Spread the love

ଭୁବନେଶ୍ବର : ଆସନ୍ତା ୯ତାରିଖରେ ଜେଡିୟୁ ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓଡ଼ିଶା ଗସ୍ତରେ ଆସି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ନରେନ୍ଦ୍ର ମୋଦି ସରକାର ବିରୁଦ୍ଧରେ ଏକ ସୁଦୃଢ଼ ମେଂଟ ଗଠନ ପ୍ରୟାସରେ ନୀତିଶ କୁମାର ଅଣଏନଡିଏ ଦଳଗୁଡ଼ିକର ନେତାମାନଙ୍କୁ ଭେଟୁଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, ନୀତିଶ କୁମାର ଆସନ୍ତା ୯ତାରିଖ ଅପରାହ୍ନ ୧୨ଟାରେ ନବୀନ ନିବାସରେ ନବୀନଙ୍କୁ ଭେଟିବେ । ନବୀନ ନିବାସରେ ପ୍ରାୟ ଏକ ଘଣ୍ଟା ଧରି ନୀତିଶ କୁମାର ରହିବେ ଓ ସେଠାରେ ତାଙ୍କୁ ମଧ୍ୟାହ୍ନ ଭୋଜନର ନବୀନ ଆପ୍ୟାୟିତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ସାକ୍ଷାତକାର ସମ୍ପୂର୍ଣ୍ଣ ଭାବେ ରାଜନୀତିକ ହୋଇଥିବାରୁ ବିସ୍ତୃତ ତଥ୍ୟ ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି । ଅନ୍ୟପକ୍ଷରେ ବିଜେଡିର ଜଣେ ବରିଷ୍ଠ ନେତାଙ୍କ କହିବା ଅନୁସାରେ, ବିଜେଡିର ଆଭିମୁଖ୍ୟ ସ୍ପଷ୍ଟ । ଜାତୀୟ ରାଜନୀତିରେ ବିଜେଡି ବିଶେଷ ସକ୍ରିୟ ହେବାକୁ ଚାହେଁନି । ଆଂଚଳିକ ଦଳ ଭାବେ ଓଡ଼ିଶାର ସ୍ୱାର୍ଥ ପାଇଁ ଯାହା ଆବଶ୍ୟକ ସେ ଦିଗରେ ବିଜେଡି କାର୍ଯ୍ୟ କରୁଛି । ଉଭୟ ବିଜେପି ଓ କଂଗ୍ରେସଠୁ ସମଦୂରତ୍ୱ ନୀତିରେ ବିଜେଡି ଏବେବି କାଏମ ରହିଛି । ପୂର୍ବରୁ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡ଼ିଶା ଗସ୍ତରେ ଆସି ନବୀନଙ୍କୁ ଭେଟିଥିଲେ । ଏବେ ନୀତିଶ କୁମାର ଆସିବେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଅନ୍ୟ ରାଜନୀତିକ ଦଳର ମୁଖ୍ୟମାନେ ଭେଟିବାରେ ସମସ୍ୟା ନାହିଁ କିନ୍ତୁ ବିଜେପି ବିରୁଦ୍ଧ ମେଂଟ ଗଠନ ପାଇଁ ନୀତିଶ ଯେଉଁ ପ୍ରୟାସ କରୁଛନ୍ତି ସେଥିରେ ବିଜେଡି ସାମିଲ ହେବାର ସମ୍ଭାବନା କ୍ଷୀଣ ବୋଲି ସମ୍ପୃକ୍ତ ନେତା ନିଜ ନାଁ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ।
ସୂଚନାଯୋଗ୍ୟ, ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ବିରୁଦ୍ଧରେ ମେଂଟ ଗଠନ ପାଇଁ ନୀତିଶ କୁମାର କଂଗ୍ରେସ ସମେତ ଆମ୍ ଆଦମୀ ପାର୍ଟି, ତୃଣମୂଳ କଂଗ୍ରେସ ଆଦି ଦଳର ମୁଖ୍ୟମାନଙ୍କୁ ଭେଟି ସାରିଛନ୍ତି ।

Leave a Reply

Your email address will not be published. Required fields are marked *