Spread the love

ଖୋର୍ଦ୍ଧା : ଅଗ୍ନିବୀରଙ୍କ ପାସିଂ ଆଉଟ୍ ପରେଡ। ଆଇଏନ୍‌ଏସ୍ ଚିଲିକାରେ ଆଜି ପ୍ରଥମ ବ୍ୟାଚ୍ ନୌସେନା ଅଗ୍ନିବୀରଙ୍କ ସରିଛି ପ୍ରଶିକ୍ଷଣ। ୪ ମାସ ଅହରହ ତାଲିମ ନେବା ପରେ ନୌସେନାରେ ଯୋଗ ଦେଇଛନ୍ତି ୨୫୮୫ ଅଗ୍ନିବୀର। ଏହା ମଧ୍ୟରେ ରହିଛନ୍ତି ୨୭୩ ଜଣ ମହିଳା।
ଅଗ୍ନିବୀରଙ୍କ ପାଇଁ ଏହା କେବଳ ୧୬ ସପ୍ତାହର ସଫଳ ଟ୍ରେନିଂ ନଥିଲା ବରଂ ଭାରତୀୟ ନୌସେନାରେ ନୂଆ ଜୀବନ ଆରମ୍ଭ କରିବାର ଗୌରବର ମୁହୂର୍ତ୍ତ ଥିଲା। ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରି ନୌସେନା ମୁଖ୍ୟ ଆଡମିରାଲ ଆର୍. ହରି କୁମାର ନୂଆ ଅଗ୍ନିବୀରଙ୍କୁ ଭାରତୀୟ ନୌସେନାର ମୂଲ୍ୟବୋଧ, ଗାରିମା ଏବଂ ସାହାସକୁ ପାଥେୟ କରି ଦେଶ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବାକୁ ଆହ୍ୱାନ ଦେଇଛନ୍ତି।
ଏହି ଅବସରରେ ଶ୍ରେଷ୍ଠ ଅଗ୍ନିବୀର ଭାବେ ଅମଲକାନ୍ତି ଜୟରାମ ଓ ଅଜିତ ପି ଙ୍କୁ ଚିଫ୍ ଅଫ୍ ନାଭାଲ ଷ୍ଟାଫ ରୋଲିଂ ଟ୍ରଫି ଏବଂ ସ୍ୱର୍ଣ୍ଣ ପଦକ ଦିଆଯାଇଥିଲା। ସେହିପରି ଶ୍ରେଷ୍ଠ ମହିଳା ଅଗ୍ନିବୀର ଭାବେ କୁଶୀଙ୍କୁ ଦେଶର ପ୍ରଥମ ସିଡିଏସ୍ ସ୍ୱର୍ଗତ ଜେନେରାଲ ବିପିନ ରାୱତଙ୍କ ସ୍ମୃତିରେ ରୋଲିଂ ଟ୍ରଫି ପ୍ରଦାନ କରାଯାଇଥିଲା।
ଭାରତୀୟ ଅଲିମ୍ପିକ ସଂଘ ସଭାପତି ପିଟି ଉଷା, କ୍ରିକେଟର ମିଥାଲି ରାଜ ଏବଂ ବରିଷ୍ଠ ନାଭାଲ ଅଧିକାରୀ ମଧ୍ୟ ଅଗ୍ନିବୀରଙ୍କ ପାସିଂ ଆଉଟର ସାକ୍ଷୀ ରହିଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଗ୍ନିପଥ ଯୋଜନା ଘୋଷଣା ହେବା ପରେ ତିନି ସେନା ମଧ୍ୟରୁ ପ୍ରଥମେ ଆଗକୁ ବଢ଼ିଥିଲା ନୌସେନା ଏବଂ ଅଗ୍ନିବୀରଙ୍କ ନିଯୁକ୍ତିର ପ୍ରକ୍ରିୟା ଆରମ୍ଭ କରିଥିଲା। ଏକମାତ୍ର ଆର୍ମଡ ଫୋର୍ସ ଭାବେ କେବଳ ନୌସେନା ହିଁ ମହିଳାଙ୍କୁ ଅଗ୍ନିବୀର ଭାବେ ଆଇଏନ୍‌ଏସ୍ ଚିଲିକାରେ ତାଲିମ୍ ଦେବା ଶେଷ କରିଛି।

Leave a Reply

Your email address will not be published. Required fields are marked *