଲା ରୁଜୁ କରି କିଛି ବ୍ୟକ୍ତିଙ୍କୁ ଗିରଫ କରିଛି। ବର୍ତ୍ତମାନ ଅଧିକ ତଦନ୍ତ ଜାରି ରହିଛି।

ସୂଚନା ମୁତାବକ, ଏଠାରେ ଗାଁରେ ରହୁଥିବା ଜଣେ ୧୨ ବର୍ଷର ନାବାଳିକା ବିଲକୁ ଛେଳି ଚରାଇବାକୁ ଯାଇଥିଲେ। କିନ୍ତୁ ସେ ଆଉ ଘରକୁ ଫେରି ନ ଥିଲେ। ଦୀର୍ଘ ସମୟ ଅପେକ୍ଷା କରିବା ପରେ ପରିବାର ଲୋକେ ତାଙ୍କୁ ଖୋଜିବା ଆରମ୍ଭ କରିଥିଲେ।

ଯେତେବେଳେ ସେମାନେ ଚାଷ ଜମିକୁ ଯାଇଥିଲେ, ସେଠାରେ ଥିବା ଇଟାଭାଟିର କୋଇଲା ପାଉଁଶରେ ନାବାଳିକାଙ୍କ ଚାନ୍ଦି କଡ଼ା ଦେଖିବାକୁ ପାଇଥିଲେ। ଭାଟି ପାଖରେ ନାବାଳିକାଙ୍କ ମୃତଦେହର କିଛି ଅଂଶ ମଧ୍ୟ ପଡ଼ିଥିଲା। ଏ ସମ୍ପର୍କରେ ତୁରନ୍ତ ପୋଲିସକୁ ସୂଚନା ଦିଆଯାଇଥିଲା। ଫରେନ୍‌ସିକ ଟିମ୍‌ ସହ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସେଠାରୁ ନାବାଳିକାଙ୍କ ଚାନ୍ଦି କଡ଼ା ସହ ମୃତ ଶରୀରର ଜଳନ୍ତା ଅଂଶ ଜବତ କରି ଫରେନ୍‌ସିକ ଲ୍ୟାବ୍‌କୁ ପଠାଇଛି।

Leave a Reply

Your email address will not be published. Required fields are marked *