Spread the love

ଜଳେଶ୍ୱର: ଭାରତୀୟମାନେ ବିଶ୍ୱବାସୀଙ୍କୁ ମୂଲ୍ୟଯୁକ୍ତ ‘ଶୂନ’ ବା ‘ଜିରୋ’ ଉପହାର ଦେଇଛନ୍ତି। ଯାହା ବୁଦ୍ଧିମତାର ପରିଚୟ। ଏହା ହିଁ ପ୍ରକୃତରେ ବିକାଶଧାରା। ବିକାଶକୁ କେବେ ରୋକାଯାଇ ପାରିବନି। ମଣିଷ ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ ବଳରେ ଚନ୍ଦ୍ରପୃଷ୍ଠକୁ ଯାଇ ଘର କରିବା କଥା ଭାବୁଛି। କିନ୍ତୁ ଚନ୍ଦ୍ରକୁ ଯଦି ବିଶ୍ବ କଲ୍ୟାଣରେ ଲଗାଯାଇ ପାରିବ, ତେବେ ତାହା ହିଁ ହେବ ଭାରତୀୟଙ୍କ ଶ୍ରେଷ୍ଠ ଉପଲବ୍‌ଧି। ତେବେ ଏଥିପାଇଁ ମଣିଷ ଆହୁରି ବ୍ୟାପକ ହେବା ଦରକାର। ଈଶ୍ବରଙ୍କ ପ୍ରତି ଅନୁରକ୍ତି ଦେଖାଇବାକୁ ହେବ। ଏହା ସହିତ ମାଟିମନସ୍କ ହେବାକୁ ପଡ଼ିବ। ଏପରି ଚିନ୍ତାଧାରା ରହିଲେ ସଫଳତା ମିଳିପାରିବ ବୋଲି ଆଜି ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ୍‌ ଅଧୀନ ରାୟାଁରାମଚନ୍ଦ୍ରପୁର ପଞ୍ଚାୟତ ଅଧୀନ ଜମାଳପୁର ବିଶ୍ବନାଥ ଏକାଡେମିର ପ୍ଲାଟିନମ୍‌ ଜୁବୁଲି ସମାରୋହରେ ଯୋଗଦେଇ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମତବ୍ୟକ୍ତ କରିଛନ୍ତି।
ପ୍ଲାଟିନମ୍‌ ଜୁବୁଲି କମିଟି ସଭାପତି ନିତ୍ୟଗୋପାଳ ଦାସଙ୍କ ଅଧ୍ୟକ୍ଷତାରେ ଉଦ୍‌ଘାଟନୀ ସମାରୋହ ଆୟୋଜିତ ହୋଇଥିଲା। ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟଅତିଥି ତଥା ଉଦ୍‌ଘାଟକ ଭାବେ ଯୋଗଦେଇ ବକ୍ତବ୍ୟ ରଖିବା ବେଳେ ଅନ୍ୟତମ ଅତିଥି ଭାବେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗଦେଇ ଛାତ୍ରଛାତ୍ରୀଙ୍କ ସଫଳତା ପାଇଁ ଆଦର୍ଶ ଶିକ୍ଷକ, ପ୍ରେରଣାଦାୟୀ ପୁସ୍ତକ, ସଚେତନ ଅଭିଭାବକ ଓ ପ୍ରେରଣାଦାୟୀ ବାତାବରଣ ଆବଶ୍ୟକ ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ପର୍ଯ୍ୟଟନ ଓ ଅବକାରୀ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ଯୋଗଦେଇ ୮୫ ବର୍ଷ ପୁରୁଣା ବିଶ୍ବନାଥ ଏକାଡେମିର ସ୍ବର୍ଣ୍ଣିମ ଇତିହାସ ବର୍ଣ୍ଣନା କରିଥିଲେ। ମଞ୍ଚରେ ସ୍କୁଲ୍‌ର ପ୍ରତିଷ୍ଠାତା ସ୍ବର୍ଗତ ବିଶ୍ବନାଥ ପରିଡ଼ାଙ୍କ ନାତି ଡ. ନବୀନ ପରିଡ଼ା ଏବଂ ପ୍ରଧାନଶିକ୍ଷକ ଅଜୟ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଜୁବୁଲି ସମାରୋହର ମୁଖପତ୍ର ‘ବିଶ୍ବସୁବର୍ଣ୍ଣା’ ଲୋକାର୍ପିତ ହୋଇଥିଲା।
ରାଜ୍ୟପାଳ ପ୍ରୋଟୋକଲ୍‌ ଭାଙ୍ଗି ମଞ୍ଚ ତଳେ ଥିବା ୧୦୩ ବର୍ଷର ପ୍ରାକ୍ତନ ଶିକ୍ଷକ ଫନୀନ୍ଦ୍ର ପରିଡ଼ାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଉତ୍ସବ କମିଟିର ସାଧାରଣ ସମ୍ପାଦକ ତଥା ଜଳେଶ୍ଵର ଓକିଲ ସଂଘର ସଭାପତି କୁଞ୍ଜ ବିହାରୀ ଦାସ ସ୍ବାଗତ ଅଭିଭାଷଣ ଓ ବିବରଣୀ ପ୍ରଦାନ ଏବଂ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ବେଦପାଠ କରିଥିଲେ। ସଭା ପରେ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ସେହିପରି ଅପରାହ୍ନରେ ପ୍ରାକ୍ତନ ଛାତ୍ରଛାତ୍ରୀଙ୍କୁ ନେଇ ସ୍ବତନ୍ତ୍ର ଅଧିବେଶନ ଆୟୋଜିତ ହୋଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ କମିଟିର ସଦସ୍ୟ ବ୍ରଜମୋହନ ପ୍ରଧାନ, ମଧୁସୂଦନ ସେନାପତି, ଅଶୋକ କୁମାର ପରିଡ଼ା, ଯୁବନେତା ପ୍ରବୀର କୁମାର ଦାସ, ରାଜୀବ କୁମାର ପରିଡ଼ା, ଖଗେନ୍ଦ୍ର ନାଥ ସାହୁ, ରାମକୃଷ୍ଣ ସାହୁ, ସୁରେନ୍ଦ୍ର ନାଥ ପାଳ, ନିର୍ମଳ ଚନ୍ଦ୍ର ଦାସ, ରାମଚନ୍ଦ୍ର ଜେନା, ବିଭୁତି ଭୂଷଣ କାନୁନଗୋ, ବିଶ୍ଵନାଥ ଦାସ ମହାପାତ୍ର, ପରମାନନ୍ଦ ପରିଡ଼ା ଓ ବସନ୍ତ କୁମାର ମହାନ୍ତି, ଅଧୀର କୁମାର ପ୍ରାମାଣିକ, ମନୋଜ କୁମାର ପରିଡ଼ା, ରାଧାଶ୍ୟାମ ନାଥ, ବିଦୁଭୂଷଣ କାନୁନଗୋ, ବିନୋଦ କୁମାର ଗିରି, କାଳୀଚରଣ ଦାସ, ସପନ କୁମାର ଦାସ, କମଳ କୁମାର ପରିଡ଼ା, ଦେବବ୍ରତ ନନ୍ଦ, ମହେଶ୍ୱର ବଡୁ, ତପନ କୁମାର ପରିଡ଼ା, ରବୀନ୍ଦ୍ର ନନ୍ଦୀ, ସରୋଜ କୁମାର ରାଉଳ, ବିଷ୍ଣୁପଦ ପାତ୍ର ଓ ରଞ୍ଜନ କୁମାର ଦଳେଇ ପ୍ରମୁଖ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *