Spread the love

ଭୁବନେଶ୍ବର : ଦିନକୁ ଦିନ ଅଶାନ୍ତ ହେଉଛି ରାଜଧାନୀ ଭୁବନେଶ୍ୱର। ଜନଗହଳୀ ପୂର୍ଣ୍ଣ ଜାତୀୟ ରାଜପଥର ଓଭର ବ୍ରିଜ୍‌ ଉପରୁ ହୋଟେଲ୍‌କୁ ହୋଇଛି ବୋମା ମାଡ଼। ଦୁଇ ଜଣ ଯୁବକ ବାଇକ୍‌ରେ ଆସି ବୋମା ମାଡ଼ କରି ଚମ୍ପଟ ମାରିଛନ୍ତି। ବର୍ତ୍ତମାନ ସୁଦ୍ଧା ବୋମା ମାଡ଼ର କାରଣ ଜଣାପଡ଼ି ନାହିଁ। ଦାଦାବଟି ପାଇଁ ବୋମା ମାଡ଼ ହୋଇଥିବା ଅନୁମାନ କରାଯାଉଛି। କମିଶନରେଟ୍‌ ପୁଲିସ୍‌ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।
ରସୁଲଗଡ଼ରେ ରହିଛି ଉର୍ମୀ ହୋଟେଲ୍‌। ରାତି ପ୍ରାୟ ୮.୧୫ ମିନିଟ୍‌ରେ ଦୁଇ ଜଣ ଯୁବକ ବାଇକ୍‌ରେ ଆସି ଜାତୀୟ ରାଜପଥରେ ଥିବା ଓଭରବ୍ରିଜ୍‌ ଉପରୁ ବୋମା ଫିଙ୍ଗି ପଳାଇ ଯାଇଥିଲେ। ବୋମାଟି ହୋଟେଲ୍‌ର ୨୦୨ ନମ୍ୱର ରୁମ୍‌ର ଝରକାରେ ବଜିଥିଲା। ଫଳରେ ହୋଟେଲ୍‌ ଝରକାର କାଚ ଭାଙ୍ଗି ଯାଇଛି। ସେହି ରୁମ୍‌ରେ ଥିବା ପର୍ଯ୍ୟଟକମାନେ ସୁରକ୍ଷିତ ଅଛନ୍ତି।
ବୋମା ମାଡ଼ ନେଇ ଖବର ପାଇ ହୋଟେଲ୍‌ରେ ପହଞ୍ଚିଥିଲା କମିଶନରେଟ୍‌ ପୁଲିସ୍‌। ଏସିପି ସଞ୍ଜିବ ଶତପଥୀ ଓ ମଞ୍ଚେଶ୍ୱର ଥାନା ଅଧିକାରୀ ହୋଟେଲ୍‌ରେ ପହଞ୍ଚି ତନାଘନା କରୁଛନ୍ତି। କେଉଁ ପରିସ୍ଥିତିରେ ବୋମା ମାଡ଼ ହୋଇଛି ପୁଲିସ୍‌ ତାହା ଉପରେ ତଦନ୍ତ ଚଳାଇଛି। ବୋମା ମାଡ଼ରେ କେହି ଆହତ ହୋଇନାହାନ୍ତି। ବର୍ତ୍ତମାନ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Leave a Reply

Your email address will not be published. Required fields are marked *