ଆକାଶରୁ ହଠାତ୍ ଏକ ବିମାନ ରାସ୍ତା ଉପରକୁ ଖସି ନିଆଁ ଗୋଲାରେ ପରିଣତ ହୋଇଛି। ଏଭଳି ଏକ ମାମଲା ଆସିଛି ନାଇଜେରିଆରୁ। ଏଠାରେ ଏକ ବିମାନ ଲାଗୋସ୍ର ଏକ ବ୍ୟସ୍ତବହୁଳ ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ରାସ୍ତା ଉପରେ ବହୁ ଦୂର ପର୍ଯ୍ୟନ୍ତ ଘସି ହୋଇଯାଇଥିଲା ଏବଂ ସେଥିରେ ନିଆଁ ଲାଗିଯାଇଥିଲା। ତେବେ ବିମାନରେ ଥିବା ଦୁଇ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଛି। ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି।
ମିଳିଥିବା ସୂଚନା ଅନୁସାରେ, ଏୟାର ଫାର୍ଷ୍ଟ ହସ୍ପିଟାଲିଟି ଆଣ୍ଡ୍ ଟୁର୍ସର ଦୁଇ ସିଟ୍ ବିଶିଷ୍ଟ ଏକ ବିମାନ (J430) ମଙ୍ଗଳବାର ପ୍ରଶିକ୍ଷଣ ଉଡ଼ାଣ କରୁଥିଲା। ବିମାନଟି ଉତ୍ତର ଜିଲ୍ଲା ଓବା ଅକ୍ରାନରେ ଅବତରଣ କରିବାକୁ ଥିଲା। କିନ୍ତୁ ଏହି ସମୟରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଫଳରେ ଜରୁରୀକାଳୀନ ଅବତରଣ ସମୟରେ ଏହା ନାଇଜେରିଆର ରାଜଧାନୀରେ ରାସ୍ତା ମଝିକୁ ଖସି ପଡ଼ିଥିଲା। ଏହି ସମୟରେ ବିମାନର ଗୋଟିଏ ଡେଣା ଇଲେକ୍ଟ୍ରିକ୍ ପୋଲ ସହିତ ଧକ୍କା ହେବାରୁ ବିମାନଟି ନିଆଁ ସଂସ୍ପର୍ଶରେ ଆସିଥିଲା।
ନାଇଜେରିଆର ସୁରକ୍ଷା ଯାଞ୍ଚ ବ୍ୟୁରୋ ଅନୁସାରେ, ବିମାନରେ ଜଣେ ପାଇଲଟ୍ ଏବଂ ଜଣେ ଯାତ୍ରୀ ଥିଲେ। ଦୁର୍ଘଟଣା ସମୟରେ ଆଖପାଖରେ ଥିବା ଲୋକେ ସେମାନଙ୍କୁ ସୁରକ୍ଷିତ ବାହାର କରିବାରେ ସାହାଯ୍ୟ କରିଥିଲେ। ଏହାପରେ ସେମାନଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲ ନିଆଯାଇଥିଲା।
ସେପଟେ ରିପୋର୍ଟ ମୁତାବକ, ବିମାନରେ କେବଳ ଦୁଇ ଜଣ ବ୍ୟକ୍ତି ଥିଲେ। ଆକାଶରୁ ବିମାନଟି ଖସି ପଡ଼ିବା ଯୋଗୁ ରାସ୍ତାରେ ତିନୋଟି ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ଯାଞ୍ଚ ଚାଲିଛି।
That plane crash in Lagos could have rammed on anyone. God help us all… pic.twitter.com/yTAsmAMgxg
— Ojodomo (@illah_michael) August 1, 2023