Spread the love

ଜ୍ଞାନବ୍ୟାପୀ ମସ୍‌ଜିଦ ପରିସରରେ ହେବ ଏଏସ୍‌ଆଇ ସର୍ଭେ। ଏହାକୁ ଗୁରୁବାର ସବୁଜ ସଙ୍କେତ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ। ମୁସଲିମ ପକ୍ଷର ଆବେଦନକୁ ପ୍ରତ୍ୟାଖ୍ୟାନ କରି ହାଇକୋର୍ଟ ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ୍ ଇଣ୍ଡିଆ (ASI)କୁ ଜ୍ଞାନବ୍ୟାପୀରେ ବୈଜ୍ଞାନିକ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ମୁତାବକ, ଜ୍ଞାନବ୍ୟାପୀ ମସ୍‌ଜିଦ ପରିସରରେ ଏଏସ୍‌ଆଇ ସର୍ଭେକୁ ହାଇକୋର୍ଟ ଅଗଷ୍ଟ ୩ ଅର୍ଥାତ୍‌ ଗୁରୁବାର ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଜୁଲାଇ ୨୭ରେ ହାଇକୋର୍ଟରେ ଜଷ୍ଟିସ ପ୍ରୀତିଙ୍କର ଦିବାକରଙ୍କ ପୀଠ ମାମଲାର ଶୁଣାଣି ଶେଷ କରି ଏହି ରାୟ ସଂରକ୍ଷିତ ରଖିଛି।

ଏହା ଉପରେ ହିନ୍ଦୁ ପକ୍ଷର ପ୍ରତିନିଧିତ୍ୱ କରୁଥିବା ଓକିଲ ବିଷ୍ଣୁ ଶଙ୍କର ଜୈନ କହିଛନ୍ତି ଯେ ହାଇକୋର୍ଟ ଅଗଷ୍ଟ ୩ ପର୍ଯ୍ୟନ୍ତ ଏହି ସର୍ଭେକୁ ସ୍ଥଗିତ ରଖିଛନ୍ତି। କୋର୍ଟ ଉଭୟ ପକ୍ଷଙ୍କ ଶୁଣାଣି କରିଛନ୍ତି। ଜ୍ଞାନବ୍ୟାପୀ ମସ୍‌ଜିଦ ପରିସରରେ ଏଏସ୍‌ଆଇ ସର୍ଭେ ଆରମ୍ଭ ହେବ ବୋଲି ହାଇକୋର୍ଟ କହିଛନ୍ତି। ସେସନ୍ସ କୋର୍ଟଙ୍କ ଆଦେଶକୁ କୋର୍ଟ ବଳବତ୍ତର ରଖିଛନ୍ତି।

ସେପଟେ ଆହ୍ଲାବାଦ ହାଇକୋର୍ଟଙ୍କ ତରଫରୁ ମସ୍‌ଜିଦ ପରିସରରେ ଏଏସ୍‌ଆଇ ସର୍ଭେକୁ ଅନୁମତି ଦିଆଯିବା ପରେ ଉତ୍ତର ପ୍ରଦେଶର ଡେପୁଟି ସିଏମ୍‌ କେଶବ ମୌର୍ଯ୍ୟ କହିଛନ୍ତି, ମୁଁ ଏହି ନିଷ୍ପତ୍ତିକୁ ସ୍ୱାଗତ କରୁଛି। ମୋର ବିଶ୍ୱାସ ଯେ ଏଏସ୍‌ଆଇ ସର୍ଭେ ପରେ ସତ୍ୟ ପଦାକୁ ଆସିବ ଏବଂ ଜ୍ଞାନବ୍ୟାପୀ ସମସ୍ୟାର ସମାଧାନ ହେବ।

କହି ରଖୁଛୁ, ଅଞ୍ଜୁମନ ଇନ୍ତଜାମିୟା କମିଟି ତରଫରୁ ବାରାଣସୀ କୋର୍ଟଙ୍କ ନିଷ୍ପତ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଏହାପୂର୍ବରୁ ମୁସଲିମ୍‌ ପକ୍ଷ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆବେଦନ ଉପରେ ଶୁଣାଣି ବେଳେ ସୁପ୍ରିମକୋର୍ଟ ସର୍ଭେ ଆଦେଶକୁ ସ୍ଥଗିତ ରଖି ମୁସଲିମ ପକ୍ଷକୁ ଆହ୍ଲାବାଦ ହାଇକୋର୍ଟ ଯିବାକୁ କହିଥିଲେ।

Leave a Reply

Your email address will not be published. Required fields are marked *