Spread the love

ନୂଆଦିଲ୍ଲୀ : ଏବେ ପରିବା ଦର ହୁହୁ ହୋଇ ବଢ଼ୁଥିବା ବେଳେ ଟମାଟୋ ଦର ଲୋକଙ୍କୁ ବେଶି ବାଧୁଛି। ପୂର୍ବରୁ ୨୦ ଟଙ୍କା କିଲୋରେ ଟମାଟୋ ମିଳୁଥିବା ବେଳେ ଏବେ ସେତିକିରେ ଅଢ଼େଇ ଶ’ ଗ୍ରାମ ବି ଯୋଗାଡ଼ କରି ହେଉନି । ଟମାଟୋ ଦର କେଉଁଠି ଶହେ ଉପରେ ତ କେଉଁଠି ଦେଢଶ’ ଉପରେ। ଏପରି ସମୟରେ ଟମାଟୋ ଆଣୁଥିବା ଦୋକାନୀ ବି ଏହାର ସୁରକ୍ଷା ପାଇଁ ଚିନ୍ତିତ ହୋଇ ପଡ଼ୁଛନ୍ତି। ତେଣୁ ଟମାଟୋର ସୁରକ୍ଷା ପାଇଁ ଉତ୍ତରପ୍ରଦେଶର ଜଣେ ବ୍ୟବସାୟୀ ନିଜ ଦୋକାନ ସମ୍ମୁଖରେ ବାଉନ୍ସର ଛିଡ଼ା କରାଉଛନ୍ତି।
ଏପରି ଏକ ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ ରବିବାର ଦୋକାନ ଚଳାଉଥିବା ବାପପୁଅଙ୍କୁ ଗିରଫ କରିଥିବା ବେଳେ ତାର ପ୍ରକୃତ ମାଲିକ ଫେରାର ହୋଇ ଯାଇଛନ୍ତି। ଗିରଫ ହୋଇଥିବା ପରିବା ବ୍ୟବସାୟୀ ହେଲେ ଜୟ ନାରାୟଣ ଯାଦବ ଓ ତାଙ୍କ ପୁଅ ବିକାଶ ଯାଦବ ।
ଅଜୟ ଫାଉଜି ନାମକ ବ୍ୟକ୍ତିଙ୍କର ବାରଣାସୀରେ ଏକ ଗ୍ରୋସରୀ ଦୋକାନ ସାଙ୍ଗକୁ ପରିବା ଦୋକାନ ବି ରହିଛି। ନିଜ ଦୋକାନରେ ଭଳିକି ଭଳି ପରିବା ରଖୁଥିବା ଅଜୟ ଦୋକାନ ବାହାରେ ଛିଡ଼ା କରାଇଛନ୍ତି ବାଉନ୍ସର।
ବାଉନସରମାନେ ଗରାଖଙ୍କୁ ପରିବା ଦୋକାନ ନିକଟକୁ ଯିବାକୁ କିମ୍ବା ଟମାଟୋକୁ ଛୁଇଁବାକୁ ଦେଉ ନାହାନ୍ତି। ଦୂରରୁ ରହି ଆବଶ୍ୟକତା ଅନୁଯାୟୀ ଜିନିଷ କିଣି ଟଙ୍କା ଦେବା ପାଇଁ କଡ଼ା ତାଗିଦ କରୁଛନ୍ତି।
ଫାଉଜିଙ୍କ କହିବାନୁଯାୟୀ, ପରିବାର ହାଟରେ ଏବେ ଟମାଟୋ ପାଇଁ ମହାଭାରତ ହୋଇ ଯାଉଛି। କିଏ ଶହେ ଗ୍ରାମ, ୨ଶହ ଗ୍ରାମ ମାଗୁଛନ୍ତି ତ କିଏ ଦର କମାଇବାକୁ କହୁଛନ୍ତି। ଏପରି ଗଣ୍ଡଗୋଳରୁ ମୁକ୍ତି ପାଇବାକୁ ବାଉନ୍ସର ନିୟୋଜିତ କରାଯାଇଥିବା ସେ କହିଛନ୍ତି।
ଫାଉଜି ଟମାଟୋ କିଲୋ ପ୍ରତି ୧୪୦ରୁ ୧୬୦ ଟଙ୍କାରେ ବିକ୍ରି କରୁଥିବା ବେଳେ ଏହାକୁ ଜଗିବା ନିମନ୍ତା ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବାଉନ୍ସର ନିୟୋଜିତ କରୁଛନ୍ତି। ତେବେ ଏଥିନିମନ୍ତେ ସେ ଉଭୟଙ୍କୁ କେତେ ଟଙ୍କା ଦେଉଛନ୍ତି ତାହାକୁ ସେ ଲୁଚାଇ ରଖିଛନ୍ତି।
ସମାଜବାଦୀ ପାର୍ଟି ଚିଫ୍‌ ଅଖିଳେଶ ଯାଦବ ଏହାର ଏକ ଭିଡ଼ିଓ ପୋଷ୍ଟ କରି ବିଜେପି ଟମାଟୋକୁ ଜେଡ ପ୍ଲସ୍‌ ସୁରକ୍ଷା ଯୋଗାଇ ଦେବା ଉଚିତ ବୋଲି ସେ କହିଛନ୍ତି। ଏଥିସହ ଏହି ଘଟଣାରେ ୨ ଜଣଙ୍କ ଗିରଫଦାରୀ ସମ୍ପୂଣ୍ଣ ରାଜନୈତିକ ପ୍ରଣୋଦିତ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *