Spread the love

ରାତି ପାହିଲେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା। ଚଳିତ ବର୍ଷ ପ୍ରଭୁ ଲିଙ୍ଗରାଜଙ୍କ ପବିତ୍ର ରୁକୁଣା ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଶେଷ ହୋଇଛି। ଏକାମ୍ର ଆରାଧ୍ୟ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଏଥପାଇଁ ଚଳଚଞ୍ଚଳ ପୂରା ଭୁବନେଶ୍ୱର। ତେବେ କାହିଁକି ହୁଏ ରୁକୁଣା ରଥଯାତ୍ରା? ଆସନ୍ତୁ ଜାଣିବା। ରୁକୁଣା ରଥଯାତ୍ରା ଶ୍ରୀଲିଙ୍ଗରାଜଙ୍କର ଏକ ପ୍ରମୁଖ ବାର୍ଷିକ ଉତ୍ସବ ଯାହା ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ପାଳନ କରାଯାଇଥାଏ।
ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଚୈତ୍ର ମାସ ଶୁକ୍ଳ ଅଷ୍ଟମୀ ତିଥିରେ ଅନୁଷ୍ଠିତ ହୁଏ। ପ୍ରଭୁ ଲିଙ୍ଗରାଜଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର, ରୁକ୍ମଣୀ ଓ ବାସୁଦେବ ରଥ ଉପରେ ବିଜେ ହୁଅନ୍ତି। ରଥକୁ ଲିଙ୍ଗରାଜ ମନ୍ଦିରଠାରୁ ରାମେଶ୍ୱର (ମାଉସୀ ମା’ ମନ୍ଦିର ) ମନ୍ଦିର ପର୍ଯ୍ୟନ୍ତ ଟଣାଯାଏ। ଏହି ରଥଯାତ୍ରା ୫ ଦିନ ବ୍ୟାପୀ ଚାଲେ। ଏହି ରଥର ଉଚ୍ଚତା ୫୦ ଫୁଟ ଓ ୪ ଚକ, ୨ ଓରା, ୧୬ ନାହାକା, ୫ ଦଣ୍ଡା ବିଶିଷ୍ଟ। ରଥର ନାମ ରୁକ୍ମଣୀ ବା ରୁକୁଣା ରଥ। ଏହି ରଥଟିର ବିଶେଷତ୍ୱ ହେଉଛି ରଥଟି ଅଣଲେଉଟା।
ଯେଉଁଭଳି ଭାବେ ରଥଟି ରାମେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଯାଇଥାଏ ଠିକ୍ ସେହିଭଳି ପୁନର୍ବାର ପଛକୁ ଫେରିଥାଏ। ଜଗନ୍ନାଥ ମହାପ୍ରଭୁଙ୍କ ପରି ରଥ ଦକ୍ଷିଣ ମୋଡ ବୁଲିନଥାଏ। ସେଥିପାଇଁ ଏହାକୁ ଅଣଲେଉଟା ବୋଲି କୁହାଯାଏ। ବାହୁଡ଼ା ଦିନ ରଥର ଆଗପାଖର ସାଜସଜ୍ଜାକୁ ବିପରୀତ ଦିଗରେ ଉପବେସନ କରାଯାଏ।
ରୁକୁଣା ରଥର ସାରଥୀଙ୍କୁ କୁହାଯାଏ ‘ବ୍ରହ୍ମା’। ରଥଖଳାରେ ରଥର ସମସ୍ତ କାର୍ଯ୍ୟ ମହାରଣାମାନେ କରିଥାନ୍ତି। ରଥଯାତ୍ରା ପୂର୍ବଦିନ ଭୋର ୪ଟାରୁ ମଙ୍ଗଳା ଆଳତୀ ଆରମ୍ଭ ହୋଇ ଅବକାଶ ନୀତି, ରୋଷପାକ, ସାହାଣ ମେଲା ଦର୍ଶନ, ମହାସ୍ନାନ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବଲ୍ଲଭ ପୂଜା, ମା ଭୁବନେଶ୍ୱରୀଙ୍କ ପୂଜା, ସକାଳ ଧୂପ, ଭୋଗ ମଣ୍ଡପ, ବେଶ ସଜ୍ଜା ଓ ଦିନ ୨ଟା ସୁଦ୍ଧା ମହାପ୍ରଭୁ ଲିଙ୍ଗରାଜ, ବାସୁଦେବ ଓ ମା ଭୁବନେଶ୍ୱରୀ ବା ରୁକୁଣାଙ୍କ ପହଣ୍ଡି ହୋଇଥାଏ। ଏହାପରେ ରଥ ଉପରେ ଚକ ପୂଜା, ଅଖ ପୂଜା, ଦ୍ୱାରପୂଜା, ଅଶ୍ୱପୂଜା, ଧ୍ୱଜାପୂଜା, ବ୍ରହ୍ମାପୂଜା ଓ ଛେରାପହଁରା ପ୍ରଭୃତି ପ୍ରାୟ ୧୨ପ୍ରକାରର ପୂଜା କରାଯାଇଥାଏ।
ପୌରାଣିକ କିମ୍ବଦନ୍ତୀ ଅନୁସାରେ ରାମଚନ୍ଦ୍ର ରାବଣକୁ ହତ୍ୟାକରି ମା’ ସୀତାଙ୍କୁ ଉଦ୍ଧାର କରିଥିଲେ। ରାବଣ ବ୍ରାହ୍ମଣ ହୋଇଥିବାରୁ ରାମଚନ୍ଦ୍ରଙ୍କୁ ବ୍ରହ୍ମ ହତ୍ୟା ଦୋଷ ଲାଗିଥିଲା। ଏହି ପାପରୁ ମୁକ୍ତି ପାଇବା ପାଇଁ ଗୁରୁ ବଶିଷ୍ଠଙ୍କ କଥା ଅନୂୁସାରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଏକାମ୍ର କ୍ଷେତ୍ରକୁ ଆସି ରାମେଶ୍ୱରଠାରେ ଶ୍ରୀଲିଙ୍ଗରାଜଙ୍କୁ ପୂଜାର୍ଚ୍ଚନା କରିଥିଲେ। ଏହି ଉପାସନାରେ ପ୍ରଭୁ ଲିଙ୍ଗରାଜ ସନ୍ତୁଷ୍ଟ ହେବା ପରେ ଲିଙ୍ଗରାଜଙ୍କୁ ରାମେଶ୍ୱର ମନ୍ଦିର ଆସିବାକୁ ରାମଚନ୍ଦ୍ର ବର ମାଗିଥିଲେ।
ଶେଷରେ ଚୈତ୍ର ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ତାଙ୍କୁ ଦର୍ଶନ ଦେବା ଲାଗି ଲିଙ୍ଗରାଜ ମହାପ୍ରଭୁ ରାମେଶ୍ୱର ମନ୍ଦିରକୁ ପାଞ୍ଚଦିନ ପାଇଁ ରଥଯାତ୍ରାରେ ଆସିଥାନ୍ତି। ରଥଯାତ୍ରାର ଆଉ ଏକ ବିଶେଷତ୍ୱ ମଧ୍ୟ ରହିଛି ଯେ ମା ଭୁବନେଶ୍ୱରୀ ଏହିଦିନ ରଥରେ ମହାପ୍ରଭୁ ଲିଙ୍ଗରାଜଙ୍କ ସହ ସୁରାସରକୁ ବଧ କରିବା ପାଇଁ ଯାତ୍ରା କରିଥାନ୍ତି। ଉକ୍ତ ପ୍ରଥା ଓ ପରମ୍ପରା ଅନୁସାରେ ଏହି ରୁକୁଣା ରଥଯାତ୍ରା ହୋଇ ଆସୁଛି।

Leave a Reply

Your email address will not be published. Required fields are marked *